ଥରକେ ଜଳିଲା ୭ ଜୁଇ, ବଡ଼ଧରା ଗାଁରେ ଶୋକାକୁଳ ପରିବେଶ

ସମ୍ବଲପୁର/ରେଙ୍ଗାଲି/ବୁର୍ଲା/ଝାରସୁଗୁଡା: ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଗାଁରେ ପହଞ୍ଚିଥିଲା ସମସ୍ତ ୭ ମୃତକଙ୍କ ଶବ। ବୁର୍ଲାରୁ ଶବ ବ୍ୟବଚ୍ଛେଦ ‌ହୋଇ ବାହାରିବା ପରଠାରୁ ଗାଁ ଦାଣ୍ଡରେ ଲୋକେ ଶବ ଆସିବାକୁ ଅପେକ୍ଷା କରି ରହିଥିଲେ। ୪ଟି ଗାଡ଼ିରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲେ। ମୃତକଙ୍କ ଶବଗୁଡ଼ିକୁ ନିଜ ନିଜ ଘରେ କିଛି ସମୟ ପାଇଁ ରଖାଯିବା ପରେ ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଶ୍ମଶାନକୁ ନିଆଯାଇଥିଲା। ଗୋଟିଏ ସ୍ଥାନରେ କିଛିକିଛି ଦୂରରେ ସଜା ହୋଇଥିଲା ୭ ଜୁଇ। ଆବଶ୍ୟକ ବିଧି ପାଳନ ପରେ ଜଳି ଉଠିଥିଲା ଜୁଇ ସହ ଜଳି ଉଠିଥିଲା ଶାନ୍ତ ପଡ଼ି ଯାଇଥିବା ୭ ଶରୀର। ନିଆଁରେ ମିଳେଇ ଯାଇଥିଲା ଏହି ଗାଁରେ ଜନ୍ମ ହୋଇ ବଢ଼ିଥିବା ୭ ଯୁବକଙ୍କ ମର ଶରୀର। ଆତ୍ମୀୟ ସ୍ବଜନଙ୍କ ବୁକୁଫଟା କାନ୍ଦରେ ଫାଟି ପଡ଼ୁଥିଲା ସ୍ତବ୍ଧ ରହୁଥିବା ମଶାଣିପଦା। ଜୁଇରେ ଶବ ରଖିବା ବେଳକୁ ନିଜେ ଭୂଇଁରେ ଲୋଟି ଯାଉଥିଲେ ପରିବାର ଲୋକେ। ଶ୍ମଶାନରେ ଉପସ୍ଥିତ ଶହଶହ ଗ୍ରାମବାସୀଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଆଖିରୁ ବି ଝରି ପଡ଼ୁଥିଲା ଲୁହର ଧାର। କିଛି ଘଣ୍ଟା ପୂର୍ବରୁ ହସଖୁସିରେ ବରଯାତ୍ରୀ ଯାଇଥିବା ଏହି ୭ ଯୁବକ ନେଉଥିଲେ ନିଜ ପ୍ରିୟଜନଙ୍କଠାରୁ ଚିର ବିଦାୟ।

ଭାଇ ହରେଇଲେ ଉପଜିଲ୍ଲାପାଳ

ଗୁରୁବାର ରାତିରେ ହୋଇଥିବା ଦୁର୍ଘଟଣାରେ ବଡ଼ଧରା ଗାଁର ଦିବ୍ୟ ଲୁହାଙ୍କ ମୃତ୍ୟୁ ହୋଇଛି। ଦିବ୍ୟ ହେଉଛନ୍ତି ବରଗଡ଼ ଉପଜିଲ୍ଲାପାଳ ଲଲାଟ ଲୁହାଙ୍କ ସାନଭାଇ। ଦିବ୍ୟଙ୍କ ଦେହାନ୍ତ ଖବର ଶୁଣି ଅତାବିରା ଏନ୍‌ଏସି ନିର୍ବାଚନରେ ରିଟର୍ନିଂ ଅଫିସର ଦାୟିତ୍ବରେ ଥିବା ଶ୍ରୀ ଲୁହା ବି ଗାଁରେ ପହଞ୍ଚିଥିଲେ। ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ଲାଗି ରହିଥିବାବେଳେ ଭାଇର ଶବକୁ କାନ୍ଧେଇ ନେଇଥିଲେ ଉପଜିଲ୍ଲାପାଳ ଶ୍ରୀ ଲୁହା। ଶ୍ରୀ ଲୁହାଙ୍କ ପୁଅ କମଳେଶ କାକା ଦିବ୍ୟଙ୍କୁ ମୁଖାଗ୍ନି ଦେଇଥିଲେ।

ସରୋଜଙ୍କୁ ମୁଖାଗ୍ନି ଦେଲା ୪ ବର୍ଷର ପୁଅ

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୭ ଯୁବକଙ୍କ ମଧ୍ୟରୁ ଏକମାତ୍ର ବିବାହିତ ବ୍ୟକ୍ତି ଥିଲେ ସରୋଜ ସେଠ୍। ବଡ଼ଧରା ଗାଁର ଦୁକାଲୁ ସେଠ୍‌ଙ୍କ ପୁଅ ସରୋଜ ରାଜମିସ୍ତ୍ରି କାମ କରୁଥିଲେ। ତାଙ୍କର ପତ୍ନୀ, ୭ ବର୍ଷର ଓ ୪ ବର୍ଷର ପୁଅ ଅଛନ୍ତି। ସରୋଜଙ୍କ ମୃତ୍ୟୁରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଆଜି ଜଳଭଣ୍ଡାର କୂଳରେ ଥିବା ଶ୍ମଶାନରେ ସରୋଜଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କ ୪ ବର୍ଷର ସାନ ପୁଅ ମୁଖାଗ୍ନି ଦେବା ଦୃଶ୍ୟ ସମସ୍ତଙ୍କୁ ବେଶ୍‌ ବିଚଳିତ କରିଥିଲା। କିଛି ବୁଝିପାରୁ ନଥିବା ଅବୋଧ ଶିଶୁକୁ ସଂପର୍କୀୟମାନେ କାଖେଇ ଦାହସଂସ୍କାର ବିଧି ସମ୍ପନ୍ନ କରିଥିଲେ। ତାଙ୍କ ୭ ବର୍ଷର ବଡ଼ପୁଅକୁ କାଳେ ଏହି ଘଟଣା ମାନସିକ ଆଘାତ ଦେବ ସେଥି ପାଇଁ ତାକୁ ପରିବାର ଲୋକେ ଘରେ ଲୁଚାଇ ରଖିଥିଲେ ଓ ଘଟଣା ସଂପର୍କରେ ଜଣାଇ ନଥିଲେ।

ରିସେପ୍ସନ ଷ୍ଟେଜ, ଭୋଜି ଟେବୁଲ୍‌ ଖାଁ ଖାଁ

ବାହାଘର ସରିଥିଲା। ବରକନ୍ୟାକୁ ନେଇ ବରଯାତ୍ରୀ ଗାଁକୁ ଫେରିବା ପରେ ଜମିଥାନ୍ତା ଉତ୍ସବ। ହୋଇଥାନ୍ତା ଭୋଜିଭାତ। ସେଥିପାଇଁ ଗତକାଲିଠାରୁ ସବୁକିଛି ପ୍ରସ୍ତୁତି ସରିଥିଲା। ରିସେପ୍ସନ ପାଇଁ ଷ୍ଟେଜ୍‌ ତିଆରି ସରିଥିବା ବେଳେ ଭୋଜିଭାତ ପାଇଁ ବି ଟେବୁଲ ଲାଗି ସାରିଥିଲା। ହେଲେ, ବିଧିର ବିଧାନ କିଛି ଭିନ୍ନ ଥିଲା। ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଏକାବେଳକେ ୭ ଜଣଙ୍କର ମୃତ୍ୟୁ ହେବା ପରେ ଭୋଜି ବାତିଲ ହୋଇ ଯାଇଥିଲା। ଅଲୋଡ଼ା ହୋଇ ପଡ଼ିଥିଲା ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିବାହ ମଞ୍ଚ ଓ ଭୋଜି ଟେବୁଲ୍‌।

ଲୋକାରଣ୍ୟ ହେଲା ଶବଯାତ୍ରା

ଗାଁକୁ ଏକାବେଳକେ ୭ଜଣଙ୍କ ଶବ ଫେରୁଥିବା ଘଟଣା ଜଣାପଡ଼ିବା ପରେ ସ୍ତବ୍ଧ ହୋଇଯାଇଥିଲେ ଲୋକେ। ସକାଳୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦିନ ୧୨ଟାରୁ ଗାଁ ଦାଣ୍ଡରେ ବିଭିନ୍ନ ସ୍ଥାନରେ ଲୋକେ ଜମା ହୋଇ ରହିଥିଲେ। ସେପଟେ, ଶବଯାତ୍ରାରେ ଉକ୍ତ ଗାଁ ସହ ଆଖପାଖ ଗାଁର ଲୋକେ ସାମିଲ୍‌ ହୋଇଥିବା ଦୃଶ୍ୟ ଦେଖିବ‌ାକୁ ମିଳିଥିଲା। ଗାଁରେ ପୁଅମାନଙ୍କୁ ଶେଷଥର ପାଇଁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ମୂର୍ଚ୍ଛା ହୋଇଯାଇଥିଲେ ପରିବାର ଲୋକେ…

ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୭ଜଣଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସେମାନଙ୍କ ଘରଗୁଡ଼ିକ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଘର ଭିତରକୁ ଶବ ନେବାବେଳକୁ ପରିବାର ଲୋକେ କାନ୍ଦିକାନ୍ଦି ମୂର୍ଚ୍ଛା ହୋଇଯାଉଥିବା ଦେଖିବାକୁ ମିଳିଥିଲା। କେବଳ ଯେ ସେତିକି ନୁହେଁ କିଏ ଭାଇକୁ ତ ଆଉ କିଏ ପୁଅକୁ ମୁଖାଗ୍ନି ଦେଇସାରିବା ପରେ ଶ୍ମଶାନରେ ଲୋଟି ପଡ଼ିଥିବା ଚିତ୍ର ଅତି ଦୁଃଖଦାୟକ ଥିଲା।

ଯୋଗଦେଲେ ତହସିଲଦାର ଓ ପୁଲିସ

ଗାଁରେ ସମସ୍ତ ୭ ମୃତକଙ୍କ ଶବ ପହଞ୍ଚିବା ବେଳକୁ ଲଖନପୁର ତହସିଲଦାର ବିଶିକେଶନ ପାଣ୍ଡେ ଓ ରେଙ୍ଗାଲି ପୁଲିସ୍‌ ବି ସେଠାରେ ପହଞ୍ଚିଥିଲେ। ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ରେଡକ୍ରସ ପାଣ୍ଠିରୁ ତହସିଲଦାର ଶ୍ରୀ ପାଣ୍ଡେ ପ୍ରଦାନ କରିଥିଲେ। ଶବଦାହ ଯାଏ ପ୍ରଶାସନର ଅଧିକାରୀମାନେ ଶ୍ମଶାନରେ ଉପସ୍ଥିତ ରହିଥିଲେ।

ସମବେଦନା ଜଣାଇବାକୁ ରାଜନେତାଙ୍କ ଭିଡ଼

ଶବ ପହଞ୍ଚିବା ପରେ ଆଜି ବଡ଼ଧରା ଗାଁରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ନେତୃବର୍ଗ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିଜେପିର ଜିଲ୍ଲା ସଭାପତି ମଙ୍ଗଳ ସାହୁ, ଜିଲ୍ଲା ଉପସଭାପତି ପିତାମ୍ବର ମିଶ୍ର, ଚକାନନ ସା, ସୁଦାମ ପଧାନ, ଆନନ୍ଦ ପ୍ରଧାନ, ବିଜେଡିର ଜିଲ୍ଲା ସାଧାରଣ ସଂପାଦକ ବିଶ୍ୱନାଥ ନାୟକ, ବରିଷ୍ଠ ସଦସ୍ୟ ନରେଶ ରାୟ, କୁଶାସନ ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ମହେନ୍ଦ୍ର ନାଏକ ପ୍ରମୁଖ ଶୋକାକୁଳ ପରିବାର ବର୍ଗଙ୍କୁ ଭେଟିଥିଲେ। ବ୍ଳକ ସରପଞ୍ଚ ସଂଘର ସଭାପତି ରଘୁମଣି ପ୍ରଧାନ,ଲୋକସଭା ସଦସ୍ୟଙ୍କ ଜିଲ୍ଲା ପ୍ରତିନିଧ୍ୱ ରଘୁ ପଣ୍ଡା, ବରିଷ୍ଠ କୃଷକ ନେତା ପଞ୍ଚାନନ ପ୍ରଧାନ, ବିରଞ୍ଚି ସାହୁ ପ୍ରମୁଖ ଶୋକ ପ୍ରକାଶ କରିଥିଲେ।

ପୁତ୍ରଶୂନ୍ୟ ହେଲା ୩ ପରିବାର

ଗୁରୁବାର ରାତିରେ ଘଟିଥିବା ଦୁର୍ଘଟଣାର ଆଉ ଏକ ଦୁଃଖଦ ଦିଗ ସାମ୍‌ନାକୁ ଆସିଛି। ମୃତ୍ୟୁବରଣ କରିଥିବା ୭ ଯୁବକଙ୍କ ମଧ୍ୟରୁ ୩ ଜଣ ନିଜ ପରିବାରର ଏକମାତ୍ର ପୁତ୍ର ସନ୍ତାନ ଥିଲେ। ସେମାନଙ୍କ ମୃତ୍ୟୁ ପରେ ଉକ୍ତ ୩ ପରିବାର ପୁତ୍ର ଶୂନ୍ୟ ହୋଇଯାଇଛି। ଉକ୍ତ ଗାଁର ସାଳେଗ୍ରାମ ଲୁହାଙ୍କ ଏକମାତ୍ର ପୁଅ ହେଲେ ଦିବ୍ୟ। ଦିବ୍ୟଙ୍କ ଜଣେ ଭଉଣୀ ଥିଲେ ବି କେହି ଭାଇ ନାହାନ୍ତି। ତାଙ୍କର ଗୋଟିଏ କପଡ଼ା ଦୋକାନ ଅଛି। ତାଙ୍କ ବିବାହ ପାଇଁ ଝିଅ ଦେଖାଦେଖି ଚାଲିଥିଲା। ହେଲେ ବୋହୂଟିଏ ଘରକୁ ଆସିବା ପୂର୍ବରୁ ପରିବାରକୁ ଏକା କରିଦେଇ ଆରପାରିକୁ ଚାଲିଗଲେ ଦିବ୍ୟ। ଗୌରାଂଗ ଭୂୟଁରଙ୍କ ପୁଅ ରମାକାନ୍ତ ଭୂୟଁର ମଧ୍ୟ ପରିବାରର ଏକମାତ୍ର ପୁତ୍ର ସନ୍ତାନ ଥିଲେ। ସେ ଦିବ୍ୟଙ୍କ କପଡ଼ା ଦୋକାନରେ କାମ କରିବା ସହ ବାପାଙ୍କୁ ଚାଷବାସରେ ସହଯୋଗ କରୁଥିଲେ। ଏହାଛଡ଼ା ଡ୍ରାଇଭର୍ ତଥା ଗାଡ଼ି ମାଲିକ ଶତ୍ରୁଘ୍ନ ମଧ୍ୟ କିଶୋର ଭୋଇଙ୍କ ଏକମାତ୍ର ପୁଅ ଥିଲେ। ସେ ନିଜ ଗାଡ଼ି ବ୍ୟବସାୟ କରି ରୋଜଗାର କରୁଥିଲେ। ଗୋଟିଏ ଗାଁର ଏହି ୩ ପରିବାର ଏକାସାଂଗରେ ପୁତ୍ରଶୂନ୍ୟ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର