ରାଉରକେଲା: ନିୟନ୍ତ୍ରଣ ହରାଇ ଲୁହା ବୋଝେଇ ଟ୍ରକ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବ ଏକ ଘରେ ପଶି ଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ତରକେରା ପମ୍ପ ହାଉସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ପରିବାର ୭ ସଦସ୍ୟ। ରଘୁନାଥପାଲୀ ପୁଲିସ ଲୁହାବୋଝେଇ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ସେପଟେ କ୍ଷତିପୂଣର ଦାବିରେ କ୍ଷତିଗ୍ରସ୍ତ ପରିବାର ଲୋକ ରଘୁନାଥପାଲୀ ଥାନାରେ ଟ୍ରକ ମାଲିକଙ୍କ ବିରୋଧରେ ଲିଖିତ ଅଭି‌ଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

publive-image

ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଏକ ଲୁହାବୋଝେଇ ଟ୍ରକ (ଓଡି୧୬ଇ-୫୮୪୪) ବାରକୋଟରୁ ସୁନ୍ଦରଗଡ଼ ଯାଉଥିଲା। ରାତି ପ୍ରାୟ ଦେଢ଼ଟାରେ ନିୟନ୍ତ୍ରଣ ହରାଇ ଟ୍ରକଟି ତରକେରା ପମ୍ପହାଉସ ନିକଟ ଶେଖର ଚନ୍ଦ୍ର ମହାନ୍ତିଙ୍କ ଘର ଆଗରେ ଛିଡା ହୋଇଥିବା ବୋଲେରୋକୁ ଧକ୍କା ଦେଇଥିଲା। ପରେ ବୋଲେରୋ ସହ ଟ୍ରକଟି ଶେଖରଙ୍କ କାନ୍ଥ ଭାଙ୍ଗି ଘର ଭିତରକୁ ପଶିଯାଇଥିଲା। ଘରର ପ୍ରଥମ ବଖରା ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହ ଲକ୍ଷାଧିକ ଟଙ୍କା ଆସବାପତ୍ର ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ସେହି ଘରେ ଶେଖରଙ୍କ ପରିବାର କେହି ସଦସ୍ୟ ଶୋଇ ନଥିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।