ଦୁର୍ଘଟଣାର ଦିନ: ୭ ଜୀବନ ଗଲା

ଘାଟିରେ ଅଟୋକୁ ପିଟିଲା ଟ୍ରକ୍‌; ୩ ମୃତ

ଚାଉଳ ପାଇଁ ଅଭିଭାବକଙ୍କ ସହ ସ୍କୁଲ ଯାଉଥିଲେ ଛାତ୍ରଛାତ୍ରୀ
ପଛରୁ ଧକ୍କା ଦେଇ ଶହେ ମିଟର ଘୋଷାଡ଼ି ନେଲା ଟ୍ରକ୍‌

କଳାବାଡ଼ିଆ/ବାଙ୍ଗିରିପୋଷି : ବୁଧବାର ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଦ୍ବାରଶୁଣୀ ଘାଟିରେ ପୁଣି ମୁଣ୍ଡ ଗଡ଼ିଛି। ଏକ ଯାତ୍ରୀବାହୀ ଅଟୋକୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଘାଟି ରାସ୍ତା ପାର୍‌ ହେଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆଉ କେତେ ଜୀବନ ଗଲେ ଏହି ମଣିଷମରା ଘାଟି ରାସ୍ତାର ସଂପ୍ରସାରଣ ପାଇଁ ନେତା ଓ ପ୍ରଶାସନ ଚେତିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ବିଶୋଇ ବ୍ଲକ୍‌ ଦୋପଟା ଗ୍ରାମର ୫ ଜଣ ଛାତ୍ରଛାତ୍ରୀ ସ୍କୁଲ ପକ୍ଷରୁ ମିଳୁଥିବା ଚାଉଳ ଓ ପୋଷାକ ଆଣିବା ପାଇଁ ବୁଧବାର ପୂର୍ବାହ୍ନରେ ଅଭିଭାବକଙ୍କ ସହ ଶୁଳିଆପଦା ବ୍ଲକ୍‌ ବଣକାଟି ନିକଟସ୍ଥ ଏକ ଆଶ୍ରମ ବିଦ୍ୟାଳୟକୁ ଅଟୋ (ଓଡି୧୧କ୍ୟୁ-୩୧୬୫) ଭଡ଼ା କରି ଯାଉଥିଲେ। ଏମାନେ ସମସ୍ତେ ଗରିବ ଶ୍ରେଣୀର। ଅଟୋ ଚାଳକଙ୍କ ସହିତ ଭିତରେ ଖୁନ୍ଦାଖୁନ୍ଦି ହୋଇ ବସିଥିଲେ ୧୨ ଜଣ। ବିପଦସଙ୍କୁଳ ଦ୍ବାରଶୁଣୀ ଘାଟି ରାସ୍ତାର ୭ କିମି ପାର୍‌ ବି ହୋଇ ସାରିଥିଲେ। ଆଉ ମାତ୍ର ୨ କିମି ପରେ ଘାଟି ରାସ୍ତା ସରିଥାନ୍ତା। ହେଲେ କାଳ ଭଳି ପଛରୁ ମାଡ଼ିଆସିଲା ଏକ ଦ୍ରୁତଗାମୀ ଟ୍ରକ୍‌।

ଡବ୍ଲୁବି୨୩ଇ-୦୭୩୫ ନଂବର ହଳଦି ବୋଝେଇ ଏହି ଟ୍ରକ୍‌ ଦ୍ବାରଶୁଣୀ ମା’ଙ୍କ ମନ୍ଦିର ନିକଟରେ ଅଟୋକୁ ପଛରୁ ଜୋରରେ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋକୁ ପ୍ରାୟ ୧୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା ଟ୍ରକ୍‌। କେହି କିଛି ବୁଝିବା ଆଗରୁ ଟ୍ରକ୍‌ ଚଳାତଳେ ଚାପି ହୋଇ ୨ ଜଣ ମାଂସ ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲେ। ଛାତ୍ର ଫାଗୁ ହେମ୍ବ୍ରମ୍‌ (୧୪), ଅଭିଭାବକ ମାନସିଂ ମାରାଣ୍ଡି (୪୦) ଘଟଣାସ୍ଥଳରେ ଆଖି ବୁଜିଥିବାବେଳେ ସେମାନଙ୍କୁ ଚିହ୍ନିବା ବି କଷ୍ଟକର ହୋଇଥିଲା। ଅନ୍ୟମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ପଡ଼ିରହିଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଚମ୍ପା ହାଁସଦା, (୪୦), ସିଂଗରାୟ ସୋରୋନ୍ (୩୫), ସିଧା ହାଁସଦା (୯), ସୁନ୍ଦର ମାରାଣ୍ଡି (୮), ଲକ୍ଷ୍ମୀ ମାରାଣ୍ଡି (୨୦), ଭାଗରାୟ ମାରାଣ୍ଡି (୨୦), ଫାଗୁ ଟୁଡ଼ୁ (୧୧), ସୁମନ ସୋରୋନ (୧୦), ଜମୁନା ହେମ୍ବ୍ରମ୍‌ (୩୫) ଓ ମାନଙ୍କୁ ମାରାଣ୍ଡି (୪୫)ଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନା ଓ ପରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାନଙ୍କୁ ମାରାଣ୍ଡିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୯ ଜଣଙ୍କର ସ୍ଥିତି ଏବେ ବି ସଙ୍କଟାପନ୍ନ ରହିଛି।

ତେବେ ଏହି ଦୁର୍ଘଟଣା ପରେ ବିଭାଗୀୟ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷାବିଭାଗ ପକ୍ଷରୁ କାହିଁକି ପିଲାଙ୍କ ଆକାଉଣ୍ଟ ନମ୍ବରକୁ ଚାଉଳ ବାବଦ ଟଙ୍କା ପଠାଗଲାନି। କାହିଁକି ସ୍କୁଲ କର୍ତ୍ତୃପକ୍ଷ ନିଜେ ଯାଇ ପିଲାଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ପୋଷାକ ଦେଲେନି। କରୋନା ମହାମାରୀ ସମୟରେ ପ୍ରାୟ ୬୦ କିମି ଦୂରରେ ଥିବା ସ୍କୁଲକୁ ଯିବା ପାଇଁ ସେମାନଙ୍କୁ କିଏ ଡାକିଥିଲା? ଦ୍ବାରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିଲେ ମଧ୍ୟ ରାଜନେତା, ସରକାର, ପ୍ରଶାସନ ଓ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ମୁଣ୍ଡକାନ ଖେଳାଉନାହାନ୍ତି। ୪୦ କୋଟିର ଝୁଲାପୋଲ ଯୋଜନା ଶୀତଳଭଣ୍ଡାରରେ ରହିଛି। ଘାଟିର ୯ କିମି ରାସ୍ତାରେ ୧୪ଟି ବାଙ୍କ ଅଛି, ଯାହାକି ଅତ୍ୟନ୍ତ ବିପଦସଂକୁଳ। ସାମାନ୍ୟ ଅସାବଧାନ ମାତ୍ରେ ସିଧା ମୃତ୍ୟୁକୁ ଆମନ୍ତ୍ରଣ। ଗତ ୬ ମାସ ମଧ୍ୟରେ ଏଠାରେ ୧୫ରୁ ଅଧିକ ଦୁର୍ଘଟଣାରେ ୫ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହେଲେଣି। ହାତୀ କରିଡର୍‌ ବୋଲି କହି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଆଉ କେତେ ଦିନ ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ବାଧକ ସାଜିବ? ଏମିତି ଅନେକ ଅସମାହିତ ପ୍ରଶ୍ନ ବର୍ତ୍ତମାନ ଲୋକଙ୍କୁ ଆନ୍ଦୋଳିତ କରୁଛି।

ବାଇକ୍‌-ଟ୍ରକ୍‌ ଧକ୍କା, ୨ ଯୁବକ ମୃତ
ଦେବଗଡ଼ : ୫୩ ନଂ ଜାତୀୟ ରାଜପଥର ଦେବଗଡ଼- କୁଚିଣ୍ଡା ରାସ୍ତାରେ କରଡ଼ାପାଲ ଗ୍ରାମ ନିକଟରେ ମଙ୍ଗଳବାର ରାତିରେ ଟ୍ରକ୍‌ ଓ ବାଇକ ମଧ୍ୟରେ ଧକ୍କା‌ ହେବା ଫଳରେ ବାଇକ୍‌ରେ ଯାଉଥିବା ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ପୌରାଞ୍ଚଳ ବାବୁସାହିର ରିକନ ପ୍ରଧାନ (୨୪) ଓ ନ୍ୟୁ କଲୋନିର ଶ୍ରବଣ ନନ୍ଦ (୨୩) ନିଜ ବାଇକ(ଓଡି-୨୮ଏ-୦୪୫୩)ରେ କୌଣସି କାମରେ ‌ଦେବଗଡ଼ରୁ କୁଚିଣ୍ଡା ଅଭିମୁଖେ ଯାଉଥିଲେ। ଦେବଗଡ଼ ଥାନା ଅନ୍ତର୍ଗତ କରଡାପାଳ ଗ୍ରାମ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକ ସହିତ ସେମାନଙ୍କର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ରିକନ ଓ ଶ୍ରବଣଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଦେବଗଡ଼ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ ବାଇକ୍‌କୁ ପୁଲିସ ଜବତ କରିଛି। ମୃତକ ୨ ଦ୍ବୟ ଏକ ମୋବାଇଲ୍ କଂପାନିରେ କାମ କରୁଥିଲେ। ଦେବଗଡ଼ ଥାନା ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ବାଇକ୍‌-ସ୍କୁଟି ଧକ୍କା: ୨ ମୃତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଚାରିଛକ-ହରଭଙ୍ଗା ପୂର୍ତ୍ତ ରାସ୍ତାରେ ବୁଧବାର ଅପରାହ୍‌ଣରେ ଏକ ବାଇକ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ  ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଦନାୟକ(୨୧) ଏବଂ ତଳଗାଁ ପଞ୍ଚାୟତ ଗଣ୍ଡିସର ଗ୍ରାମର ସାନୁ ବେହେରା(୨୩)। ଗୁରୁତର ଆହତ ଜଣକ ହରଭଙ୍ଗା ଗ୍ରାମର ଅଜିତ ଭୋକ୍ତା (୨୦) ବୋଲି ଜଣାପଡ଼ିଛି।

ଅପରାହ୍‌ଣ ପ୍ରାୟ ୧ଟା ସମୟରେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଓ ଅଜିତ ଏକ ସ୍କୁଟି ଯୋଗେ ହରଭଙ୍ଗାରୁ ଛତ୍ରଙ୍ଗ ଯାଉଥିଲେ। ଏହି ସମୟରେ ସାନୁ ବେହେରା ଏକ ବାଇକ୍‌ରେ ଛତ୍ରଙ୍ଗ ପଟୁ ହରଭଙ୍ଗା ଆସୁଥିଲେ। ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଉଭୟ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା। ଚାରିଛକ ଦମକଳ ବାହିନୀ କର୍ମଚାରୀ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ପ୍ରଶାନ୍ତ ଓ ସାନୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅଜିତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହରଭଙ୍ଗା ପୁଲିସ ଦୁର୍ଘଟଣା ବାଇକ ଓ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର