ବୁଡ଼ିଗଲେ ୭ : ମୃତକଙ୍କ ମଧ୍ୟରେ ୬ ଶିଶୁ

ଦାରିଙ୍ଗବାଡ଼ି/ଆନନ୍ଦପୁର/ଭଦ୍ରକ : ସାରାରାଜ୍ୟରେ ଏବେ ନିର୍ବାଚନୀ ବାତାବରଣ ସୃଷ୍ଟି ହୋଇଛି। ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି କର୍ମୀ, ନେତାଙ୍କ ଯାଏ ସମସ୍ତେ ଏଥିପାଇଁ ବ୍ୟସ୍ତ। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି। ୬ ଜଣ ନିଷ୍ପାପ ଶିଶୁଙ୍କ ସମେତ ୭ ଜଣ ସମାଧି ନେଇଛନ୍ତି। ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରେ ୩ ଜଣ ‌େହାଇଥିବା ବେଳେ ଭଦ୍ରକ ଓ କେନ୍ଦୁଝରକୁ ମିଶାଇ ୪ ଜଣ। କନ୍ଧମାଳରେ ମୃତକଙ୍କ ମଧ୍ୟରେ ରହିଛନ୍ତି ୨ ଭଉଣୀ। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ଗ୍ରାମର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ମେନୁକା ନାୟକ (୭), ରେଣୁକା ନାୟକ (୬) ଓ ବୁଦ୍ଧ ସେନାପତିଙ୍କ ଝିଅ ନିଶା ସେନାପତି (୭) ଆଜି ପୋଖରୀକୁ ଗାଧୋଇବା ପାଇଁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଶେଷରେ ପୋଖରୀରେ ସେମାନଙ୍କ ପୋଷାକ ଭାସୁଥିବା ଦେଖିବାକୁ ପାଇଥିଲେ। ଏହା ପରେ ସଂଗେ ସଂଗେ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ୩ ଜଣଙ୍କ ଶବକୁ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ପୋଖରୀ ଭିତରୁ ଉଦ୍ଧାର କରିଥିଲେ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କଇଥଖୋଲା ପଞ୍ଚାୟତ କନକପ୍ରସାଦ ଗ୍ରାମରେ ପାଣିରେ ବୁଡି ୨ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଗ୍ରାମର ଅଫସର ଅଲ୍ଲୀଙ୍କ ଅଢେଇ ବର୍ଷର ପୁଅ ଓ ଏସକେ ଅଇମୁଲଙ୍କ ୨ବର୍ଷର ଝିଅ ଘର ଅଗଣାରେ ଖେଳୁଥିବା ବେଳେ ନିକଟରେ ଥିବା ପୋଖରୀରେ ପଡି ଯାଇଥିଲେ ା ଘର ଲୋକେ ପିଲାମାନେ ଖେଳୁଛନ୍ତି ଭାବି ଅନ୍ୟକାମରେ ବ୍ୟସ୍ତ ଥିବା ବେଳେ ବହୁ ସମୟ ପାଣିରେ ପଡି ଶିଶୁ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଘର ଲୋକେ ଖୋଜାଖୋଜି କରିବାରୁ ପିଲାମାନେ ପୋଖରୀରେ ଭାସୁଥିବା ଦେଖି ତୁରନ୍ତ ଧାମରା ଅତିରିକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସେହିଭଳି, ନିଜ ସଂପର୍କୀୟଙ୍କ ଘରକୁ ବୁଲି ଆସିଥିବା ଦୁଇଜଣ ଆଜି କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀର କୋଡ଼ପଡ଼ା ଘାଟକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଛନ୍ତି। କିଛି ସମୟ ଭିତରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଉଭୟଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ହେଲେ, ସୋସୋ ଥାନା ସଢ଼ା ଗ୍ରାମର ଜଗନ୍ନାଥ ସୂତାରଙ୍କ ପୁଅ ଶୁଭପ୍ରକାଶ ସୂତାର (୧୮) ଓ ଭଦ୍ରକ ଜିଲ୍ଲା ବନ୍ତ ଥାନା ବସନ୍ତିଆ ଜଗନ୍ନାଥପୁର ଗ୍ରାମର ବାବନ ଓଝାଙ୍କ ପୁଅ ରୁଦ୍ର ନାରାୟଣ ଓଝା (୧୨)। ସୂଚନା ଅନୁସାରେ, ଆଜି ଦିନ ୧୧ଟାବେଳେ ଉଭୟ ବୈତରଣୀରେ ଗାଧୋଉଥିଲେ। ଗୋଡ଼ ଖସିଯିବାରୁ ଗଭୀର ଗଣ୍ତରେ ବୁଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ପାଣି ଭିତରୁ ଦୁଇଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରିବାର, ସମ୍ପର୍କୀୟ ଓ ସମ୍ପୃକ୍ତ ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର