୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର: ୭ଦିନ ବାଧ୍ୟତାମୂଳକ ଗୃହ ପୃଥକବାସ ଲାଗୁ

ଭୁବନେଶ୍ବର:  କରୋନା ସଂକ୍ରମଣ ରୋକିବା ଲାଗି ୫ଟି ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାର କଡ଼ା କଟକଣା ଲଗାଇଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଫେରନ୍ତା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟରେ ପରୀକ୍ଷା କରିବା ଲାଗି କୁହାଯାଇଛି। ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏହି ୫ ରାଜ୍ୟ ଫେରାନ୍ତଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକବାସ ଲାଗୁ କରିଛନ୍ତି। କିନ୍ତୁ କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ଗୃହ ପୃଥକବାସ ଜରୁରୀ ନୁହେଁ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ ଓ ନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ପୂର୍ବରୁ ରାଜ୍ୟ ସରକାର ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ର ଫେରନ୍ତାଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରିବା ଲାଗି କୁହାଯାଇଥିଲା। ମାତ୍ର ପରେ ଏହାକୁ ୫ ରାଜ୍ୟ ଫେରନ୍ତାଙ୍କ ଭିତରେ ସୀମିତ ରଖାଯାଇଥିଲା।

ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏହି ୧୨ ରାଜ୍ୟ ଫେରନ୍ତାଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକବାସ ଲାଗୁ କରିଥିଲେ। ଆର୍ଟି-ପିସିଆର୍ ନମୁନା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ କୋଭିଡ୍ ଚିକିତ୍ସା ପ୍ରୋଟୋକଲ୍ ଅନୁସାରେ ଚିକିତ୍ସା କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଜିଲ୍ଲାସ୍ତରରେ ଆର୍ଟି-ପିସିଆର୍ ନମୁନା ପରୀକ୍ଷା ବଢ଼ାଇବା ଓ କରୋନା ସଚେତନତା କାର୍ଯ୍ୟକ୍ରମକୁ ମିସନ୍ ମୋଡ୍ରେ ଆଗେଇନେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର