ଗ୍ୟାସ ଟାଙ୍କି ଲିକ୍‌ରୁ ନିଆଁ, ୭ ଗୁରୁତର

ବାଙ୍କୀ : ବାଙ୍କୀ ବ୍ଲକ୍‌ ତାରେଣୀ ଛକ ନିକଟରେ ରୋଷେଇ ଗ୍ୟାସ୍‌ ଟାଙ୍କୀରୁ ଗ୍ୟାସ୍‌ ଲିକ୍‌ ହୋଇ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ମଧ୍ୟରେ ଅଛନ୍ତି କୃପାସିନ୍ଧୁ ରାଉତ (୧୨), ପପୁ ବେହେରା (୨୩), ସରସ୍ୱତୀ ରାଉତ (୩୯), ମଣ୍ଟୁ ରାଉତ (୧୭), ବିଦ୍ୟାଧର ରାଉତ (୫୩), ବାସନ୍ତୀ ରାଉତ (୪୬) ଓ ଗଣେଶ୍ୱର ରାଉତ (୪୩)। ସେମାନଙ୍କୁ ଏସ୍‌ସିବି ବର୍ଣ୍ଣ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଶନିବାର ସଂଧ୍ୟା ସମୟରେ ବ୍ରହ୍ମପୁରା ଗ୍ରାମର ବାସନ୍ତୀ ରାଉତଙ୍କ ଘରେ ନୂଆ ଗ୍ୟାସ୍‌ ଟାଙ୍କୀରୁ ଚୂଲାକୁ ଗ୍ୟାସ ସଂଯୋଗ କରାଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଗ୍ୟାସ୍‌ ଯୋଗାଣକାରୀ କମ୍ପାନୀ ପକ୍ଷରୁ ଖଜୁରୀ ପଦା ଗ୍ରାମର ପପୁ ବେହେରା ନୂତନ ଗ୍ୟାସ ସଂଯୋଗ କରୁଥିଲେ। ସଂଯୋଗ ପରେ ଲାଇଟରରେ ଚୂଲା ଲଗାଇବାକୁ ଉଦ୍ୟମ ବେଳେ ଦୁର୍ଘଟଣା ଘଟିଥିଲା। ଗ୍ୟାସ ଲିକ୍‌ ହୋଇ ନିଆଁ ଧରିଥିବା ବେଳେ ସିଲିଣ୍ଡରଟି କିନ୍ତୁ ଫାଟି ନ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର