ହୋଲି ଉଜାଡ଼ିଲା ସଂସାର; ୭ ମୃତ

ନଦୀ‌ରେ ବୁଡ଼ି ବାପା, ପୁଅ, ଝିଅ ମୃତ

ରେଙ୍ଗାଲି : ହୋଲି ଉଜାଡ଼ିଲା ସଂସାର। ସମ୍ବଲପୁର ଜିଲ୍ଲା ଠେଲକୁଲିର ଗୋଟିଏ ପରିବାର ବାପା, ଝିଅ, ପୁଅଙ୍କ ଖେରୁଆଲ ଭେଡ଼େନ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଭୂଷଣ ଷ୍ଟିଲର ଠିକା କର୍ମଚାରୀ ତଥା ବିହାରର ମୂଳ ନିବ‌ାସୀ ରା‌ଜୁ ପାଶୱାନ (୨୯), ପୁଅ ବାଦଲ (୮) ଓ ଝିଅ ଶୁଭ (୭) ବୋଲି କହିଛନ୍ତି ଠେଲକୁଲି ଥାନା ଅଧିକାରୀ ସୁରେଶ ସାହୁ। ଶୁକ୍ରବାର ମଧ୍ୟାହ୍ନ ୩ଟାରୁ ସେମାନେ ନିଖୋଜ ଥିବାବେଳେ ଶନିବାର ସକାଳ ପ୍ରାୟ ୭.୩୦ରେ ସେମାନଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଝିଅ, ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ରେଙ୍ଗାଲି ଷ୍ଟେସନ ଅଫିସର ପ୍ରସନ୍ନ ବେହେରା କହିଛନ୍ତି। ଏକାସହିତ ସ୍ବାମୀ, ସନ୍ତାନମାନଙ୍କୁ ହରାଇ ରାଜୁଙ୍କ ସ୍ତ୍ରୀ କମଳା ଦେବୀ ହତବାକ ହୋଇ ଯାଇଛନ୍ତି। ବିହାର ରୋହତକ ଥାନା ଅନ୍ତର୍ଗତ ବନାହିର ରାଜୁ ପାଶଓ୍ବାନ କିଛି ବର୍ଷ ହେଲା ଭୂଷଣ ଷ୍ଟିଲ ପ୍ଲାଣ୍ଟର ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ପରିବାର ସହିତ ଠେଲକୁଲିର କଲୋନି ପଡ଼ାରେ ରହୁଥିଲେ। ହୋଲି ଦିନ ୩ ବାପା, ପୁଅ, ଝିଅ ରଙ୍ଗ ଖେଳିଥିଲେ। ପ୍ରାୟ ପୂର୍ବାହ୍ନ ୨.୩୦ଟାରେ ଗାଧୋଇବା ପାଇଁ ଖେରୁଆଲର ଭେଡ଼େନ ନଦୀକୁ ଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ନଆସିବାରୁ ରାଜୁଙ୍କ ସ୍ତ୍ରୀ କମଳ ନଦୀ କୂଳକୁ ଆସିଥିଲେ। ସେତେବେଳେ ସେଠାରେ କେହିନଥିଲେ। କେବଳ ରାଜୁଙ୍କ ସାଇକେଲ ଏବଂ ଲୁଗା ଥିଲା। ଏ ନେଇ ସେ ତାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କୁ ଜଣାଇଥିଲେ। ସମସ୍ତେ ମିଶି ପ୍ରାୟ ୮ଟା ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ମଧ୍ୟ ଏହି ୩ ଜଣଙ୍କ ଖୋଜ ଖବର ମିଳିଲା ନାହିଁ। ରାତି ପ୍ରାୟ ୮ଟାରେ ଏ ନେଇ ଠେଲକୁଲି ଥାନାକୁ ସୂଚନା ଦେଇଥିଲେ। ଭୂଷଣର ଦମକଳ ବାହିନୀ ସହାୟତାରେ ଠେଲକୁଲି ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ ରାଜୁ କିମ୍ବା ତାଙ୍କ ସନ୍ତାନମାନେ ମିଳିନଥିଲେ। ଶନିବାର ସକାଳେ ରେଙ୍ଗାଲି ଦମକଳ ବାହିନୀକୁ ଏ ନେଇ ସୂଚନା ଦିଆଯିବା ପରେ ୫.୩୦ରୁ ଦମକଳ ବାହିନୀ ପକ୍ଷରୁ ଟିମ ଗଠନ କରାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଗଲା। ସକାଳ ପ୍ରାୟ ୭.୩୦ରେ ପ୍ରଥମେ ରାଜୁ ସାମାନ୍ୟ ଦୂରରେ ପୁଅ ବାଦଲ ଏବଂ ଝିଅ ଶୁଭଙ୍କୁ ଠାବ କରାଯାଇ ଥିଲା। ଏମାନଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଶରୀର ଫୁଲି ଯାଇଥିଲା। ଦମକଳ ବାହିନୀର ଅନୁମାନ ଅନୁସାରେ, ଏହି ପୋଖରୀରେ ବିଶେଷ ପାଣି ନାହିଁ। ଗୋଟିଏ କୂଳରୁ ଆଉ ଗୋଟିଏ କୂଳକୁ ଯିବା ବେଳକୁ ନିର୍ଦିଷ୍ଟ ଏକ ସ୍ଥାନରେ ୧୫ ଫୁଟ ପାଣି ରହିଛି। ଉଭୟ ପୁଅ, ଝିଅ ପ୍ରଥମେ ପଳାଉଥିବାବେଳେ ଗଭୀର ଗଣ୍ଡରେ ପଡ଼ିଯାଇଥିଲେ। ତାଙ୍କୁ ରକ୍ଷା ପାଇଁ ରାଜୁ ଚେଷ୍ଟା କରିଥିବାର ଅନୁମାନ କରାଯାଉଛି। ରାଜୁଙ୍କ ହାତ ଫ୍ରେକଚର ହୋଇଥିଲା। କିଛି ଦିନ ପୂର୍ବରୁ ପ୍ଲାଷ୍ଟର ଖୋଲାଯାଇଥିଲା। ଏକାସହିତ ଦୁଇ ସନ୍ତାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ନିଜେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ତିନି ଜଣଙ୍କ ମରଶରୀର ପାଖରେ ରହିଥିଲା। ଷ୍ଟେସନ ଅଫିସର ପ୍ରସନ୍ନ ବେହେରା, ଡ୍ରାଇବର ହାବିଲଦାର ବାଳକୃଷ୍ଣ ସାମଲ, ଫାୟାର ମ୍ୟାନ ଆଶିଷ ପ୍ରଧାନ, ଫାୟାର ମ୍ୟାନ ରୁସିନ୍ଦ୍ର ସାହୁ, ଫାୟାର ମ୍ୟାନ ବିରେଶ କୁମାର ଲାକ୍ରା, ନରେଶ ସାହୁ, ଜୟପ୍ରକାଶ ଭୋଇ ଏହି ଉଦ୍ଧାର କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ଶରୀର ବିହାରସ୍ଥିତ ତାଙ୍କ ନିଜ ଗାଁ କୁ ନିଆଯାଇଛି। ସେଠାରେ ଅନ୍ତିମ ସତ୍କାର କରାଯିବ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଗତବର୍ଷ ମଧ୍ୟ ହୋଲି ସମୟରେ ଏହି ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର