ଅଧ୍ୟାପକଙ୍କ ୭ ଘଣ୍ଟିଆ ଡ୍ୟୁଟିକୁ ବିରୋଧ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରି କଲେଜ ଅଧ୍ୟାପକଙ୍କୁ ୭ ଘଣ୍ଟା ଡ୍ୟୁଟି କରିବାକୁ ନିର୍ଦେଶ ଦିଆଯାଇଛି। ଯାହାକୁ ନେଇ ସାରା ରାଜ୍ୟରେ ବିରୋଧର ସ୍ବର ଉଠିବାରେ ଲାଗିଛି। ଶିକ୍ଷାବିତ୍‌ମାନେ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିବା ବେଳେ ୬୬୨ ଓ ୪୮୮ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଗତକାଲି ୪୮୮ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସମନ୍ବୟ ସମିତିର ଏକ ପ୍ରତିନିଧିଦଳ ବିଭାଗୀୟ ସଚିବ ଶାଶ୍ବତ ମିଶ୍ରଙ୍କୁ ସାକ୍ଷାତ କରି ଏ ନେଇ ଆଲୋଚନା କରିଛନ୍ତି ଏବଂ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ବୋଲି ସମନ୍ବୟ ସମିତିର ସଭାପତି ପବିତ୍ର ମାହାଲା କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ମଧ୍ୟ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ଅଧ୍ୟାପକଙ୍କୁ ସମୟର ଅନୁଶାସନରେ ବାନ୍ଧିବା ପୂର୍ବରୁ ସରକାର ନିଜର ଦାୟିତ୍ବ ପାଳନ କରନ୍ତୁ। ଯେଉଁ ନିୟମକୁ ଆଧାର କରି ଅଧ୍ୟାପକମାନଙ୍କୁ ୭ ଘଣ୍ଟା ଧରି କଲେଜରେ ବାନ୍ଧି ରଖିବାକୁ ଚା‌ହୁଁଛନ୍ତି ସେହି ନିୟମରେ ଅଉ ଯେଉଁ ସବୁ କଥା ରହିଛି ତାହା ପୂରଣ କରନ୍ତୁ। ଶିକ୍ଷାକୁ ଏକ ଅଣ ଉତ୍ପାଦିତ କ୍ଷେତ୍ର ବୋଲି ଧରିନେଇ କ୍ରମାଗତ ଭାବେ ଅବହେଳା କରାଯାଉଛି। ଏଭଳି ମନମୁଖୀ କାର୍ଯ୍ୟ କଲେ ତାହାର ପ୍ରତିବାଦ କରାଯିବ ‌ବୋଲି ସେ କହିଛନ୍ତି।

ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ସାଧାରଣ ସମ୍ପାଦକ ରବି ରାୟ ଓ ବେସରକାରୀ କଲେଜ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷକଙ୍କ ବିକାଶକୁ ଗୁରୁତ୍ବ ନ ଦେଇ ଅଧ୍ୟାପକଙ୍କ ଉପରେ ୭ ଘଣ୍ଟା ଦାୟିତ୍ବ ଲଦି ଦେଉଛନ୍ତି। ଏଭଳି ନିୟମ କେଉଁଠି ବି ନାହିଁ। ଏହାଦ୍ବାରା ଅଧ୍ୟାପକଙ୍କ ଉପରେ ଚାପ ସୃଷ୍ଟି ହେବ। ତେଣୁ ନିର୍ଦେଶନାମାକୁ ପ୍ରତ୍ୟାହାର କରାଯାଉ।

ଅଲ୍‌ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ନିର୍ଦେଶନାମାର ପ୍ରତ୍ୟାହାର କରିବା ଲାଗି ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର