ଭୁବନେଶ୍ବର: ଆଜି ରାଜ୍ୟରେ ୩୩୮୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମୃତକମାନଙ୍କ ଭିତରୁ ସମ୍ବଲପୁରରୁ ସର୍ବାଧିକ ୩, ବରଗଡ଼ରୁ ୨, ଭଦ୍ରକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି। ସମ୍ବଲପୁରର ତିନିଜଣଙ୍କ ଭିତରୁ ଜଣେ ୬୦ ବର୍ଷୀୟା ମହିଳା ଥିବା ବେଳେ, ଦୁଇଜଣ ପୁରୁଷ ଅଛନ୍ତି ଯେଉଁମାନଙ୍କ ବୟସ ଯଥାକ୍ରମେ ୫୮ ଓ ୭୫ ବର୍ଷ। ଅପରପକ୍ଷରେ ବରଗଡ଼ର ଜଣେ ୬୫ ବର୍ଷିୟ ପୁରୁଷ ଓ ୭୬ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି। ଠିକ୍ ସେହିପରି ଭଦ୍ରକର ଜଣେ ୬୦ ବର୍ଷିୟ ପୁରୁଷ ଏବଂ  ଭୁବନେଶ୍ବରର ଜଣେ ୬୨ ବର୍ଷୀୟା ମହିଳାଙ୍କର କରୋନାରେ ପ୍ରାଣହାନି ଘଟିଛି।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଏହି ୭ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬କୁ ବୃଦ୍ଧି ପାଇଛି। ଏଣେ ରାଜ୍ୟରେ ମୋଟ୍ ୬୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୭୨ ରହିଛି। ଅନ୍ୟ ପକ୍ଷରେ କରୋନା ବ୍ୟତୀତ ଅନ୍ୟ ରୋଗରେ ଏଯାବତ୍ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।