ଛତ୍ରପୁର: ହତ୍ୟା, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ଭଳି ପୃଥକ୍ ୬ଟି ମାମଲାରେ ବହୁଦିନ ଧରି ଫେରାର ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଗଞ୍ଜାମ ପୁଲିସ ଜିଲ୍ଲା ସିଆରପିସି ଧାରା ୮୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦାଲତଙ୍କ ନିର୍ଦ୍ଦେଶନାମା ପରେ ଗଞ୍ଜାମ ଏସ୍‌.ପି.ଜଗମୋହନ ମୀନାଙ୍କ ନେତୃତ୍ବରେ ୭ ଜଣ ଫେରାର ଅଭିଯୁକ୍ତଙ୍କ ଅସ୍ଥାବର ସମ୍ପତ୍ତି ଓ ଯାବତୀୟ ସାମଗ୍ରୀକୁ ଜବତ କରାଯାଇଥିଲା। ମୋଟ ୬ଟି ମାମଲାରୁ ୩ଟି ମାମଲାର ୪ ଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ଏସ୍‌.ପି.ଶ୍ରୀ ମୀନା ସୂଚନା ଦେଇଛନ୍ତି।

Advertisment

ପାଟପୁର, କୋଦଳା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଗାଙ୍ଗପୁର ଓ ବେଲଗୁଣ୍ଠା ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ଅସ୍ଥାବର ସମ୍ପତ୍ତି ଓ ସାମଗ୍ରୀ ଜବତ ହୋଇଥିଲା। ପାଟପୁର ଥାନାରେ ୨୦୨୦ ମସିହାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ନିରଞ୍ଜନ ମଣ୍ଡଳ ଫେରାର ଥିବା ବେଳେ ତା’ର ଅସ୍ଥାବର ସମ୍ପତ୍ତିକୁ ପୁଲିସ ଜବତ କରିଥିଲା। ତେବ‌େ ଗତ ୧୮ ତାରିଖରେ ସେ ଆତ୍ମସମର୍ପଣ କରିଛି। ସେହିପରି କୋଦଳା ଥାନାରେ ୨୦୧୭ ମସିହାରେ (କେସ୍ ନମ୍ବର ୧୪୬/୧୭) ଏକ ଗଣ୍ଡ‌ଗୋଳ ମାମଲାରେ ଫେରାର ଥିବା କାବୁଲି ଦାସ ଗତ ୧୩ ତାରିଖ ଓ ବିଶିକେଶନ ଦାସ ଗତ ୧୯ ତାରିଖରେ ଆତ୍ମସମର୍ପଣ କରିଛି। ୨୦୨୨ରେ ବେଲଗୁଣ୍ଠା ଥାନାରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଗତ ୨୫ ତାରିଖରେ ଆତ୍ମସମର୍ପଣ କରିଛି। ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ବାରା ଅପରାଧ ହ୍ରାସ ପାଇବା ସହ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବ ବୋଲି ମତପ୍ରକାଶ ପାଇଛି।