୪ ଦୁର୍ଘଟଣା: ୭ ଜଣଙ୍କ ଜୀବନ ଗଲା

ଟ୍ରକ୍‌-ବାଇକ୍‌ ଧକ୍କା: ଦୁଇ ବାଇକ୍‌ ଆରୋହୀ ମୃତ
ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜରପଡ଼ା-ଛେଣ୍ଡିପଦା ରାସ୍ତାରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ଗୋଟିଏ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଯାଉଥିବା ୨ ଯୁବକଙ୍କର ପ୍ରାଣହାନି ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ଛେଣ୍ଡିପଦା ଥାନା ମୁଣ୍ଡାମାଳସାହିର ନାରାୟଣ ସାହୁ(୪୪) ଓ ଅନୁଗୁଳ ଥାନା ରାଣୀଗୋଡ଼ା ଗାଁର ବାବୁଲା ଦେହୁରୀ(୩୦) ଏକ ବାଇକ୍‌ (ଓଆର୍‌୧୫ଏମ୍-୪୭୧୯)ରେ ଛେଣ୍ଡିପଦା ଆଡ଼ୁ ଜରପଡ଼ା ଅଭିମୁଖେ ଯାଉଥିଲେ। ଜରପଡ଼ା ରେଲୱେ ଓଭର୍‌ ବ୍ରିଜ୍‌ରୁଠାରୁ ପ୍ରାୟ ୧୦୦ ମିଟର ପୂର୍ବରୁ ବୁଲାଣି ରାସ୍ତାରେ ଅପରାହ୍ଣ ୨ଟାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌(ଓଡି୩୫ଡି-୦୬୩୪) ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ନାରାୟଣ ଓ ବାବୁଲାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି। ବାବୁଲା ଦୀର୍ଘଦିନ ହେଲା ମୁଣ୍ଡାମାଳ ସାହିରେ ନିଜ ଶ୍ବଶୁର ଘରେ ରହୁଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିସହ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଏ ସଂପର୍କରେ ତଦନ୍ତ ଚଳାଇଛି।

ଟ୍ରକ୍‌ ପଛକୁ ପିଟିଲା ଟ୍ରକ୍, ୨ ମୃତ
ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ପଛକୁ ଟ୍ରକ୍ ଧକ୍କା ଦେବାରୁ ଏଥିରେ ଜଣେ ଯାତ୍ରୀ ଓ ହେଲପର୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ଯାତ୍ରୀଜଣକ ହେଲେ, ଭଦ୍ରକ ଜିଲ୍ଲା ସଂଗ୍ରାମପୁରର ଶରତ ଦାସ। କିନ୍ତୁ ମୃତକ ହେଲପର୍ ଓ ଗୁରୁତର ଡ୍ରାଇଭରଙ୍କ ପରିଚୟ ମିଳିପାରିନି। ଡ୍ରାଇଭରଙ୍କ ଦୁଇ ଗୋଡ଼ କଟିଯାଇଥିବାରୁ ସେ ସଂକଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଶରତ ଜୀବିକା ନିର୍ବାହ କରିବା ଲାଗି ଚେନ୍ନାଇ ଯିବାକୁ ଭଦ୍ରକରେ ଏକ ଚା’ପତି ବୋଝେଇ ଟ୍ରକ୍‌ (ଟିଏନ୍-୭୭ଏଲ୍-୯୧୫୯) କୁ ଲିଫ୍ଟ ମାଗି ଚଢ଼ିଥିଲେ। ଟ୍ରକ୍‌ଟି କୋଇମ୍ବାଟୁର୍ ଅଭିମୁଖେ ବାହାରିଥିଲା। ବିଳମ୍ବିତ ରାତିରେ ହଳଦିଆପଦର ବସଷ୍ଟାଣ୍ଡ୍ ନିକଟ ଜାତୀୟ ରାଜପଥରେ ଆଉ ଏକ ଟ୍ରକକୁ ଏହା ପଛପଟୁ ଧକ୍କା ଦେଇଥିଲା। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ‌ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶରତ ଓ ହେଲପର୍‌ଙ୍କ ମୃତ୍ୟୁ ହୋଇଥିଲା।

ଟ୍ରକ୍‌କୁ ପିଟିଲା ଟ୍ରକ୍‌; ଚାଳକ ମୃତ
ଛେଣ୍ଡିପଦା : ୫୫ ନମ୍ବର ଜାତୀୟ ରାଜପଥରେ ଜରପଡ଼ା ଥାନା ଅନ୍ନପୂର୍ଣ୍ଣା ଢାବା ନିକଟରେ ଆଜି ଅପରାହ୍ଣରେ ଛିଡା ହୋଇଥିବା ଏକ ଟ୍ରକ୍‌ ପଛରେ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକ୍‌ ଚାଳକଙ୍କ ପ୍ରାଣହାନି ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ସମ୍ବଲପୁରଆଡୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ଖାଲି ଟ୍ରକ୍‌ (ଓଡି୦୯ଏ-୯୪୩୪) ସାନହିଂସର ଛକ ନିକଟ ଅନ୍ନପୂର୍ଣ୍ଣା ଢାବା ନିକଟରେ ଛିଡା ହୋଇଥିଲା। ସମ୍ବଲପୁରଆଡ଼ୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ (ଓଡି୧୫-ଏଲ୍‌-୮୦୩୩) ଅପରାହ୍ଣ ପ୍ରାୟ ସାଢ଼େ ୨ଟାବେଳେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ଧକ୍କା ହୋଇଥିଲା। ଫଳରେ ସିମେଣ୍ଟ ବୋଝେଇ ଟ୍ରକ୍‌ ଚାଳକ ଗୁରୁତର ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହଯୋଗରେ ସିମେଣ୍ଟ ଟ୍ରକ୍‌ରୁ ଚାଳକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୩ ଘଣ୍ଟା ବିଳମ୍ବ ହେବାରୁ ଟ୍ରକ୍‌ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ଚାଳକ ହେଉଛନ୍ତି ବିହାର ରାଜ୍ୟ ଭୋଜପୁର ଜିଲ୍ଲା ଜଗଦୀଶପୁର ଥାନା ରାମଚନ୍ଦ୍ରପୁରକେବୋଥାନ ଗାଁର ହରିନନ୍ଦନ ସିଂ(୪୫)। ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଦୁଇଟି ପୁଲିସ ଜବତ କରି ଏ ସଂକ୍ରାନ୍ତରେ ତଦନ୍ତ ଚଳାଇଛି।

ଗୁମ୍ମା ଘାଟିରେ ବାଇକ୍‌କୁ ପିଟିଲା ଟ୍ରଲର୍, ୨ ମୃତ
ରାୟଗଡ଼ା : ୩୨୬ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ମାଲ‌ ବୋଝେଇ ଟ୍ରଲର ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସମୁଦୁ ମାଣ୍ଡିଙ୍ଗ(୧୮) ଓ ସାବୁ ମାଣ୍ଡିଙ୍ଗ(୪୦)। ଉଭୟଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଡୁମୁରିପଦର ଗ୍ରାମରେ। ରାୟଗଡ଼ା ପୁଲିସ୍ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଗତକାଲି ପୂର୍ବାହ୍ନରେ ସମୁଦୁ ଓ ସାବୁ କୌଣସି କାମରେ ରାୟଗଡ଼ା ଆସିଥିଲେ। କାମ ସାରି ସଂଧ୍ୟାରେ ନିଜ ବାଇକ୍ (ଓଆର-୧୦ଜି-୧୦୨୮)ରେ ଘରକୁ ଫେରୁଥିଲେ। ଗୁମ୍ମା ଘାଟି ଚଢ଼ୁଥିବା ସମୟରେ ଟିକିରିରୁ ମାଲ୍‌ ବୋଝେଇ କରି ନାଗାଲାଣ୍ଡ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରଲର(ଏନଏଲ୍-୦୨କ୍ୟୁ-୧୪୧୩) ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିଲା। ଟ୍ରଲର ଧକ୍କାରେ ସମୁଦୁ ଓ ସାବୁ ଛିଟିକି ରାସ୍ତା ଉପରେ ପଡ଼ିବା ପରେ ଟ୍ରଲର ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟେ ପଡ଼ି ରହିଥିବା ବେଳେ ଖବର ପାଇ ରାୟଗଡ଼ା ପୁଲିସ୍ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୁଲିସ୍ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର