କୂଳ ଲଂଘୁଛି ଖରସ୍ରୋତା: ଲୀନ ହେଲାଣି ୭ ଶହ ଏକର ଜମି

ରାଜକନିକା: ଖରସ୍ରୋତା କୂଳ ଲଂଘୁଛି। ରାଜକନିକା ବ୍ଲକ୍‌ ସିକୋ ପଞ୍ଚାୟତ ଡାଳିକାଏନ୍ଦା ଗ୍ରାମର ପ୍ରାୟ ୭ଶହ ଏକର ଚାଷଜମିକୁ ଖରସ୍ରୋତା ଗର୍ଭସ୍ଥ କରିସାରିଲାଣି। ନଦୀ ଗାଁ ଆଡ଼କୁ ମାଡ଼ି ମାଡ଼ି ଆସୁଛି। ଏମିତି ବିପଦ ଘନେଇଥିବା ବେଳେ ଡାଳିକାଏନ୍ଦା ଗ୍ରାମବାସୀ ଏକପ୍ରକାର ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି। ତୁରନ୍ତ ପଥର ପ୍ୟାକିଂ କରା ନ ଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଶୁଣାଇଛନ୍ତି। ସୂଚନା ଅନୁସାରେ, ଡ଼ାଳିକାଏନ୍ଦା ଗ୍ରାମରେ ବସବାସ କରନ୍ତି ୭ ଶହ ପରିବାରର ପ୍ରାୟ ୩ ହଜାର ୫ ଶହ ଲୋକ। ଗାଁର ୬୦ ଭାଗ ଲୋକ ମୁଖ୍ୟତଃ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ଚାଷଜମି ବାର ଫସଲି ହୋଇଥିବାରୁ ଏଠାରେ ପନିପରିବା ଓ ବାଦାମ ଚାଷ କରି ଚାଷୀମାନେ ଉପକୃତ ହୋଇଥାନ୍ତି। ବିଶେଷକରି ଚାଷୀମାନେ ପନିପରିବା ରାଜକନିକା ଅଞ୍ଚଳକୁ ଯୋଗାଇଥାନ୍ତି। ହେଲେ ଖରସ୍ରୋତାର କରାଳ ରୂପକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେମାନେ। ଖରସ୍ରୋତା ନଦୀ କୂଳ ଲଂଘି ୧ ନମ୍ବର ନକ୍ସାର ୫ ଶହ ଏକର ଜମିକୁ ଗର୍ଭସ୍ଥ କରି ସାରିଲାଣି। ୨ନମ୍ବର ନକ୍ସାର ୨ ଶହ ଏକର ଚାଷ ଜମି ବି ନଦୀରେ ଲୀନ ହୋଇ ସାରିଛି l ବଡ଼କଥା ହେଉଛି ଗାଁଠାରୁ ପାଖାପାଖି ୪ଶହ ମିଟର ଦୂରରେ ରହିଛି ଖରସ୍ରୋତା ନଦୀ।

ଖରସ୍ରୋତା କୂଳ ଲଂଘିବା ଯୋଗୁଁ ସେମାନଙ୍କ ଚାଷ ପ୍ରଭାବିତ ହେଉଛି ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପଟେ ନଦୀ କାୟା ବଦଳା‌ଉଥିବାରୁ ଏହି ଗ୍ରାମର କିଛି ଚାଷୀଙ୍କ ଜମି ନଦୀ ଆରପଟ ଆଳି ବ୍ଲକ୍‌ର ବାଳକାଟୀ ଅଞ୍ଚଳରେ ରହି ଯାଇଛି। ସେଠାକୁ ଯିବା ସହଜ ହେଉ ନଥିବାରୁ ସେହି ଜମି ଆଉ ଚାଷ ଉପଯୋଗୀ ହୋଇ ରହିନାହିଁ। ପ୍ରଭାବିତ ଚାଷୀ ଦୁଃଶାସନ ସ୍ୱାଇଁ, ଅଭୟ ସ୍ୱାଇଁ, କୈଳାସ ସେଠୀ, ବ୍ରହ୍ମା‌ନନ୍ଦ ସ୍ୱାଇଁ, ରବିନାରାୟଣ ସ୍ୱାଇଁ, ଭାଗୀରଥି ସ୍ୱାଇଁ, ମୁରଲୀ ସେଠୀ, ଅନିରୁଦ୍ଧ ସେଠୀ, ନରୋତ୍ତମ ମଲିକ, ମନ୍ମଥ ମଲିକ, ରବୀନ୍ଦ୍ର ଗୁରୁ, ରାଜନାରାୟଣ ନାୟକ, ପ୍ରମୋଦ ରାଉତ, ସରୋଜ ବେହେରା, ବିଶ୍ୱାମିତ୍ର ଜେନା ପ୍ରମୁଖ ତୁରନ୍ତ ପଥର ପ୍ୟାକିଂ ପାଇଁ ଦାବି କରିଛନ୍ତି। ନଚେତ୍‌ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

ସମ୍ବନ୍ଧିତ ଖବର