ପଦ୍ମପୁର : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡା ପଞ୍ଚାୟତ ଅନ୍ତର୍ଗତ ହର୍ଲାଗୁଡା ଛକରେ ଏକ ମ୍ୟାକ୍ସ ପିକ୍ଅପ୍ ଓଲଟି ପଡ଼ିବାରୁ ରାସ୍ତା କାମ ସାରି ଘରକୁ ଫେରୁଥିବା ୭୦ଜଣ ପୁରୁଷ ଓ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ପଦ୍ମପୁର ଓ କେନ୍ଦୁଗୁଡା ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା ଜାରି ରହିଛି।
ସୂଚନା ଅନୁଯାୟୀ, ଆଜି ସକାଳେ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ରଙ୍ଗମାଟି ଗ୍ରାମର ୭୦ଜଣ ପୁରୁଷ ଓ ମହିଳା ଶ୍ରମିକ ଲମ୍ବିଡାଙ୍ଗ ଗ୍ରାମରେ ଚାଲିଥିବା ରାସ୍ତା କାମ ପାଇଁ ଯାଇଥିଲେ। କାମ ସାରି ସମସ୍ତେ ସଂଧ୍ୟାରେ ଏକ ମ୍ୟାକ୍ସ ପିକ୍ଅପ୍ ଯୋଗେ ଘରକୁ ଫେରୁଥିଲେ। ତେବେ ସଂଧ୍ୟା ପ୍ରାୟ ୬ଟାରେ ହର୍ଲାଗୁଡା ଛକ ନିକଟରେ ହଠାତ୍ ଭାରସାମ୍ୟ ହରାଇ ପିକ୍ଅପ୍ଟି ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ସମସ୍ତ ୭୦ଜଣ ଶ୍ରମିକ ଅଳ୍ପବହୁତ ଆହତ ହୋଇଥିଲେ। ଖବର ପାଇ ପଦ୍ମପୁର ଦମକଳ କେନ୍ଦ୍ରର ଅଧିକାରୀ ସୁଶାନ୍ତ କୁମାର ସେଠୀ ଓ କର୍ମଚାରୀ, ପଦ୍ମପୁର ଓ କେନ୍ଦୁଗୁଡା ମେଡିକାଲରେ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆହତମାନଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କେନ୍ଦୁଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ। ଖବର ଲେଖା ହେବା ସୁଦ୍ଧା ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ପଦ୍ମପୁର ମେଡିକାଲରେ ଡା. ଅରୁଣ କୁମାର ମାନସିଂ, ଡା. ସୌମ୍ୟରଂଜନ ପତି, ଡା. ସୌମ୍ୟରଂଜନ ପାଢୀ ପ୍ରମୁଖ ଆହତଙ୍କ ଚିକିତ୍ସା କରୁଛନ୍ତି। ପଦ୍ମପୁର ଥାନା ଏସ୍ଆଇ ତ୍ରିନାଥ ତୋଟାପାଡିଆ ପଦ୍ମପୁର ମେଡିକାଲରେ ପହଞ୍ଚି ଆହତଙ୍କୁ ଦୁର୍ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ଟି ଏନ. ବାରଡାଙ୍ଗ ଗ୍ରାମର ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/accident90-news-first.jpg)