କଟକ: ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ୬ଜଣ ବିଧାୟକ ଓ ଯାଜପୁର ଲୋକସଭା ସାଂସଦ ରବିନାରାୟଣ ବେହେରାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ୭ଟି ନିର୍ବାଚନୀ ମୋକଦ୍ଦମା ଆଜି ହାଇକୋର୍ଟରେ ଦାୟର ହୋଇଛି। ପାଟଣାଗଡ଼ ଆସନରୁ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ଶ୍ରୀ ସିଂହଦେଓଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀ ସିଂହଦେଓଙ୍କ ସତ୍ୟପାଠରେ ରହିଥିବା ତଥ୍ୟ ଓ ଗଣତି ପ୍ରକ୍ରିୟାକୁ ନେଇ ନିର୍ବାଚନ ଆବେଦନରେ ପ୍ରଶ୍ନ ଉଠାଯାଇଛି।

Advertisment

ସେହିଭଳି ଭାବେ ମାତ୍ର ୩୭ ଖଣ୍ଡ ଭୋଟ ବ୍ୟବଧାନରେ ଭୁବନେଶ୍ବର ମଧ୍ୟ ଆସନରୁ ନିର୍ବାଚିତ ହୋଇଥିବା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ହାଇକୋର୍ଟରେ ନିର୍ବାଚନୀ ‌ମାମଲା ଦାୟର କରିଛନ୍ତି।

ସେହିଭଳି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି କଣ୍ଟାବାଂଝିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଗିରିରାଜ ସିଂହ ମାଝୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି।  ବ୍ରହ୍ମପୁର ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିବା ବିଜେପି ପ୍ରାର୍ଥୀ କେ.ଅନିଲ  କୁମାରଙ୍କ ନିର୍ବାଚନକୁ ଚାଲେଞ୍ଜ କରି ମନ‌ୋଜ କୁମାର ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏଠା‌ରେ ସୂଚନାଯୋଗ୍ୟ ଯେ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣାର ୪୫ ଦିନ ଭିତରେ ବିଧାୟକ ବା ସାଂସଦଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରାଯାଇ ପାରିବ। ଏହି ଅବଧି  ଶୁକ୍ରବାର ଶେଷ ହେଉଥିବା ବେଳେ ଆଜି ଏହି ୭ଟି ନିର୍ବାଚନୀ ମୋକଦ୍ଦମା ହାଇକୋର୍ଟରେ ଦାୟର ହୋଇଛି। ଭୁବନେଶ୍ବର ଏକାମ୍ର ଆସନ ସଂପର୍କିତ ଜଗନ୍ନାଥ ପ୍ରଧାନଙ୍କ ମାମଲାକୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ, ଅଦ୍ବିତୀୟ ଶତପଥୀ, ପ୍ରୀତମ ପ୍ରଧାନ ଓ ସୁମନ ପ୍ରିୟଦର୍ଶିନୀ ସହାୟତା କରୁଛନ୍ତି।