୭ଟି ଜିଲ୍ଲାରେ ସୀମା ବିବାଦ ରହିଛି

କୋଟିଆ ପାଇଁ ୧୫ ସୂତ୍ରୀ ବିକାଶ କାର୍ଯ୍ୟକ୍ରମ ହାତକୁ ନିଅ‌ାଯାଇଛି

ଭୁବନେଶ୍ବର: ଓଡ଼ିଶାର ୭ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ମୟୂରଭଞ୍ଜ, କେଉଁଝର, ନୂଆପଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି। ବିଧାନସଭାରେ ଏ ସଂକ୍ରାନ୍ତୀୟ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ପଡ଼ୋଶୀ ରାଜ୍ର ସରକାରମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ବିଭିନ୍ନ ଜିଲ୍ଲାର ସୀମାରେ ଥିବା ସ୍ଥାନଗୁଡ଼ିକରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସ୍ଥାନୀୟ ରାଜସ୍ବ ବିଭାଗର ତହସିଲ୍‌ଦାର, ବ୍ଲକ୍ ଉନ୍ନୟନ ଅଧିକାରୀ ଓ ଅନ୍ୟ ସରକାରୀ ଅଫିସର୍‌ମାନଙ୍କ ପ୍ରୋତ୍ସାହନରେ ଭୂମିଦଖଲ ଓ ରାସ୍ତା ଆଦି ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବାର ନିର୍ଦ୍ଦିଷ୍ଟ ଖବର ସରକାରଙ୍କ ଦୃଷ୍ଟିକୁ ଆସି ନାହିଁ। ରାଜ୍ୟ ସରକାର ସୀମାନ୍ତବର୍ତ୍ତୀ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ‌ ଦେଇଛନ୍ତି ଏବଂ ଅଧିକ ସୁବିଧା ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

କୋଟିଆ ସମ୍ପର୍କରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡ଼ିଶା‌-ଆନ୍ଧ୍ରପ୍ରଦେଶ ସୀମାରେ ୨୧ଟି ରାଜସ୍ବ ଗ୍ରାମକୁ ନେଇ କୋଟିଆ ଗ୍ରାମପୁଞ୍ଜ ଭାବେ ଗ୍ରହଣ କରାଯାଉଛି। ସୁପ୍ରିମକୋର୍ଟଙ୍କ ୩୦.୩.୨୦୦୬ ରାୟରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସ୍ପଷ୍ଟ କରାଯାଇଛି। ଓଡ଼ିଶା ସରକାର କୋଟିଆ ଗ୍ରାମପୁଞ୍ଜ ବହୁବିଧ ବିକାଶ ପାଇଁ ୧୫ ସୂତ୍ରୀ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଭିନ୍ନ ଜନହିତକର କାର୍ଯ୍ୟର ସମୀକ୍ଷା ନିମନ୍ତେ ସରକରା ରାଜସ୍ବ ପର୍ଷଦ ସଭ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶା ତୁଳନାରେ ସୀମାନ୍ତ ଅଞ୍ଚଳ ବିକାଶ କରୁଥିବା କଥା ସତ୍ୟ ନୁହେଁ। ତେବେ କୋଟିଆର ତିନିଟି ଗ୍ରାମ ଗଞ୍ଜାଇପଦର, ଫାଟୁସିନେରି ଓ ଫାଗୁଣସିନେରିରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏ ବାବଦରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଅଦାଲତ ଅବମାନନା ଅର୍ଜି ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାହା ଗ୍ରହଣ କରି ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ପ୍ରଶାନ୍ତ ଜଗଦ୍ଦେବ, ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ସୀମା ବିବାଦ ଓ କୋଟିଆ ସମ୍ପର୍କରେ ଲିଖିତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର