୨କୋଟିରେ ହନୁମାନ ପଇସା ଡିଲ୍‌ କରି ୭ ଗିରଫ

ମଧ୍ୟସ୍ଥି ଘର ମାଲିକକୁ ଖୋଜୁଛି ପୁଲିସ

ବ୍ରହ୍ମପୁର : ବ୍ରହ୍ମପୁରରେ ହନୁମାନ ପଇସା ଡିଲ୍‌ ନେଇ ବିଶାଳ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ପୁଲିସ। ହନୁମାନ ପଇସା ବିକ୍ରି କରି କୋଟିପତି ହେବା ପାଇଁ ଚାଲିଥିଲା ଯୋଜନା। ୨ କୋଟି ଟଙ୍କାରେ ଡିଲ୍‌ ବି ସରିଥିଲା। ବଡ଼ ବଜାର ଶାନ୍ତିନଗରରେ ଏକ ଘରେ ଏହି କାରବାର ଚାଲିଥିଲା। ଯେଉଁ ଘରେ ଡିଲ୍‌ ଚାଲିଥିଲା ଘର ମାଲିକ ତଥା ମଧ୍ୟସ୍ଥି ହନୁମାନ ପଇସା କିଣିବା ଲୋକଙ୍କୁ ଡାକିବା ପାଇଁ ଯାଇଥିବା ବେଳେ ବଡ଼ ବଜାର ଥାନା ପୁଲିସ ସୂଚନା ପାଇ ଚଢ଼ଉ କରିଥିଲା। ହନୁମାନ ପଇସା ବିକ୍ରି କାରବାର ପଣ୍ଡ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଗିରଫ ଅଭିଯୁକ୍ତମାନେ ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳର ପ୍ରଦୀପ ମହାପାତ୍ର(୪୧), ସୁରେନ୍ଦ୍ର ମେହେର(୩୧) ଓ ଶାସନର ଅନୀଲ କୁସୁମ(୩୪), ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଅଞ୍ଚଳର ଜୟନ୍ତ ପ୍ରଧାନ(୨୧) ଓ ବିଜେନ କୁମାର ବାଗ(୪୦) ଏବଂ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଅକ୍ଷୟ କୁମାର ପାତ୍ର(୩୬) ଓ କେ.ନୂଆଗାଁ ଥାନା ଅନ୍ତର୍ଗତ ବମକୋଇ ଗାଁର ଏସ. ଜୟରାମ ପାତ୍ର(୩୪) ବୋଲି ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। କେସ୍ ନମ୍ବର ୨୨/୨୧ରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଏହି ଘଟଣାରେ ମଧ୍ୟସ୍ଥି ତଥା ଘର ମାଲିକ ସୂର୍ଯ୍ୟ ପାତ୍ର ଫେରାର୍‌ ରହିଛନ୍ତି। ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡ଼ ବଜାର ଥାନା ଅର୍ନ୍ତଗତ ଶାନ୍ତିନଗର ସ୍ଥିତ ସୂର୍ଯ୍ୟ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଡିଲ୍‌ ଚାଲିଥିଲା। ଉପରୋକ୍ତ ୭ଜଣ ଅଭିଯୁକ୍ତ ସେହି ଘରେ ଥିଲେ। ମଧ୍ୟସ୍ଥି ସାଜିଥିବା ସୂର୍ଯ୍ୟ ହନୁମାନ ପଇସା କିଣିବା ଲୋକଙ୍କୁ ଡାକିବାକୁ ଯାଇଥିଲା। ହନୁମାନ ଚିତ୍ର ଥିବା ପୁରୁଣା ପଇସା କାରବାର ଚାଲିଥିବା ‌ନେଇ ବଡ଼ ବଜାର ଥାନା ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ କାଳ ବିଳମ୍ବ ନକରି ସୂର୍ଯ୍ୟଙ୍କ ଘର ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସ ୩ଟି ହନୁମାନ ଚିତ୍ର ଥିବା ପଇସା, ନଗଦ ଦେଢ଼ ଲକ୍ଷ ଟଙ୍କା, ୨ଟି ବାଇକ୍‌, ଚୁମ୍ବକ, ୬ଟି ମୋବାଇଲ୍‌ ଓ ସ୍ପିରିଟ୍‌ ଜବତ କରିଥିଲା। ହନୁମାନ ପଇସା କିଣାବିକା ପାଇଁ ୨ କୋଟି ଟଙ୍କାର ଡିଲ୍‌ ହୋଇଥିଲା ବୋଲି ପୁଲିସ କହିଛି। ଏହି କାରବାରରେ ସମ୍ବଲପୁର, ରାଉରକେଲା ଓ ଗଂଜାମର ୭ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଘର ମାଲିକ ସୂର୍ଯ୍ୟ ଧରାପଡ଼ିବା ପରେ ଏହି ବିଶାଳ ରାକେଟ୍‌ ବାବଦରେ ଅଧିକ ତଥ୍ୟ ପଦାକୁ ଆସିପାରିବ ବୋଲି ବଡ଼ ବଜାର ଥାନା ଅଧିକାରୀ ଭୂପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର