ପୁରୀ/କୋଣାର୍କ/ତେଲକୋଇ/ହରିଚନ୍ଦନପୁର/ପାଟଣା: ପାଣିରେ ବୁଡ଼ି ଦିନକରେ ୭ ଜଣଙ୍କର ଜୀବନ ଯାଇଛି। ସମୁଦ୍ରରେ ବୁଡ଼ିଯାଇ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ୩ ଜଣ ପ୍ରାଣ ହରାଇଛନ୍ତି। ରବିବାର ଭୁବନେଶ୍ବର ପାହାଳ ଅଞ୍ଚଳର ୮ ଜଣ ଯୁବକ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ଝାଉଁବଣରେ ବଣଭୋଜି କରିଥିଲେ। ପରେ ସାଙ୍ଗ ହୋଇ ସମୁଦ୍ରରେ ଗାଧୋଇବା ବେଳେ ଆକାଶ ପଟ୍ଟନାୟକ (୨୦) ନାମକ ଜଣେ ଯୁବକ ବୁଡ଼ି ଯାଇଥିଲେ। ଅନ୍ୟ ସାଙ୍ଗମାନେ ଆକାଶଙ୍କୁ ଉଦ୍ଧାର କରି କାର୍‌ରେ କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଅନୁରୂପ ଭାବେ ବେଳାମାର୍ଗରେ ଥିବା କଇଁଛ ଗୃହ ପଛପଟ ଚନ୍ଦ୍ରଭାଗା ସମୁଦ୍ରରେ କିଛି ଯୁବକ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଯୁବକ ସମୁଦ୍ର ଜୁଆର ମାଡ଼ରେ ଭାସି ଯାଇଥିଲେ। ଖବର ପାଇ ଲାଇଫ୍‌ ଗାର୍ଡ ବାବୁ ବେହେରା, ପ୍ରକାଶ ବେହେରା ଓ ରାମ ବାବୁ ସମୁଦ୍ର ମଧ୍ୟରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଅଗ୍ନିଶମ ଗାଡ଼ିରେ ଦୁହିଁଙ୍କୁ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଦ୍ବୟ ହେଲେ କୋଣାର୍କ ଥାନା କୁରୁଜଙ୍ଗ ପଞ୍ଚାୟତ ଜମତଳା ଗ୍ରାମର କ୍ଷେତ୍ରବାସୀ ସେନାପତିଙ୍କ ପୁତ୍ର ରାହୁଲ ସେନାପତି (୨୩) ଓ ବିମ୍ବାଧର ଜେନାଙ୍କ ପୁତ୍ର ଅରୁପାନନ୍ଦ ଜେନା (୨୨)। ଏମାନେ ଭୁବନେଶ୍ୱର କେଶୁରାରେ ଥିବା ଏକ ଘରୋଇ ଗାଡ଼ି ସର୍ଭିସିଂ କମ୍ପାନିରେ କାର୍ଯ୍ୟରତ ଥିଲେ। ଏ ନେଇ ମେରାଇନ୍‌ ଥାନାରେ ତିନିଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ମେରାଇନ୍‌ ଥାନା ଦାୟିତ୍ୱରେ ଥିବା କୋଣାର୍କ ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ସେହିପରି ପୁରୀ କୃଷ୍ଣପ୍ରସାଦ ବ୍ଲକ୍‌ ଆଳୁପାଟଣା ଗାଁର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର ରିତେଶ କୁମାର ଜେନା(୧୮) ଆଜି ସମୁଦ୍ରରେ ଗ‌ାଧୋଇବା ସମୟରେ ଲହଡ଼ିରେ ଭାସି ନିଖୋଜ ହୋଇଯାଇଛନ୍ତି।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଛି। ତେଲକୋଇ ଥାନା ଓରିଆ ଗ୍ରାମର ପାତୁ ନାଏକଙ୍କ ପୁଅ ସେନାପତି ନାଏକ (୩୫) ଗତକାଲିଠାରୁ ନିଖୋଜ ଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ବି ତାଙ୍କର ସନ୍ଧାନ ପାଇନଥିଲେ। ଆଜି ସକାଳେ ରାସ୍ତାକଡ଼ ଚାଷଜମିରେ ଜମା ହୋଇଥିବା ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ତେଲକୋଇ ଥାନା କେସ୍‌ ନମ୍ବର ୩୭/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ଗ୍ରାମର ରକ୍ଷାକର ନାଏକଙ୍କ ନାବାଳକ ପୁଅ ମହେଶ (୯)ଙ୍କର ଆଜି ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ମହେଶ ଓ ତାଙ୍କର ଦୁଇ ସାଙ୍ଗ ଗାଁ ସ୍କୁଲ ପଛପଟେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସିଯିବାରୁ ମହେଶ ପାଣିରେ ବୁଡ଼ି ଯାଇଥିଲେ। ଏ ସମ୍ପର୍କରେ ଦୁଇସାଙ୍ଗ ପରିବାର ଲୋକଙ୍କୁ ଜଣାଇବା ପରେ ଗ୍ରାମବାସୀ ଖୋଜାଖୋଜି କରି ମହେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ପଣ୍ଡାପଡ଼ା ଥାନା ଏଏସ୍‌ଆଇ ସରୋଜିନୀ ତିରୁ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଡାକ୍ତରଖାନା ପଠାଇଥିଲେ। ଏ ନେଇ ୨୮/୨୫ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେହିପରି ପାଟଣା ଥାନା ସିଲିପଦା ପଞ୍ଚାୟତ ଅନ୍ତର୍ଗତ ଡିଗିଡିଗିଆରେ ବୈତରଣୀ ନଦୀରୁ ଜଣେ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ନଦୀରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି। ଯୁବକଙ୍କୁ କେହି ହତ୍ୟା କରି ନଦୀରେ ଭସେଇ ଦେଇଛି ନା ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି, ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।