ଶବ ହୋଇଗଲେ ୬ ଶବବାହକ

ଡାକ୍ତରଖାନାରେ ଆଉ ୨ ମୃତ
ଗାଁରେ ଶୋକାକୁଳ ପରିବେଶ
୩ଟି ସ୍ଥାନରେ ରାସ୍ତାରୋକ

ପୁରୀ/କଣାସ/ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଶୁକଳ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ରାତିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୨ ଜଣ ଆହତଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଥିବା ଅନ୍ୟ ୩ ଜଣଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ଅବସ୍ଥା ବି ବିପଦମୁକ୍ତ ନୁହେଁ ବୋଲି ଜଣାପଡ଼ିଛି। ଏହି ଘଟଣା କଣାସ ଥାନା ଅଣ୍ଡାଳସିଂ ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗତକାଲି ଯେଉଁମାନେ ପୁରୀ ସ୍ୱର୍ଗଦ୍ୱାରକୁ ଶବବାହକ ହୋଇ ଯାଇଥିଲେ, ସେହିମାନଙ୍କ ମଧ୍ୟରୁ ୪ ଜଣଙ୍କ ଚିତା ଆଜି ସେହି ସ୍ୱର୍ଗଦ୍ୱାରରେ ଜଳିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାକୁ କେନ୍ଦ୍ର କରି ଆଜି ଦିନତମାମ ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡ଼କର ଶୁକଳ ସମେତ ତିନିଟି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରୋକ କରାଯାଇଥିଲା। ବିଶେଷକରି ଦୁର୍ଘଟଣାସ୍ଥଳ ଶୁକଳରେ ୨ ଜଣଙ୍କ ଶବ ୧୨ ଘଣ୍ଟା ଧରି ପଡ଼ି ରହିବା ଘଟଣା ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରିଥିଲା। ଉପଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସମେତ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଜେପି ନେତା ଓମ୍‌ ପ୍ରକାଶ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସବୁ ମୃତକଙ୍କ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିିଥିଲା। ତେବେ ଅଣ୍ଡାଳସିଂ ଛକଠାରେ ଗ୍ରାମବାସୀଙ୍କ ରାସ୍ତାରୋକ ହିଂସାତ୍ମକ ମୋଡ଼ ନେବାରୁ ସେଠାରେ ଫୋର୍ସ ମୁତୟନ କରାଯାଇଥିଲା। ତା’ ସତ୍ତ୍ୱେ ଉତ୍ତେଜିତ ଲୋକେ ପୁଲିସ ଗାଡ଼ି ଓ କଣାସ ତହସିଲଦାରଙ୍କୁ ଛାଡ଼ି ନଥିଲେ। ତହସିଲଦାର ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ସୂଚନାଯୋଗ୍ୟ, ଗତକାଲି କଣାସ ଥାନା ଅନ୍ତର୍ଗତ ଅଣ୍ଡାଳସିଂର ଗେଲି ନାୟକ ମୃତ୍ୟୁବରଣ କରିବା ପରେ ତାଙ୍କ ଶବକୁ ନେଇ କୁଟୁମ୍ବ ଓ କିଛି ଗ୍ରାମବାସୀ ପୁରୀ ସ୍ୱର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରିଥିଲେ। ଶବଦାହ ପରେ ସେମାନଙ୍କ ମଧ୍ୟରୁ ୯ ଜଣ ଏକ ଅଟୋରେ ଗାଁକୁ ଫେରୁଥିଲେ। ଅଟୋଟିକୁ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ହରଶପଡ଼ାର ତପନ ବିଶ୍ୱାଳ(୨୪) ଚଳାଉଥିଲେ। ରାତି ପ୍ରାୟ ସାଢ଼େ ୧୧ଟାରେ ଜଗନ୍ନାଥ ସଡ଼କର ଶୁକଳ ଓ ଆଳିଶ ଗ୍ରାମ ମଝିରେ ଥିବା ହନୁମାନ ମୂର୍ତ୍ତି ନିକଟରେ ଅଟୋକୁ ଏକ ପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଅଟୋଟି ଚୂରମାର ହୋଇ ଯାଇଥିଲା। ଘଟଣାସ୍ଥଳରେ ଅଟୋରେ ଥିବା ଉମାକାନ୍ତ ବଳିଆରସିଂ, କୁମର ବିଶ୍ୱାଳଙ୍କର ମୃତ୍ୟୁ ଘଟିଥିଲା। ସୁନୀଲ ସାମନ୍ତରାୟ, ଅଟୋଚାଳକ ତପନ, ସର୍ବେଶ୍ୱର ମହାପାତ୍ର, ମାଗୁଣି ନାୟକ, ବିଦ୍ୟାଧର ବରାଳ, ସାଗର ପ୍ରଧାନ, ହାଲୁ ନାୟକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ସୁନୀଲ ଓ ତପନଙ୍କ ପ୍ରାଣବାୟୁ ବି ଉଡ଼ିଯାଇଥିଲା। ପରେ ସର୍ବେଶ୍ୱର, ମାଗୁଣି, ବିଦ୍ୟାଧର, ସାଗର ଓ ହାଲୁଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସେଠାରେ ବିଦ୍ୟାଧର ଓ ସାଗରଙ୍କ ମୃତ୍ୟୁ ଘଟିଛି। ସର୍ବେଶ୍ୱର, ମାଗୁଣି ଓ ହାଲୁ ସେଠାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ମୃତ ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଶେଷକୃତ୍ୟ ଆଜି ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଥିବା ବେଳେ ଅଣ୍ଡାଳସିଂ ଗାଁ ଶ୍ମଶାନରେ ଅନ୍ୟ ୨ ଜଣଙ୍କ ଚିତା ଜଳିଛି। ମୃତକମାନଙ୍କ ପରିଜନଙ୍କ କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ।

ସମ୍ବନ୍ଧିତ ଖବର