ମାଲକାନଗିରିରୁ ୟୁପିକୁ ଗଞ୍ଜେଇ ଚାଲାଣ, ସିଆଇଏସ୍‌ଏଫ୍‌ ଯବାନଙ୍କ ସମେତ ୭ ଗିରଫ

ଜୟପୁର: ଜୟପୁର ଉପଖଣ୍ଡ ଅନ୍ତର୍ଗତ ତିନିଟି ଥାନାରେ ପୃଥକ ପୃଥକ ଗଞ୍ଜେଇ ଚୋରା ଚାଲାଣ ବେଳେ ୭ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ଘଟଣାସ୍ଥଳରୁ ୩ଜଣ ଚମ୍ପଟ ମାରିଛନ୍ତି। ଆଜି ସକାଳେ ଜାତୀୟ ରାଜପଥର ପଣସପୁଟ ବାଗ୍ରା ଛକରେ ଜୟପୁର ପୁଲିସ ଏକ ହୁଣ୍ଡାଇ ଏକ୍‌ସେଣ୍ଟ (ୟୁପି ୬୭ ଡବ୍ଲ୍ୟୁ ୪୮୪୨) କାର୍‌କୁ ଯାଞ୍ଚ ବେ‌ଳେ ୭୨ କେଜି ଗଂଜେଇ ଜବତ କରିଥିଲା। ଏହି ଚୋରା ଚାଲାଣ ଗ୍ୟାଙ୍ଗ୍‌ର ମୁଖ୍ୟ ଥିଲେ ସିଆଇଏସ୍‌ଏଫ୍‌ ଯବାନ ବୀରେନ୍ଦ୍ର ଯାଦବ। ସେ ଗତ କିଛିଦିନ ତଳେ ଛୁଟି ନେଇ ଘରକୁ ଆସିଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ ପାଇଁ ମାଲକାନଗିରି ଆସିଥିଲେ ବୋଲି ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ତାଙ୍କ ସହ ଗଣେଶ ସିଂହ (୫୦) ଓ ସୁନୀଲ କୁମାର କେଶରୀ (୨୭)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି।

ସେହିପରି ବୈପାରିଗୁଡା ପୁଲିସ ଏକ କାର୍‌ରୁ ୫୮ କେଜି ଗଂଜେଇ ଜବତ କରିବା ସହ ସନ୍ତୋଷ ଯାଦବ (୨୮) ଓ ସତୀଶ ସିଂହ (୪୩)ଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ମଧ୍ୟ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।ଅନ୍ୟପକ୍ଷରେ ବୋରିଗୁମ୍ମା ପୁଲିସ ଏକ ନମ୍ବର ବିହୀନ ହୋଣ୍ଡା ସିବି ସାଇନରେ ୪୦ କେଜି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଦୁଇଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଉତ୍ତରପ୍ରଦେଶ ଗାଜିଆବାଦର ମନୋଜ କୁମାର ସିସୋଡିଆ (୩୫) ଓ ଆବକର ଖାନ୍ (୩୮)।

ସମ୍ବନ୍ଧିତ ଖବର