ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେ ଗଞ୍ଜାମ ଜିଲ୍ଲାର ଏବଂ ତାଙ୍କ ବୟସ ୮୫ ବର୍ଷ ବୋଲି ଜଣାଯାଇଛି। ସେ ଜଣେ ସୁରତ ଫେରନ୍ତା ଏବଂ ତାଙ୍କର ଉଚ୍ଚ ରକ୍ତଚାପ ସହ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଲଗାତାର ତିନି ଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲାର କରୋନାରେ ଆକ୍ରାନ୍ତ ଜଣେ ୭୦ ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା।

ଏହା ପୂର୍ବରୁ କଟକର ୭୫ବର୍ଷର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ। ତାଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବା ସହିତ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ରହିଥିଲା। ଗତ ୧୭ତାରିଖରେ ଭୁବନେଶ୍ବର ଏମ୍‌ସରେ ତାଙ୍କୁ ଭର୍ତି କରାଯାଇଥିବା ବେଳେ କିଛି ଘଣ୍ଟା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିବା ବେ‌ଳେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିଲା।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପୁରୀରୁ ଜଣେ ଓ କଳାହାଣ୍ଡି ଜିଲ୍ଲାରୁ ଆଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୨. ମୟୂରଭଞ୍ଜ ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୧୧, ଜଗତସିଂହପୁରରୁ ୨, ଅନୁଗୁଳ ଜିଲ୍ଲାରୁ ୨ ଓ କଟକ ଜିଲ୍ଲାରୁ ୯ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ଆଜି ବି ମାଲକାନଗିରି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର