ପାଠକଙ୍କ ଗଞ୍ଜାମ ଲିଙ୍କର ଖୋଳତାଡ଼ : ବ୍ରହ୍ମପୁରର ତିନିଟି ବ୍ୟାଙ୍କରେ ୭ଟି ଆକାଉଣ୍ଟ ଓ ଦୁଇଟି ବୀମା ସଂସ୍ଥାରେ ୬ଟି ପଲିସି ଠାବ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କର ବ୍ରହ୍ମପୁର ସହରର ୩ଟି ବ୍ୟାଙ୍କରେ ୭ଟି ଆକାଉଣ୍ଟ ଓ ଦୁଇଟି ବୀମା ସଂସ୍ଥାରେ ୬ଟି ପଲିସି ଥିବା ଜଣାଯାଇଛି। ଉକ୍ତ ବ୍ୟାଙ୍କ ଓ ବୀମା ସଂସ୍ଥାକୁ ସଂପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ର ଅତିରିକ୍ତ ଏସ୍‌‌ପି ଶାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଭୟକାନ୍ତ ପାଠକଙ୍କର ଗଞ୍ଜାମ ଲିଙ୍କର ଖୋଳତାଡ଼ ଗତ ତିନି ଦିନ ଧରି ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଜାରି ରଖିଛି। ଏସ୍‌ଆଇଟିର ୫ଜଣିଆ ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ବ୍ରହ୍ମପୁର ସହରର ବିଭିନ୍ନ ବ୍ୟାଙ୍କ୍‌ ଓ ବୀମା ସଂସ୍ଥାକୁ ଯାଇ ପାଠକଙ୍କ ଆକାଉଣ୍ଟ୍‌ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ସହ ହିସାବ ଖୋଳତାଡ଼ କରିଛନ୍ତି। ପାଞ୍ଚଟି ବ୍ୟାଙ୍କ୍‌ ଓ ୨ଟି ବୀମା କାର୍ଯ୍ୟାଳୟକୁ ପାଠକଙ୍କ ଆକାଉଣ୍ଟ୍‌ ଡିଟେଲ୍‌ ଦେବାକୁ ଗତକାଲି ଏସ୍‌ଆଇଟି ରିକ୍ୟୁଜିସନ୍‌ ଦେଇଥିଲା। ଏହାଛଡ଼ା ବ୍ରହ୍ମପୁରରେ ରହି ଅନ୍ୟାନ୍ୟ ଆୟ ସୂତ୍ରଗୁଡ଼ିକ ସଂପର୍କରେ ଏସ୍‌ଆଇଟି ଖୋଳତାଡ଼ ଜାରି‌ ରଖିବ ବୋଲି ଜଣାପଡ଼ିଛି।

ଭିଜିଲାନ୍ସର ସିନିୟର୍‌ ଡିଏସ୍‌ପି ରଂଜନ କୁମାର ଦାସ ଓ ଡିଏସ୍‌ପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଏସ୍‌ଆଇଟିର ଏକ ଟିମ୍‌ ଗତକାଲି ବ୍ରହ୍ମପୁର ତହସିଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଏବଂ ବଜାଜ୍‌ ଆଲିଏଞ୍ଜ୍‌ ଇନସ୍ୟୁରାନ୍ସ କାର୍ଯ୍ୟାଳୟକୁ ଯାଇ ପାଠ‌କଙ୍କ ବୀମା ପଲିସି ସଂକ୍ରାନ୍ତରେ ତଥ୍ୟ ମାଗିଥିଲେ। ପାଠକ‌ଙ୍କ କେତୋଟି ପଲିସି ରହିଛି, କେତେ ମ୍ୟାଚ୍ୟୁରିଟି ମୂଲ୍ୟର ପଲିସି ଆଦି ଉପରେ ଛାନ୍‌ଭିନ୍‌ କରିଥିଲେ। ଏହା ପରେ ସିଣ୍ଡିକେଟ୍‌ ଓ ଏଚ୍‌‌ଡିଏଫ୍‌ସି ବ୍ୟାଙ୍କ୍‌ ଯାଇଥିଲେ। ଏଥି ସହ ଏସ୍‌ବିଆଇ ବ୍ରହ୍ମପୁର ବଡ଼ ମେଡିକାଲ ଶାଖା, ଆକ୍ସିସ୍‌, ଦେନା ବ୍ୟାଙ୍କକୁ ଏସ୍‌ଆଇଟି ଯାଇ ପାଠକଙ୍କ ଆକାଉଣ୍ଟ୍‌ ଡିଟେଲ୍‌‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ର ଅତିରିକ୍ତ ଏସ୍‌‌ପି ଶାନ୍ତନୁ ପାଢ଼ୀଙ୍କ ନେତୃତ୍ବରେ ଟିମ୍‌ ଖୋଳତାଡ଼ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର