ଜଗତସିଂହପୁର: ‘ଯେତେବେଳେ ବୋଟ୍‌ରୁ ରଶି ଛିଡ଼ିଗଲା, ମୃତ୍ୟୁ ସୁନିଶ୍ଚିତ ବୋଲି ଧରି ନେଇଥିଲୁ। ମୁହାଁଣ ପାଖରେ ଅଥଳ ଜଳରାଶିରେ ବୋଟ୍ ନିୟନ୍ତ୍ରଣ ହରାଇଲା। ବୋଟ୍ ନିୟନ୍ତ୍ରଣ ହରାଇବା ପରେ ବୁଡ଼ିବା ସୁନିଶ୍ଚିତ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବୋଟ୍ ଭାସି ଭାସି ଯାଇଥିଲା। ରାତିରେ ଟାପୁରେ ଯାଇ ଲାଗିଲା। କିନ୍ତୁ ସେଠାରେ ବନ୍ୟ ଜନ୍ତୁଙ୍କ ଭୟ ଥିଲା। ରାତି ସାରା ଅନିଦ୍ରା ରହିଥିଲୁ। ସକା‌ଳେ ପ୍ରଶାସନ ଓ ସାଥୀ ମତ୍ସ୍ୟଜୀବୀ ପହଞ୍ଚି ଉଦ୍ଧାର କରି ଆଣିଲେ। ଭଗବାନ ଆମକୁ ବଞ୍ଚାଇଦେଲେ।’ ସମୁଦ୍ର ଭିତର ବାଲି ଟାପୁରୁ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ଗଲାକାଲି କାଳ ରାତିର କାହାଣୀ ବଖାଣିଛନ୍ତି ୭ ମତ୍ସଜୀବୀ। ପାରାଦୀପ ନେହରୁ ବଙ୍ଗଳା ମୁହାଁଣରେ ସମୁଦ୍ରରେ ଭାସି ଯାଇଥିବା ଶ୍ରୀକ୍ଷେତ୍ର-୩ ବୋଟ୍‌ର ୭ ମତ୍ସ୍ୟଜୀବୀ ଆଜି ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ଉଦ୍ଧାର ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଅଛନ୍ତି ବୋଟ୍‌ ଚାଳକ ପ୍ରହ୍ଲାଦ ଦଳାଇ, ଲକ୍ଷ୍ମୀଧର ଦଳାଇ, ବୈକୁଣ୍ଠ ମଲ୍ଲିକ, ରମେଶ ବେହେରା, ଦେବରାଜ ବେହେରା, ଭିକାରି ବେହେରା ଓ କମଳାକାନ୍ତ ମଲ୍ଲିକ।

Advertisment

୫ ଦିନ ତଳେ ସେମାନେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ଫେରୁଥିବା ବେଳେ ନେହରୁ ବଙ୍ଗଳା ମୁହାଁଣ ନିକଟରେ ମୋଟର୍ ଖରାପ ହୋଇ ବୋଟ୍ ନିୟନ୍ତ୍ରଣ ହରାଇଥିଲା। ଗୋପାଳଜିଉ ନାମକ ଅନ୍ୟ ଏକ ବୋଟ୍ ରଶି ସାହାଯ୍ୟରେ ଶ୍ରୀକ୍ଷେତ୍ର ବୋଟକୁ ଟାଣି ଟାଣି ମାଛଧରା ବନ୍ଦରକୁ ନେଉଥିଲା। ମୁହାଁଣ ନିକଟରେ ରଶି ଛିଡ଼ି ଯିବାରୁ ଶ୍ରୀକ୍ଷେତ୍ର ବୋଟ ନିୟନ୍ତ୍ରଣ ହରାଇଥିଲା। ଅଥଳ ଜଳ ରାଶିରେ ବୋଟ ଭାସି ଚାଲିଲା। ସେତେବେଳକୁ ଅନ୍ଧାର ହୋଇ ଯାଇଥିଲା। ମହାକାଳପଡ଼ା ନିକଟ ବତୀଘର ପାଖ ଏକ ବାଲି ଟାପୁରେ ବୋଟ ଲାଗିଗଲା। ସେହି ବାଲି ଟାପୁ କୂଳରେ ବିରାଟ ଜଙ୍ଗଲ। ସେଠାରେ ବିଲୁଆ, ଗଧିଆ, ବାର୍‌ହା ଭଳି ଜଙ୍ଗଲି ଜନ୍ତୁଙ୍କ ରଡ଼ିରେ ସେମାନେ ଭୟଭୀତ ହୋଇ ଯାଇଥିଲେ। ସେମାନଙ୍କୁ ଖାଦ୍ୟ, ପାନୀୟ ଓ ସହାୟତା ଦେବା ପାଇଁ ୪ ଜଣ ଡଙ୍ଗା ଚାଳକ ସେହି ଟାପୁରେ ପହଞ୍ଚିଥିଲେ। ରାତି ତମାମ୍ ୧୧ ଜଣ ସେଠାରେ ରହିଥିଲେ। ସକାଳୁ ମେରାଇନ୍, ମତ୍ସ୍ୟ ବିଭାଗ ଓ କୋଷ୍ଟଗାର୍ଡ ମିଳିତ ସହଯୋଗରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଚଳ ବୋଟଟି ସେହି ଟାପୁରେ ରହିଛି।