ସେଠ୍‌ଙ୍କୁ ଜୁଆଡ଼ି ସଜାଇଲା ପୁଲିସ୍‌! ଲଜ୍‌ରେ ଚଢ଼ଉ କରି ୭ ଗିରଫ, ୫୮ ଲକ୍ଷ ଜବତ

ବଲାଙ୍ଗୀର/କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ଏକ ଲଜ୍‌ରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ପାଖାପାଖି ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ ପୁଲିସ୍‌ ଜୁଆଡ଼ି କହୁଥିବାବେଳେ ସେମାନେ ସମସ୍ତେ ସେଠ୍‌ (ଇଟାଭାଟି ମାଲିକ) ବୋଲି ସନ୍ଦେହ କରାଯାଉଛି। ପ୍ରକୃତରେ ‌ସେମାନେ ସେଠ୍‌ ହୋଇଥିବେ, ତେବେ କାହିଁକି ଲୁଚାଯାଉଛିଏବଂ ଏହାପଛରେ ପୁଲିସର ଭୂମିକା କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ, ଦାଦନ ଋତୁ ସମୟରେ ପୁଲିସ କରିଥିବା ଚଢ଼ଉରୁ ଏଭଳି କିଛି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଛି।

ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ସହର କଣ୍ଟାବାଞ୍ଜି। ବେପାର ବାଣିଜ୍ୟର କେନ୍ଦ୍ରସ୍ଥଳୀ। ଏସବୁ ସତ୍ତ୍ୱେ ଦାଦନ ଚାଲାଣର ପେଣ୍ଠସ୍ଥଳୀ। ପ୍ରତିବର୍ଷ କଣ୍ଟାବାଞ୍ଜିରେ ମଣିଷ ଚାଲାଣକୁ ନେଇ କୋଟି କୋଟି ଟଙ୍କାର ବେପାର ହୁଏ। କାରଣ କେବଳ ବଲାଙ୍ଗୀର ଜିଲ୍ଲାରୁ ଦୁଇ ଲକ୍ଷ ଲୋକ ଦାଦନ ଯାଆନ୍ତି। ତେଣୁ ଅନ୍ୟବର୍ଷ ଭଳି ଏ ବର୍ଷ ବି ଗଣପର୍ବ ନୂଆଁଖାଇ ପରେ ଆରମ୍ଭ ହେଲାଣି ପାର୍ବଣ ଋତୁ। କିନ୍ତୁ ଏଥର ଟିକିଏ ମଣିଷ ଚାଲାଣ ବେପାରର ଢଙ୍ଗ ବଦଳିଛି। ଦାଦନ ଯିବାର ବହୁ ପୂର୍ବରୁ ବଇନା ନଦେଇ ଏଥର ଜାଗା ଉପରେ ବଇନା ଦେଇ ଚାଲାଣ ହେଉଛନ୍ତି ଶ୍ରମିକ। ତେଣୁ ଗତକାଲି ତେଲେଙ୍ଗାନାରୁ ସାତଜଣ ସେଠ (ଇଟାଭାଟି ମାଲିକ) କଣ୍ଟାବାଞ୍ଜି ଆସି ଅନ୍ନପୂର୍ଣ୍ଣା ଲଜର ରୁମ ନଂ ୫ ଓ ୭ରେ ରହିଥିଲେ। ସ୍ଥାନୀୟ ଦଲାଲ ଓ ସର୍ଦ୍ଦାରଙ୍କ ସହାୟତାରେ ବେଆଇନ ଶ୍ରମିକ ଚାଲାଣ କରିଥାଆନ୍ତେ। କିନ୍ତୁ ଅଧରାତିରେ ରୁମ୍‌ରେ ପହଞ୍ଚିଲା ପୁଲିସ। ସାତ ଜଣଙ୍କୁ ଥାନାକୁ ନେଇଗଲା। ସାଂଗରେ ଥିବା ଟଙ୍କା ବ୍ୟାଗକୁ ବି ଜବତ କଲା। ମିଳିଥିବା ସୂଚନା ଅନୁଯାୟୀ, ଏମାନେ ସାଂଗରେ ନେଇ ଆସିଥିଲେ ୧ କୋଟି ୭ ଲକ୍ଷ ଟଙ୍କା। ଖବର ପାଇ ସକାଳୁ ଥାନାରେ ପହଞ୍ଚିଲେ ଗଣମାଧ୍ୟମ ପ୍ରତିନିଧି। ପାଟି ଥତମତ କରି ଏସ୍‌ଡିପିଓ ହୃଷୀକେଶ ମେହେର କହିଥିଲେ, ଲଜ୍‌ରେ ଚାଲିଥିଲା ଜୁଆ ଖେଳ। ସାତ ଜଣ ଜୁଆଡ଼ିଙ୍କୁ ଧରିଛୁ। ପାଖାପାଖି ୫୦ ଲକ୍ଷ ଟଙ୍କା ଜବତ କରିଛୁ। କିନ୍ତୁ କୌଣସି ଜୁଆଡ଼ିଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିବାକୁ ଦେଇନଥିଲେ।

ପୁଲିସ୍‌ ଓ ଲଜ୍‌ ମାଲିକଙ୍କ କଥାରେ ତା‌ଳମେଳ ନାହିଁ
ବିବାଦ ହେବାରୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ତେବେ, ଲଜ୍‌ର ମାଲିକ ଓ ମ୍ୟାନେଜର ପ୍ରତିକ୍ରିୟା ଘଟଣାକୁ ଭିନ୍ନଦିଗକୁ ନେଇଯାଇଛି। ସେମାନେ କହିଛନ୍ତି, ସାତଜଣ ଯାକ ଶ୍ରମିକ ନେବାକୁ ପ୍ରତିବର୍ଷ ଆସନ୍ତି। ଏଥର ବି ଆସିଥିଲେ। ଆମ ହୋଟେଲରେ ଜୁଆଖେଳ ହୁଏ ନାହିଁ। ଏହାପରେ ଦିନ ୧୨ଟାରେ ଥାନା ପରିସରରେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଏସ୍‌ଡିପିଓ। ବେଆଇନ ଶ୍ରମିକ ଚାଲାଣ ପାଇଁ ଆସିଥିବା ସେଠ୍‌ଙ୍କୁ ଜୁଆଡ଼ି ବୋଲି କହିଥିଲେ। ଏଥିସହିତ, ୫୮ଲକ୍ଷ ୫୨ ହଜାର ୨୫୦ ଟଙ୍କା ଜବତ ହୋଇଥିବା। କିନ୍ତୁ, ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ନଦେଇ ଆଇନ ତା’ ବାଟରେ ଯିବ ବୋଲି କହି ଅଧାରୁ ସାମ୍ବାଦିକ ସମ୍ମିଳନୀରୁ ଉଠି ଚାଲିଯାଇଥିଲେ। କିନ୍ତୁ ପୁଲିସର ଏଭଳି କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ କାଉନସିଲର ଓ ଆଇନଜୀବୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଏ ନେଇ ଗଣମାଧ୍ୟମରେ ଖବର ହେଲା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର। କଣ୍ଟାବାଞ୍ଜିରେ ଅତିରିକ୍ତ ଏସ୍‌ପି ସୁରେଶ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କଣ୍ଟାବାଞ୍ଜି ତହସିଲଦାରଙ୍କ ଉପସ୍ଥିତିରେ ଟଙ୍କା ଗଣତି ହେଲା। ଏସ୍‌ଡିପିଓ ଶ୍ରୀ ମେହେର ଦେଇଥିବା ତଥ୍ୟ ଅନୁଯାୟୀ ୫୮ଲକ୍ଷ ୫୨ହଜାର ୨୫୦ ଟଙ୍କା ଜବତ ହୋଇଥିଲା। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଠାରୁ ଢେର ଅଧିକ ମିଳିଛି।

ସମ୍ବନ୍ଧିତ ଖବର