ପାଣିରେ ଗଲା ୭ ଜୀବନ

ଭୁବନେଶ୍ବର : ଆଜି ରାଜ୍ୟର କେତେକ ସ୍ଥାନରେ ପାଣିରେ ବୁଡ଼ି ୭ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଠାବ କରାଯାଇଥିବାବେଳେ ୨ ଜଣ ଏଯାବତ୍‌ ନିଖୋଜ ରହିଛନ୍ତି। ଦୁର୍ଭାଗ୍ୟଜନକ ବିଷୟ ସେମାନଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଶିଶୁ। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ଭୀମପୁର ଗ୍ରାମରେ ଘଟିଥିବା ଘଟଣା‌ରେ ୨ ଭାଇ ନିଖୋଜ ରହିଛନ୍ତି। ଦୁହେଁ ‌ ହେଲେ ଗୌତମ ପ୍ରଧାନଙ୍କ ଦୁଇ ପୁଅ ସଂଗ୍ରାମ(୧୭) ଓ ଶୁଭମ୍‌(୧୪)। ଆଜି ପୂର୍ବାହ୍ଣ ୯ଟାରେ ଦୁହେଁ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ଲେଖା ହେଲାବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟ ସ୍ଥାନମାନଙ୍କରେ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଘୁଡ଼ଖା‌ପଲା ପଞ୍ଚାୟତ ଖଗସିକନା ଗାଁରେ ଖଗସିକନା ଧରୁଆପଡ଼ାର ପ୍ରହଲ୍ଲାଦ ପୁଟାଙ୍କ ଝିଅ ମେଘା (୮) ଏବଂ ପ୍ରହଲ୍ଲାଦଙ୍କ ଭାଣିଜୀ ଝିଲି ଭୋଇ (୮) ପ୍ରାଣ ହରାଇଛନ୍ତି। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ରଂଗିଆଟିକ୍ରା ପଞ୍ଚାୟତ କହପାଣି ଗାଁରେ ବୁଧବାର ନାଳ ପାଣିରେ ବୁଡ଼ି ଯାଇ ୨ ନାବାଳକ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ଦୁହେଁ ହେଲେ, ରାଜେଶ ଲାକ୍ରା ପୁଅ ଆୟୁଷ (୭) ଏବଂ ଭାଣିଜୀ ଲିପସାପ୍ରିୟା (୯)। ସେହିଭଳି, ପହଁରା ଶିଖିବାକୁ ଯାଇ ବୁଧବାର ପାଣିରେ ବୁଡ଼ି ଯିବାରୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆଶ୍ରମପଡ଼ାର ପୂର୍ଣ୍ଣ ପାତ୍ରଙ୍କ ପୁଅ ସୁଜିତ ପାତ୍ର (୨୪)ଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର