ବ୍ରହ୍ମପୁର : କରୋନା ଯୁଦ୍ଧରେ ଜୀବନ ହାରିଥିଲେ କୋଭିଡ୍‌ ଯୋଦ୍ଧା ମା’। ଛାଡ଼ି ଯାଇଥିଲେ ଦୁଇ ଦିନର ନବଜାତ ଶିଶୁକନ୍ୟାକୁ। ଶିଶୁଟି ମଧ୍ୟ କୋଭିଡ୍‌ ପଜିଟିଭ୍‌ ଥିବା ବେଳେ ବଞ୍ଚିବା ପାଇଁ ଏମ୍‌କେସିଜି ମେଡିକାଲ କୋଭିଡ୍‌ ହସ୍ପିଟାଲ୍‌ରେ ସଂଘର୍ଷ ଜାରି ରଖିଥିଲା। ଶେଷର ଏହି ସଂଗ୍ରାମରେ ଶିଶୁଟି ବିଜୟୀ ହୋଇଛି। କରୋନାରୁ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିବା ପରେ ୭ ଦିନର ଶିଶୁକୁ ଡିସ୍‌ଚାର୍ଜ କରା ଯାଇଥିବା ଏମ୍‌କେସିଜି ମେଡିକାଲ ଶିଶୁରୋଗ ବିଭାଗ ବରିଷ୍ଠ ବିଶେଷଜ୍ଞ ଡା. ସୁନୀଲ ଅଗ୍ରୱାଲ୍‌ କହିଛନ୍ତି। ଶିଶୁଟି ବର୍ତ୍ତମାନ ତାଙ୍କ ବାପା କେ. ହରିକୃଷ୍ଣ ଓ ଆଇଙ୍କ ହେପାଜତରେ ରହିଛି। ଶିଶୁଟିର ଅବସ୍ଥା ଭଲ ରହିଛି ବୋଲି କହିଛନ୍ତି ଡା. ଅଗ୍ରୱାଲ୍‌।

Advertisment

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ ପଦରବାଲି ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ ଦୀପ୍ତିମୟୀ ଦେବୀ। ସେ ଗର୍ଭବତୀ ଥିବା ବେଳେ କରୋନାରେ ସଂକ୍ରମିତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସୁରକ୍ଷିତ ପ୍ରସବ କରାଯାଇଥିଲା। ଗତ ଶନିବାର ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। କିନ୍ତୁ ଏହା ପରେ କରୋନା ଯୋଗୁଁ ଦୀପ୍ତିମୟୀଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାକୁ ଲାଗିଥିଲା। ଗତ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ୨୪ ଘଣ୍ଟା ପରେ ନବଜାତ ଶିଶୁର କରୋନା ପରୀକ୍ଷା କରା ଯାଇଥିବା ବେଳେ ତା’ର ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ଏଣୁ ଶିଶୁ ବିଭାଗ ଡାକ୍ତରଙ୍କ ତତ୍ତ୍ବାବଧାନରେ କୋଭିଡ୍‌ ହସ୍ପିଟାଲ୍‌ରେ ଶିଶୁଟି ଡା. ଅଗ୍ରୱାଲ୍‌ଙ୍କ ଅଧୀନରେ ଚିକିତ୍ସାଧୀନ ଥିଲା। ଶିଶୁର ଓଜନ ୨ କେଜି ରହିଥିଲା। ଚିକିତ୍ସା ପରେ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲା। ଗତକାଲି ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଡିସ୍‌ଚାର୍ଜ କରା ଯାଇଥିବା ଡା. ଅଗ୍ରୱାଲ୍‌ କହିଛନ୍ତି। ଦୀପ୍ତୀମୟୀଙ୍କ ୪ ବର୍ଷର ବଡ଼ ଝିଅ ଅଛି। ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଭୟ ଝିଅଙ୍କ ଅବସ୍ଥା ବୁଝିବା ସହ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସାନଝିଅ ସୁସ୍ଥ ଥିବା ଗଜପତିନଗର ନିବାସୀ ତଥା ବାପା ହରିକୃଷ୍ଣ କହିଛନ୍ତି।

ପୂର୍ବରୁ ଏମ୍‌କେସିଜି ମେଡିକାଲରେ ଦୁଇଜଣ କୋଭିଡ୍‌ ସଂକ୍ରମିତ ନବଜାତ ଶିଶୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏଣୁ ଏହି ଶିଶୁକୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍‌ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିଲେ। ଶେଷର ମା’ ଛେଉଣ୍ଡ ଶିଶୁକନ୍ୟାକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ଡାକ୍ତରୀ ଟିମ୍‌ ସଫଳ ହୋଇଛନ୍ତି।