ସିଦ୍ଧ ମହାପୁରୁଷ ମନି ସୋସାଇଟି ଠକେଇ ମାମଲା: ୭ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ, ୧୦ ଲକ୍ଷ ଟଙ୍କା ଜରିମାନା

କଟକ: ପ୍ରାୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବର କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ମଙ୍ଗଳପୁରର ସିଦ୍ଧ ମହାପୁରୁଷ ମନି ସୋସାଇଟି ଠକେଇ ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ କଟକ ସ୍ବତନ୍ତ୍ର ‌ଅଦାଲତ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଲେଖାଏ କାରାଦଣ୍ଡାଦେଶ ଦେଇଛନ୍ତି। ଏ ସଂପର୍କିତ ଦୁଇଟି ଅପରାଧିକ ମାମଲାର ଅଦାଲତ ଶୁଣାଣି କରି ଅଦାଲତ ଏପରି ରାୟ ପ୍ରଦାନ କରିଛନ୍ତି। ସିଦ୍ଧ ମହାପୁରୁଷ ମନି ସୋସାଇଟି ଠକେଇ ସଂପର୍କିତ ୨୦୧୬ର ମାମଲାରେ ଅଦାଲତ ଲକ୍ଷ୍ମୀପ୍ରିୟା ରାଉତ, ମିତାଞ୍ଚଳି ରାଉତ, ସଂଜୀବ ରାଉତ ଓ ମନୋଜ ଲେଙ୍କାଙ୍କୁ ଆଇପିସିର ଦଫା ୪୨୦ରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ଓଡିଶା ପ୍ରୋଟେକସନ ଅଫ୍‌ ଇଣ୍ଟରେଷ୍ଟସ ଅଫ୍‌ ଡିପୋଜିଟର୍ସ (ଇନ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ)ର ଧାରା ୬ରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ପ୍ରାଇଜ ଚିଟସ୍ ଆଣ୍ଡ ମନି ସାର୍କୁଲେସନ ସ୍କିମ୍ସ (ବ୍ୟାନିଂ) ଆକ୍ଟର ଧାରା ୪,୫ରେ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ସମସ୍ତ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ସେହିଭଳି ଭାବେ ଏହି ସୋସାଇଟି ଠକେଇ ସଂପର୍କିତ ୨୦୧୭ର ଏକ ମାମଲାରେ ଅଦାଲତ ଅଭିଯୁକ୍ତ ଭାଗ୍ୟବତୀ ରାଉତ, ଦୁର୍ୟୋଧନ ଭୂୟାଁଙ୍କୁ ଆଇପିସିର ଦଫା ୪୨୦ରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ପ୍ରାଇଜ ଚିଟସ୍ ଆଣ୍ଡ ମନି ସାର୍କୁଲେସନ ସ୍କିମ୍ସ (ବ୍ୟାନିଂ) ଆକ୍ଟର ଧାରା ୪,୫ରେ ୨ ବର୍ଷ ସଶ୍ରମ କରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଅନ୍ୟତମ ଅଭିଯୁକ୍ତ ଜୀବନଦୀପ ରାଉତଙ୍କୁ ଆଇପିସିର ଦଫା ୪୨୦ରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ଓପିଆଇଡି ଆଇନର ଧାରା ୬ରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ପ୍ରାଇଜ ଚିଟସ୍ ଆଣ୍ଡ ମନି ସାର୍କୁଲେସନ ସ୍କିମ୍ସ (ବ୍ୟାନିଂ) ଆକ୍ଟର ଧାରା ୪,୫ରେ ୨ ବର୍ଷ ସଶ୍ରମ କରାଦଣ୍ଡ ସହିତ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ସମସ୍ତ ଦଣ୍ଡାଦେଶ ଆସାମୀମାନେ ଏକ ସଂଗେ ଭୋଗ କରିବେ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜମାକାରୀଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଓପିଆଇଡି ଆଇନ ୨୦୧୩ରେ ରାଜ୍ୟରେ କାର୍ୟ୍ୟକାରୀ ହୋଇଥିଲା। ଏହି ଆଇନ ଅନୁସାରେ କୌଣସି ଅର୍ଥ ଲଗାଣକାରୀ ସ˚ସ୍ଥାର ଅଧିକାରୀ/କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର ଏହା ଚତୁର୍ଥ ଘଟଣା। ପୂର୍ବରୁ ସ୍ବତନ୍ତ୍ର ଅଦାଲତ ଶିରିଡି ସାଇ ଇଷ୍ଟେଟସ୍‌ ପ୍ରାଇଭେଟ ଲିମିଟେଡର ଏମଡି, ଶ୍ରୀଭୂମି ଗ୍ରୁପ୍‌ ଅଫ୍‌ କମ୍ପାନିଜର ଏମ୍‌ଡି ଓ ମାଇକ୍ରୋ ଫାଇନାନ୍ସର ଅଧିକାରୀଙ୍କୁ ଜମାକାରୀଙ୍କୁ ଠକିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡ ପ୍ରଦାନ କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡ଼ାର ନିକିରାଇ ଥାନା ଅନ୍ତର୍ଗତ ମଙ୍ଗଳପୁର ଠାରେ ସିଦ୍ଧ ମହାପୁରୁଷ ମନି ସୋସାଇଟି କାର୍ୟ୍ୟାଳୟ ରହିଥିବା ବେଳେ ସାଧାରଣ ଲୋକଙ୍କ ନିକଟରୁ ବିଭିନ୍ନ ଲୋଭନୀୟ ଯୋଜନାରେ ସୋସାଇଟି ପକ୍ଷରୁ ଅର୍ଥ ସଂଗ୍ରହ କରାଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ମୁତାବକ ଜମାକାରୀମାନଙ୍କୁ ସେମାନଙ୍କ ଜମାଟଙ୍କା ଓ ସୁଧ ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଥିଲା। ଏ ନେଇ ୨୦୧୬ରେ ପ୍ରଥମେ ଜଣେ ଜମାକାରୀ ଗୁରୁଚରଣ ରାଉତ ନିକିରାଇ ଥାନାରେ ସୋସାଇଟି ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଥିଲେ। ଏହାପରେ ୨୦୧୭ରେ ଆଉ ଜଣେ ଜମାକାରୀ ନାରାୟଣ ମଲ୍ଲ ନିକିରାଇ ଥାନାରେ ସୋସାଇଟିରେ ହୋଇଥିବା ଠକେଇ ନେଇ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସିଦ୍ଧ ମହାପୁରୁଷ ମନି ସୋସାଇଟି ନାଁରେ ୪ କୋଟି ଟଙ୍କାରୁ ଅଧିକର ଠକେଇ ହୋଇଥିବା ତଦନ୍ତ ସମୟରେ ସମ୍ମୁଖକୁ ଆସିଥଲା। ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ପରେ ଅଦାଲତରେ ଶୁଣାଣି ସମୟରେ ଅଭିଯୋଗକାରୀ ଜମାକାରୀଙ୍କ ସହିତ ତଦନ୍ତକାରୀ ଅଧିକାରୀ ଓ ଅନ୍ୟ ସ୍ବାଧୀନ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ତଦନ୍ତ ସମୟରେ ଜବତ କରାଯାଇଥିବା ବିଭିନ୍ନ ନଥିପତ୍ର ଦାଖଲ କରାଯାଇଥିଲା। ସ୍ବତନ୍ତ୍ର ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କେତେକ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଥିଲା। ଏହା ପରେ ସ˚ସ୍ଥାର ସ˚ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ବର୍ଷ ସିଦ୍ଧ ମହାପୁରୁଷ ମନି ସୋସାଇଟି ସ୍ଥାବର ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ୍‌ କରିବା ପାଇଁ ମଧ୍ୟ ସ୍ବତନ୍ତ୍ର ଅଦାଲତରେ ଓପିଆଇଡି ଆଇନ ଅନୁସାରେ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଆବେଦନ ଏବେ ବିଚାରାଧୀନ ରହିଛି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ସ୍ପେଶାଲ ପିପି ବିଶ୍ବଜିତ ମହାପାତ୍ର ତାଙ୍କୁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର