୫ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସମେତ ୭ ଆହତ

ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଅଟୋ ଓଲଟିଲା

ଖୋର୍ଧା : ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂହ ପଞ୍ଚାୟତ ଡିହଖଳା ଓରବରସିଂହ ମଝିରେ ଥିବା ଏକ ବ୍ରିଜ୍‌ ନିକଟରେ ଆଜି ଏକ ଦୁର୍ଘଟଣାରେ ମୋଟ ୭ଜଣ ଆହତ ହୋଇଛନ୍ତି। ଏକ ବାଇକ୍‌ରେ ବସିଥିବା ୨ଜଣ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଅଟୋଟି ଓଲଟି ପଡ଼ିବାରୁ ଏହି ଅଘଟଣ ଘଟିଥିଲା। ଆହତଙ୍କ ମଧ୍ୟରେ ୫ଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀ ଥିବା ଜଣାଯାଇଛି। ସେମାନେ ହେଲେ, ସଦର ଥାନା ଅନ୍ତର୍ଗତ ଧଉଳିମୁହଁ ପଞ୍ଚାୟତ ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ଛାତ୍ର ତ୍ରିନାଥ ସାହୁ, କାହ୍ନ ବେହେରା, ସୁନିଲ ରାଉତରାୟ, ଅନିରୁଦ୍ଧ ବେହେରା ଓ ସତ୍ୟବ୍ରତ ମହାନ୍ତି। ଆହତ ଅନ୍ୟ ୨ଜଣ ହେଲେ, ମଶାଣିଆ ରାଇପୁର ଅନ୍ତର୍ଗତ ରାଜେଶ କୁମାର ଜୟସିଂହ ଓ ମନୋଜ କୁମାର ରାୟ (ମୁନା)। ଛାତ୍ରମାନଙ୍କୁ ହାଡ଼ପଦାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଗୁରୁତର ଆହତ ବାଇକ୍‌ ଆରୋହୀଦ୍ୱୟ ଚିକିତ୍ସିତ ହେଉଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ପରୀକ୍ଷା ସାରି ୫ଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀ ଏକ ଅଟୋରେ ଓରବରସିଂହ ନୋଡାଲ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରୁ ଘରକୁ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଫେରୁଥିଲେ। ଧଉଳିମୁହଁ ଛକ ନିକଟରେ ବିପରୀତ ଦିଗରୁ ଏକ ବାଇକ୍‌ରେ ଆସୁଥିବା ରାଜେଶ ଓ ମନୋଜ ହଠାତ୍‌ ଅଟୋ ସାମ୍ନାକୁ ଚାଲି ଆସିବାରୁ ଚାଳକ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ଚାଳକ ଗାଡ଼ିକୁ ସାଇଡ୍‌ କରୁଥିବା ବେଳେ ତାହା ସଂପୂର୍ଣ୍ଣ ଓଲଟି ପଡ଼ିଥିଲା। କିନ୍ତୁ ସୌଭାଗ୍ୟବଶତଃ ପରୀକ୍ଷାର୍ଥୀମାନଙ୍କ ସେପରି କୌଣସି ବିଶେଷ କ୍ଷତି ହୋଇନଥିଲା। ଅପରପକ୍ଷେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର