ପାଟଣାଗଡ଼ ଗଣହତ୍ୟା ପଛର କାରଣ ପ୍ରତିଶୋଧ ଓ ପତିଆରା: ୭ ଗିରଫ, ପୁଅ ସହ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ଫେରାର

ବୁଲୁ ଜାନୀଙ୍କ ପରିବାରକୁ ନିଶ୍ଚିହ୍ନ କରିବାକୁ ଷଡ଼ଯନ୍ତ୍ର କରିଥିଲେ ଗଙ୍ଗୁୱା ଓ ବାବୁଲାଲ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସଅଁରାପଡ଼ା ଠାରେ ଘଟିଥିବା ବହୁଚର୍ଚ୍ଚିତ ଗଣହତ୍ୟା ଘଟଣାରେ ପୁଲିସ ୭ ଜଣଙ୍କୁ ପୁଲିସ ଗିରଫ କରିଛି। ବଲାଙ୍ଗୀର ଏସ୍‌ପି ମଡକର ସଂଦୀପ ସଂପତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,  ମୁଖ୍ୟ ଅଭିଯୁକ୍ତ ବାବୁଲାଲ ଜାନୀ (୫୫), ଛାୟା ଗଣ୍ଡ (୨୬), ବଳଦେବ ଗଣ୍ଡ (୨୭), ମନୀଷ ଗଣ୍ଡ (୨୪), ଭୋଳା ଜାନୀ (୨୦) ଶିବ ଜାନୀ (୧୯) ଓ ବିକଳ କାଇରି (୨୦)ଙ୍କୁ ଗିରଫ କରାଯାଇଛି । ତେବେ ଏହି ଗଣହତ୍ୟା ଘଟଣା ସହ ଜଡ଼ିତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ଜାନୀ ଓ ତା’ ପୁଅ ବାବୁଲାଲ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ପି ଶ୍ରୀ ସଂପତ କହିଛନ୍ତି, ୧୦ ବର୍ଷର ପୂର୍ବରୁ ଥିବା ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା। ହତ୍ୟାକାଣ୍ଡର ମୂଳ କାରଣ ଥିଲା ପ୍ରତିଶୋଧ ଓ ପତିଆରା। ଘଟଣା ଦିନ ଅଭିଯୁକ୍ତମାନେ ରାତିରେ ବୁଲୁ ଜାନୀଙ୍କ ଘରକୁ ଆସିଥିଲେ। ସେମାନେ ହାତରେ ବନ୍ଧୁକ ସମେତ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ। ଯଦିଓ ଅଭିଯୁକ୍ତମାନେ ବୁଲୁ ଜାନିଙ୍କୁ ହତ୍ୟା କରିବାକୁ ଆସିଥିଲେ, କିନ୍ତୁ ବୁଲୁର ପୁଅମାନେ ବଡ଼ ହେଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ଭବିଷ୍ୟତରେ କାଳେ ନେବେ ସେହି ଆଶଙ୍କାରେ ପରିବାରର ସମସ୍ତ ୬ ଜଣ (ବୁଲୁ ଜାନୀ, ଜ୍ୟୋତି ଜାନୀ, ଭୀଷ୍ମ ଜାନୀ, ସଂଜୀବ ଜାନୀ, ସାନ୍ତା ଜାନୀ ଓ ଶ୍ରୀୟ ଜାନୀ) ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଯାନବାହନ ଓ ମାରଣାସ୍ତ୍ର ଜବତ କରିଛି।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ସଅଁରାପଡ଼ାରେ  ଜାନୀ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ମୃତ ବୁଲୁ ଜାନୀଙ୍କ ପାଖପଡ଼ୋଶୀ ଗଙ୍ଗୁୱା ମାଝୀ ବୋଲି ପୁଲିସ ଏକପ୍ରକାର ସୂଚନା ପାଇସାରିଥିଲା। ପୁଲିସ ହତ୍ୟା ମାମଲାରେ ଗଙ୍ଗୁୱାଙ୍କ ପରିବାର ସଦସ୍ୟ ଓ ସଂପର୍କୀୟଙ୍କୁ ଆଣି ମାରାଥନ ଜେରା କରିଥିଲା। ମୋଟାମୋଟି ଭାବେ ଏହି ହତ୍ୟାକାଣ୍ଡ ପାଇଁ ପୂର୍ବରୁ ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା।

ସଅଁରାପଡ଼ା ଭିତରେ ପତିଆରା ଜାହିର ପାଇଁ ପଡ଼ୋଶୀ ସହିତ ବୁଲୁଙ୍କ ଗଣ୍ଡଗୋଳ ହେଉଥିଲା। ଆଉ ସେହି ଗଣ୍ଡଗୋଳ ହିଁ ହତ୍ୟାକାଣ୍ଡର ମଞ୍ଜି ପୋତିଥିଲା। ରକ୍ତମୁଖା ହତ୍ୟାକାରୀ ଛୁଆମାନଙ୍କୁ ବି ଛାଡ଼ି ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ମୃତ ବୁଲୁ ଜାନୀ ଓ ଗଙ୍ଗୁୱା ମାଝୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଗଙ୍ଗୁୱାର ଅନୁପସ୍ଥିତିରେ ତାର ଘରର ତାଲା ଭାଙ୍ଗୁଥିଲେ ମୃତ ବୁଲୁ ଜାନୀ। ଆଉ ଏହି ସମୟରେ ଗଙ୍ଗୁୱାଙ୍କ ଜଣେ ପଡ଼ୋଶୀ ମନା କରିଥିଲେ। ଆଉ ତାଲାଭଙ୍ଗା ଘଟଣା ପରେ ଗଙ୍ଗୁୱା ମାଝୀ ପରିବାର ଓ ମୃତ ବୁଲୁ ଜାନୀଙ୍କ ପରିବାର ଭିତରେ ଉଗ୍ରରୂପ ନେଇଥିଲା ଶତ୍ରୁତା। ମୃତ ବୁଲୁ ଜାନୀଙ୍କ ପୁଅଙ୍କ କହିବାନୁସାରେ,  ମୁଖ୍ୟ ଅଭିଯୁକ୍ତ ଗଙ୍ଗୁଆ ମାଝୀ। ଗଙ୍ଗୁୱା ଓ ତାର ପୁଅ ମର୍ଡର ପ୍ଲାନ କରିଛନ୍ତି। ଗଙ୍ଗୁଆ ଓ ସଂପର୍କୀୟମାନେ ସମସ୍ତଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର