ପୁରୀ ଓ ଖୋର୍ଧା ଜିଲ୍ଲାରେ ତଦାରଖ ପାଇଁ ୭ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ବ

ଭୁବନେଶ୍ବର : ବାତ୍ୟାରେ ପ୍ରଭାବିତ ପୁରୀ ଓ ଖୋର୍ଧା ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ତ୍ବରାନ୍ବତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୭ଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ଏହି ଦୁଇ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଜଳ ବିଶୋଧନ ଓ ପରିମଳ ବ୍ୟବସ୍ଥାକୁ ତଦାରଖ କରିବେ।

ଭିବିଡିର ଅତିରିକ୍ତ ନିର୍ଦେଶକ ଡା.ପ୍ରମିଳା ବରାଳଙ୍କୁ ପୁରୀ ସଦର, ସିଏଚ୍‌ର ଏଡି ଡା. କେ.କେ ଦାସଙ୍କୁ ବ୍ରହ୍ମଗିରି, ଏଚ୍‌ଆରଏଚ୍‌ ଜେଡି ଡା.ଲଲାଟେନ୍ଦୁ ନାୟକଙ୍କୁ ସତ୍ୟବାଦୀ, କ୍ୟାନସର କେୟରର ନୋଡାଲ ଅଧିକାରୀ ଡା.ତାପସ ପାତ୍ରଙ୍କୁ ଗୋପ, ଜେଡି ଟ୍ରେନିଂ ଡା.ଲୋକନାଥ ପାତ୍ରଙ୍କୁ କଣାସ, ପିବିଏସ୍‌ର ନୋଡାଲ ଅଧିକାରୀ ଡା.ସୁଶାନ୍ତ ସ୍ବାଇଁଙ୍କୁ କୃଷ୍ଣପ୍ରସାଦ ଓ ସୁନେତ୍ର ପିଓର ଡା.ଜନାର୍ଦ୍ଦନ ନାୟକଙ୍କୁ ଜଟଣୀ, ବାଲିଅନ୍ତା ଓ ଟାଙ୍ଗୀ ବ୍ଲକ୍‌ର ଦାୟିତ୍ବ ଦିଆଯାଇଛି। ଏହି ଅଧିକାରୀମାନେ ସ୍ଥାନୀୟ ମେଡିକାଲ ଅଫିସର କିମ୍ବା ବ୍ଲକ୍‌ ନୋଡାଲ ଅଧିକାରୀଙ୍କ ସହାୟତାରେ ଏକ ଟିମ୍ ଗଠନ କରିବା ସହିତ ‌ମୁକ୍ତ ଜଳଉତ୍ସଗୁଡ଼ିକର ବିଶୋଧନ ଉପରେ ଗୁରୁତ୍ବ ଦେବେ। ଏହାସହ ଯେଉଁ ପୋଖରୀ କିମ୍ବା ନଦୀରେ ଜୀବଜନ୍ତୁଙ୍କ ମୃତଦେହ ଭାସୁଥିବାରୁ ନଜର ଆସିବ ସେଠାରେ ଏହାକୁ ବ୍ୟବହାର ନ କରିବା ପାଇଁ ସାଇନ୍‌ବୋର୍ଡ ଲଗାଇବା, ଯଥେଷ୍ଟ ପରିମାଣର ବ୍ଲିଚିଂ ପାଉଡର୍‌ ମହଜୁଦ ରଖିବା, ସ୍ଥାନୀୟ ଲୋକମାନଙ୍କୁ ହାଲୋଜେନ୍ ବଟିକା/କ୍ଲୋରିନ୍ ବଟିକା ବଣ୍ଟନ, ପାଣି ନମୁନା ପରୀକ୍ଷା, ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ପାଇଁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର