୭ ଡ୍ୟାମ୍‌ ଶୁଖିଲା: ଗଞ୍ଜାମରେ ଜୁନ୍‌ରେ ସ୍ବାଭାବିକ ବର୍ଷା ପରିମାଣ ୧୬୮ମିମି, ହେଲାଣି ୯୬ମିମି

ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବରୁ ଗଞ୍ଜାମ ଜିଲ୍ଲାରେ ମୌସୁମୀର ଅନିୟମିତତା ସହ ବର୍ଷା ପରିମାଣ ହ୍ରାସ ପାଉଛି। ଚଳିତ ବର୍ଷ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। କିନ୍ତୁ ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇପାରୁନି। ଫଳରେ ପାଣି ଅଭାବରୁ ଜିଲ୍ଲାର ୭ଟି ଡ୍ୟାମ୍‌ ଶୁଖିଲା ପଡ଼ିଛି। ଗଞ୍ଜାମରେ ଜୁନ୍‌ ମାସରେ ହାରାହାରି ୧୬୮.୭ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ଜୁନ୍‌ରେ ବର୍ତ୍ତମାନ ସୁଦ୍ଧା ମାତ୍ର ୯୬.୧୯ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ସରିବାକୁ ବସିଥିବା ବେଳେ ନିଅଣ୍ଟିଆ ବର୍ଷା ବର୍ତ୍ତମାନ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼, ବାଘଲଟି ଓ ବାଘୁଆ ଡ୍ୟାମ୍‌ ପୂରା ଶୁଖିଯାଇଛି। ଅନ୍ୟ ୪ଟି ଡ୍ୟାମ୍‌ରେ ଅଳ୍ପ ପାଣି ରହିଛି। ଆଗକୁ ବର୍ଷା ନହେଲେ ସ୍ଥିତି ଆହୁରି ସଙ୍ଗିନ ହେବ।

ଜିଲ୍ଲାରେ ଚଳିତ ଖରିଫ ଚାଷ ପାଇଁ ଟାର୍ଗେଟ ଧାର୍ଯ୍ୟ ହୋଇ ନାହିଁ। ବର୍ଷା ନଥିବାରୁ ଚାଷୀ ଚାଷ କାମ ଆରମ୍ଭ କରିପାରୁ ନାହାନ୍ତି। ପାଣି ଅଭାବରୁ ତଳି ପକାଇ ପାରୁ ନଥିବା ବେଳେ ବିହନ ନେବାକୁ ଚାଷୀ ଅମଙ୍ଗ ହେଉଛନ୍ତି। ବର୍ଷାକୁ ସମସ୍ତେ ଅନେଇ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଆବଶ୍ୟକ ଜଳସେଚନ ସୁବିଧା ନଥିବାରୁ ବର୍ଷା ଉପରେ ଚାଷୀ ଭରସା କରିଥାନ୍ତି। ବର୍ଷା ଅଭାବରୁ ଡ୍ୟାମ୍‌ଗୁଡ଼ିକ ଶୁଖି ଯାଇଥିବାରୁ ପାଣି ଯୋଗାଣ ସମ୍ଭବ ହୋଇପାରୁ ନାହିଁ। ଏବେ ଭଞ୍ଜନଗର ଡ୍ୟାମ୍‌ରେ ୨୮.୨୭ ପ୍ରତିଶତ ଓ ସୋରଡ଼ା ଡ୍ୟାମ୍‌ରେ ୧୬.୦୪ ପ୍ରତିଶତ ପାଣି ରହିଛି। ସେହି ଭଳି ଡହ ଡ୍ୟାମ୍‌ରେ ୨୨.୫୫ ପ୍ରତିଶତ, ଘୋଡ଼ାହାଡ଼ ଡ୍ୟାମ୍‌ରେ ୩.୪୯ ପ୍ରତିଶତ, ଧନେଇ ଡ୍ୟାମ୍‌ରେ ୨୪.୦୮ ପ୍ରତିଶତ, ବାଘୁଆ ଡ୍ୟାମ୍‌ରେ ୧୨.୯୨ ପ୍ରତିଶତ ଓ ବାଘଲଟି ଡ୍ୟାମ୍‌ରେ ୪.୨୪ ପ୍ରତିଶତ ପାଣି ରହିଛି। ଆଗକୁ ବର୍ଷା ନହେଲେ ପାଣିର ଘୋର ସଂକଟ ଦେଖାଦେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର