ଦୁର୍ଘଟଣାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ପୁଲିସକୁ ଆକ୍ରମଣ, ପୁଲିସର ମୃଦୁ ଲାଠି ଚାଳନା, ୭ ଗିରଫ

୧୪ ଘଣ୍ଟା ଧରି କାକିରିଗୁମା-ଦାମନଯୋଡ଼ି ରାସ୍ତା ଅବରୋଧ

ଲକ୍ଷ୍ମୀପୁର/କାକିରିଗୁମା : କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅଞ୍ଚଳରେ ଗତକାଲି ସଂଧ୍ୟାରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରେ ଆକ୍ରମଣ ସହ ୧୪ ଘଣ୍ଟା ଧରି କାକିରିଗୁମା-ଦାମନଯୋଡ଼ି ରାସ୍ତା ଅବରୋଧ କରିଥିଲେ। ରାସ୍ତାକୁ ଅବରୋଧ ମୁକ୍ତ ପାଇଁ ମୃଦୁ ଲାଠି ଚାଳନା କରାଯାଇ ଥିବା ବେଳେ ପୁଲିସ ଉପରେ ଆକ୍ରମଣ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି।

ଘଟଣା ସମ୍ପର୍କରେ ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ବିନ କୁମାର ନାୟକଙ୍କ ସୂଚନା ହେଲା, ସାନନେର୍କା ଗାଁର ଲଳିତ କମାର ଦାମନଯୋଡ଼ିରୁ ଫେରୁଥିବା ବେଳେ ବାରିଗୁଡ଼ା ଛକ ନିକଟରେ ଏଆରଏସ୍ଏସ୍ କଂପାନିର ଏକ ହାଇୱା ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଖବର ପାଇ କାକିରିଗୁମା ଥାନା ଆଇଆଇସି ଉଲ୍ଲାସ ନାୟକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗୋଟିଏ ଗାଡ଼ି କରି ଚିକିତ୍ସା ପାଇଁ ତୁରନ୍ତ ଲଳିତଙ୍କୁ କୋରାପୁଟ ପଠାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଲଳିତଙ୍କ ପରିବାର ଲୋକ ଓ ଗ୍ରାମବାସୀ ଏହାକୁ କେନ୍ଦ୍ର କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଆଇଆଇସି ଏବଂ ଏସ୍ଆଇଙ୍କ ଉପରେ ଗ୍ରାମବାସୀ ଅତର୍କିତ ଆକ୍ରମଣ କରିଥିଲେ। ଅନ୍ୟପଟେ ଲୋକେ ବିଭିନ୍ନ ଦାବି ନେଇ ଦାମନଯୋଡ଼ି-କାକିରିଗୁମା ରାସ୍ତାକୁ ଗତକାଲି ଠାରୁ ଅବରୋଧ କରି ରଖିଥିଲେ। ଆଜି ସକାଳେ ପୁଣି ପୁଲିସ ଟିମ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ତଥାପି ଲୋକେ ନିଜ ଜିଦ୍‌ରେ ଅଟଳ ରହିବାରୁ ପୁଲିସ ବାଧ୍ୟ ହୋଇ ମୃଦୁ ଲାଠିଚାଳନା କରିଥିଲା। ଲୋକେ ଛତ୍ରଭଙ୍ଗ ଦେଇଥିଲେ ଓ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟ ପଟେ ଗତକାଲି ପୁଲିସ ଉପରେ ହୋଇଥିବା ଆକ୍ରମଣ ଆଜି ସକାଳୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଲଳିତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର