କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ୱାରା ୭ କୋଇଲା ମାଫିଆ ଗିରଫ, ୭ ଟ୍ରକ ଜବତ

ଭୁବନେଶ୍ବର : କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଆଜି ୪ ଜଣ କୋଇଲା ମାଫିଆଙ୍କୁ ଗିରଫ କରିଛି। ସେମାନେ ଦୀର୍ଘ ଦିନ ହେଲା ଅନୁଗୁଳ ଓ ତାଳଚେର ଅଞ୍ଚଳରେ କୋଇଲା ଚୋରା ଚାଲାଣ କରୁଥିଲେ। ଗିରଫ ମାଫିଆମାନେ ହେଲେ, ଅନୁଗୁଳ ଜିଲ୍ଲା କୋଲିଏରି ଥାନା ଅଧୀନ ଘଣ୍ଟପଡ଼ାର ଅଭୟ ସାହୁ, କଲାମଛୁଇଁ ଅଞ୍ଚଳର ସୁନୀଲ କୁମାର ବେହେରା, ଛେଣ୍ଡିପଦାର ସୁଶୀଲ ଭୂତିଆ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ଆମ୍ବପାଳ ଅଞ୍ଚଳର ସାଗର ବେହେରା, ଢେଙ୍କନାଳ ଜିଲ୍ଲା ତୁମୁସିଙ୍ଗ ଅଞ୍ଚଳର ରାଜେଶ ସାହୁ, ପରଜଙ୍ଗର ପଶୁର୍ରାମ ଦେହୁରୀ ଓ ବିଭୁତି ଭୂଷଣ ବେହେରା । ଏମାନଙ୍କ ନିକଟରୁ ପୁଲିସ ୭ଟି କୋଇଲା ଭର୍ତି ଟ୍ରକ୍‌ ଜବତ କରିଛି। ଆସନ୍ତାକାଲି ସମସ୍ତଙ୍କୁ ତାଳଚେର କୋର୍ଟ ଚାଲାଣ କରାଯିବ।

ଏସଟିଏଫ୍‌ ଏସ୍‌.ପି ରାହୁଲ ପିଆରଙ୍କ ସୂଚନା ମୁତାବକ, ଦୀର୍ଘ ଦିନ ଧରି ଏହି ରୢାକେଟ୍‌ ଅନୁଗୁଳ ଜିଲ୍ଲାରୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ଚୋରାରେ କୋଇଲା ପଠାଉଥିଲା। ଏହାଛଡ଼ା ଏମାନେ ସେଠାରେ ମାରଣାସ୍ତ୍ର ଦେଖାଇ ଦାଦାବଟି ମଧ୍ୟ ଆଦାୟ କରୁଥିଲେ। ତାଳଚେର ଅଞ୍ଚଳରେ ଆଜି ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ଉ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ପୂର୍ବରୁ ମଧ୍ୟ ଏମାନଙ୍କର ୩ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ସେମାନଙ୍କଠାରୁ ସୂଚନା ପାଇବା ପରେ ଆଜି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ଏସପି ଶ୍ରୀ ପିଆର୍‌ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର