ତାଳଦଣ୍ଡା କେନାଲ ପୋଲ ଟେଣ୍ଡରରେ ଅନିୟମିତତା : ଠିକାଦାର, ଯନ୍ତ୍ରୀଙ୍କ ସମେତ ୭ଜଣ ଗିରଫ

କଟକ : ନୂଆବଜାର ତାଳଦଣ୍ଡା କେନାଲ ପୋଲ ନିର୍ମାଣରେ ଅନିୟମିତତା ଓ ସରକାରଙ୍କ ୪୩ ଲକ୍ଷ ୧୬ ହଜାର ୪୪ ଟଙ୍କା ଆତ୍ମସାତ ଘଟଣାରେ ଭିଜିଲାନ୍ସ ଆଜି କଟକ ଆର ଆଣ୍ଡ ବି ଡିଭିଜନ-୨ରେ କାର୍ଯ୍ୟରତ ଓ ବିଭାଗରୁ ଅବସର ନେଇଥିବା ବରିଷ୍ଠ ଅଧିକାରୀଙ୍କ ସମେତ ୭ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ପ୍ରସଂଗରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପରେ କଟକ ଭିଜିଲାନ୍ସ ଥାନାରେ ୨୦୧୯ ଡିସେମ୍ବର ୧୦ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(କ), ଆଇପିସିର ଦଫା ୪୦୯, ୪୨୦, ୪୬୮, ୪୭୧, ୧୨୦-ଖରେ ମାମଲା ରୁଜୁ ହୋଇଥିବାବେଳେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କଟକ ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ଦଳବେହେରା, ସହକାରୀ ଯନ୍ତ୍ରୀ ରବିନାରାୟଣ ସାହୁ, ଡିଭିଜିନାଲ ଆକାଉଣ୍ଟସ୍ ଅଫିସର ଭାବେ ଅବସର ଗ୍ରହଣ କରିଥିବା ଅବନୀକାନ୍ତ ରାଉତ, ସହକାରୀ ଯନ୍ତ୍ରୀ ରଂଜନ କୁମାର ଦେବତା, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୁଧୀର କୁମାର ପଣ୍ଡା, କଟକ ଆର୍ ଆଣ୍ଡ ବି ସର୍କଲର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ବିମଳ ଚନ୍ଦ୍ର ଦାଶ, ଠିକାଦାର ତୃପ୍ତିରଂଜନ ଦେବତାଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଦାଲତ ଅଭିଯୁକ୍ତଙ୍କୁ ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଫଳରେ ସମସ୍ତ ଅଭିଯୁକ୍ତଙ୍କୁ ଆଜି ଚୌଦ୍ବାର ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର