ଅନୁଗୁଳ : ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମାନସିକ ନିର୍ଯାତନା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଦିନତମାମ୍ ଖଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦାବିରେ ସହକର୍ମୀମାନେ ଶବ ରଖି ଧାରଣା ଦେଇଥିଲେ। ଆନ୍ଦୋଳନ ଯୋଗୁ ତାଳଚେରର ୭ଟି କୋଇଲା ଖଣି ବନ୍ଦ ରହିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ଡେରା ଗାଁର ଲୋଚନ ପ୍ରଧାନ (୪୪) ଏମ୍ସିଏଲର୍ ଭୁବନେଶ୍ୱରୀ କୋଇଲା ଖଣି ୧ ଓ ୨ ନମ୍ବର ସାଇଡିଂରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ସେ ଖଣିରେ କାମ କରୁଥିବା ବେଳେ ତାଙ୍କ ନାକରୁ ରକ୍ତ ବହିବାରୁ ସହକର୍ମୀମାନେ ତାଙ୍କୁ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଡେରା ସରପଞ୍ଚ ରଶ୍ମିତା ପ୍ରଧାନ, ରାଜେଶ ଦାସ, ବବ୍ରୁ ପ୍ରଧାନ, ମନୋଜ ସାହୁଙ୍କ ନେତୃତ୍ୱରେ ମୃତକଙ୍କ ସଂପର୍କୀୟ ଓ ସହକର୍ମୀମାନେ ଗତକାଲି ରାତିରୁ ଭୁବନେଶ୍ୱରୀ ଖଣି ସାଇଡିଂ ଅଞ୍ଚଳରେ ଶବ ରଖି ଧାରଣା ଦେଇଥିଲେ। ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଓ ପରିବାରକୁ କ୍ଷତିପୂରଣ ଦେବା ଲାଗି ସେମାନେ ଦାବି କରିଛନ୍ତି। ଆଜି ମଧ୍ୟାହ୍ନରେ ଏମ୍ସିଏଲ୍, ପ୍ରଶାସନିକ ଅଧିକାରୀ ଓ ଆନ୍ଦୋଳନକାରୀଙ୍କ ପ୍ରତିନିଧି ଏ ସଂପର୍କରେ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନଥିଲା। ପରେ ସହକର୍ମୀମାନେ ଭୁବନେଶ୍ୱରୀ, ଜଗନ୍ନାଥ, ଲିଙ୍ଗରାଜ, ଅନନ୍ତ, ଭରତପୁର, ବଳରାମ ଓ ହିଙ୍ଗୁଳା ଖଣି ଅଞ୍ଚଳରେ ଧାରଣାରେ ବସିଥିଲେ। ଆନ୍ଦୋଳନ ଯୋଗୁ ଖଣିଗୁଡ଼ିକରେ କୋଇଲା ଉତ୍ପାଦନ ଓ ପରିବହନ ବନ୍ଦ ରହିଛି। କମ୍ପାନିର କେତେକ ବରିଷ୍ଠ କର୍ମଚାରୀ ମାନସିକ ନିର୍ଯାତନା ଦେବାରୁ ଲୋଚନଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପୁଅ ପଙ୍କଜ ପ୍ରଧାନ କଲିୟରୀ ଥାନାରେ ଅଭିଯୋଗ କରିଛନ୍ତି।