ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ୭କୋଟି ଟଙ୍କାର ସମ୍ପତ୍ତି ଠାବ, ଆଜି ଭିଜିଲାନ୍ସ ବିଭାଗ କରିଛି ଚଢ଼ଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବ୍ରହ୍ମପୁର ରୁରାଲ୍‌ ୱାର୍କସ୍‌(ଇଲେକ୍‌ଟ୍ରିକାଲ୍‌) ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୫ଟି ଟିମ୍‌ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଯାଞ୍ଚରେ ନିର୍ବାହୀ ଯନ୍ତ୍ରୀ ସେଠୀଙ୍କ ନାମରେ ୭କୋଟି ଟଙ୍କାର ସମ୍ପତ୍ତି ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ସମ୍ପତ୍ତି ତାଲିକା ମଧ୍ୟରେ ୩ଟି କୋଠା, ୧୨ଟି ପ୍ଲଟ୍‌, ୨ଟି ଏସ୍‌ୟୁଭି(ସ୍ପୋଟର୍ସ ୟୁଟିଲିଟି ଭେଇକିଲ୍‌) ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି।

ନିର୍ବାହୀ ଯନ୍ତ୍ରୀ ସେଠୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍‌ ଆଜି ସକାଳୁ ୫ଟି ସ୍ଥାନରେ ଚଢ଼ଉ କରିଛି। ବ୍ରହ୍ମପୁର ଗଜପତିନଗର ୧୧ମ ଲାଇନ୍‌ରେ ଥିବା ୫ମହଲା କୋଠା, ଭୁବନେଶ୍ବର ଏମ୍‌ସ ନଗର ତୃତୀୟ ଲାଇନ୍‌ରେ ଥିବା ୪ମହଲା ଘର, ଗଜପତିନଗର ଅଷ୍ଟମ ଲାଇନ୍‌ରେ ଥିବା ୪ମହଲା ଘର, ଛତ୍ରପୁର ଥାନା ପୁତବଗଡ଼ ସ୍ଥିତ ପୈତୃକ ଘର ଓ ଆମ୍ବପୁଆ ସ୍ଥିତ ଅଫିସ୍‌ରେ ଚଢ଼ଉ କରାଯାଇଛି। ଜଣେ ଏଏସ୍‌ପି, ୪ଜଣ ଡିଏସ୍‌ପି, ୧୦ଜଣ ଇନ୍‌‌ସ୍ପେକ୍ଟର୍‌ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୫ଟି ଟିମ୍‌ ଚଢ଼ଉ କରିଥିଲା।

ଭିଜିଲାନ୍ସ ବିଭାଗର ଆକଳନ ଅନୁସାରେ ଗଜପତିନଗର ୧୧ମ ଲାଇନ୍‌ରେ ଥିବା ଘର ୧କୋଟି ୬୮ଲକ୍ଷ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ଘର ଦେଢ଼କୋଟି, ଗଜପତିନଗର ଅଷ୍ଟମ ଲାଇନ୍‌ରେ ଥିବା ଘର ୯୦ଲକ୍ଷ ଓ ପୁତପଗଡ଼ରେ ଥିବା ଗୋଟିଏ ମହଲାର ଘର ୯ଲକ୍ଷ ୫୩ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ସେହିପରି ବ୍ରହ୍ମପୁର, ଭୁବନେଶ୍ବର ଓ ଜଟଣୀରେ ଥିବା ୧୨ଟି ପ୍ଲଟ୍‌ର ମୂଲ୍ୟ ୧କୋଟି ୩୪ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ସେହିପରି ୮୫ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଥିବା ବେଳେ ୨୫ଲକ୍ଷ ଟଙ୍କାର ଦୁଇଟି ଏସ୍‌ୟୁଭି ରହିଛି। ୨ଲକ୍ଷ ୭୭ହଜାର ଟଙ୍କାର ୩ଟି ଦୁଇଚକିଆ ଗାଡ଼ି ରହିଛି। ଏହା ସହିତ ତାଙ୍କର ଘରୁ ମୋଟ ୧୯ଲକ୍ଷ ୮୮ହଜାର ୭୯୦ଟଙ୍କା ଜବତ କରାଯାଇଛି। ଯାଞ୍ଚ ଚାଲିଥିବାରୁ ସମ୍ପତ୍ତି ତାଲିକା ଆହୁରି ବଢ଼ିବ ବୋଲି ଭିଜିଲାନ୍ସ ବିଭାଗ ତରଫରୁ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର