ଅପମିଶ୍ରିତ କରେକ୍ସ୍ କଫ୍ ସିରଫ୍ ନେଇ ଆସୁଥିବା ବେଳେ ଧରାପଡ଼ିଲେ ୭ଜଣ ଯୁବକ

ସମ୍ବଲପୁର: ଅପମିଶ୍ରିତ କରେକ୍ସ୍ କଫ୍ ସିରଫ୍ ଧରି ଆସୁଥିଲେ ପୁଲିସ ହାତରେ ଧରାପଡ଼ିଲେ ୭ଜଣ ଯୁବକ। ସେମାନଙ୍କଠାରୁ ବିପୁଳ ମାତ୍ରାରେ କରେକ୍ସ୍ କଫ୍ ସିରଫ୍ , ତିନିଟି ମୋଟର ସାଇକେଲ୍, ନଗଦ ୩୦ ହଜାର ଟଙ୍କା ଏବଂ ୯ଟି ମୋବାଇଲ୍ ଜବତ କରାଯାଇଥିବାର ଖବର ମିଳିଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ସହରର ଉପକଣ୍ଠରେ ଥିବା ରେମେଡ ଛକରେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ବରଗଡ଼ରୁ ୭ଜଣ ଯୁବକ ତିନିଟି ମୋଟର ସାଇକେଲ୍ ଯୋଗେ କରେକ୍ସ୍ କଫ୍ ସିରଫ୍ ବୋତଲ, ୫ ଲିଟର ଅପମିଶ୍ରିତ କଫସିରଫ୍ ଧରି ସମ୍ବଲପୁର ସହରକୁ ଆସୁଥିଲେ। ଆଗରୁ ଏସଂପର୍କରେ ସମ୍ବଲପୁର ପୁଲିସ ଖବର ପାଇ ସହରର ଉପକଣ୍ଠରେ ଥିବା ରେମେଡ ଛକରେ ସେମାନଙ୍କୁ ଧରିଥିଲେ। ପୁଲିସ୍ ଏହି ମାମଲାରେ ୭ଜଣ ଯୁବକଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଜଣେ କିଙ୍ଗପିନ୍, ୨ଜଣ ବିକ୍ରେତାଏବଂ ୪ଜଣ ମଧ୍ୟସ୍ଥି ଥିବା ଜଣାଯାଇଛି।
ସେମାନଙ୍କଠାରୁ ୬୦୦ ବୋତଲ କରେକ୍ସ୍ କଫ୍ ସିରଫ୍, ୫ ଲିଟର ଅପମିଶ୍ରିତ କଫ୍ ସିରଫ୍, ତିନିଟି ମୋଟର ସାଇକେଲ୍, ନଗଦ ୩୦ ହଜାର ଟଙ୍କା ଏବଂ ୯ଟି ମୋବାଇଲ୍ ଜବତ କରାଯାଇଛି।


ଉଲ୍ଲେଖଯୋଗ୍ୟ, ବେଆଇନ ଭାବେ ଚାଲିଛି କଫ୍ ସିରଫ୍ ବ୍ୟବସାୟ। ଦିନକୁ ଦିନ ଏହି ବ୍ୟବସାୟ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ କାୟା ମେଲୁଥିବା ବେଳେ ଔଷଧ ବାହାନାରେ ଏହାକୁ ନିଶା ଭାବରେ ବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଛି। ବିଭିନ୍ନ କମ୍ପାନିର ନକଲି କଫ୍ ସିରପ୍ ନୟାଗଡ଼ ଜିଲ୍ଲା ସମେତ ଭୁବନେଶ୍ୱର ଏବଂ କଟକ ଅଞ୍ଚଳରୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହା ପଛରେ ଏକ ରାକେଟ୍ କାରବାର କରୁଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର