ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଲୁଇସିଂ ପଞ୍ଚାୟତର ସୁଟାଣିଘାଟି ନିକଟରୁ ପୁଲିସ ଏକ କାର୍ରୁ ୪ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ପୁଲିସ ୭ ଅନ୍ତଃରାଜ୍ୟ ମାଫିଆକୁ କାବୁ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଡ଼ଚଣାପାଲି ଗ୍ରାମର ସ୍ବାଧୀନ ଖଟୁଆ (୩୬), ଅରୁଣ କୁମାର ରଣା ( ୩୧), ସୁବୁଦ୍ଧି ସାହୁ (୩୭), କଣ୍ଟାମାଳ ଥାନା ସାନଚଣାପାଲି ଗ୍ରାମର ସଦାସନ ବାରିକ (୨୫), ରିତୁ ବାରିକ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ତିଥିପାଲି ଗ୍ରାମର ଆଲୋକ କୁମାର ପାତ୍ର ( ୩୫), ଗୋଛାପଡ଼ା ଥାନା କୁମ୍ବେଲ ସିଂ ଗ୍ରାମର ସମୀର ସାହୁ। ତେବେ ଏହି ଘଟଣାରେ ଗୋଛାପଡ଼ାର ଲଣ୍ଡା ସାହୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ପୁଲିସ କହିଛି।
ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୧୬ଟି ପ୍ୟାକେଟରେ ଚାଲାଣ ହେଉଥିବା ୪ କ୍ବିଣ୍ଟାଲ୍ ଗଞ୍ଜେଇ, ଏକ କାର୍ ସମେତ ୭ଟି ବାଇକ୍,୧୦ଟି ମୋବାଇଲ୍ ଫୋନ୍, ୪୬ହଜାର ଟଙ୍କା, ୬ରାଉଣ୍ଡ ଗୁଳିଭର୍ତ୍ତି ପିସ୍ତଲ, ଗୋଟିଏ ହକି ଓ ୨ଟି ବେସ୍ବଲ ଷ୍ଟିକ୍ ଜବତ କରିଛି। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇ ଗୋଛାପଡ଼ା ପୁଲିସ ଲୁଇସିଂ ପଞ୍ଚାୟତର ସୁଟାଣି ଘାଟି ନିକଟରେ ଛକି ରହିଥିଲେ। ଅଭିଯୁକ୍ତମାନେ ଗଞ୍ଜେଇକୁ ଏକ କାର୍ ଯୋଗେ ୭ଟି ବାଇକ୍ରେ ଏସ୍କର୍ଟ କରି ନେଇ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଏ ସଂକ୍ରାନ୍ତରେ ପୁଲିସ କେସ ନମ୍ବର ୧୩୪/୨୪ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଫୁଲବାଣୀ ସଦର ଏସ୍ଡିପିଓ ସୁପ୍ରସନ୍ନ ମଲିକ ସୂଚନା ଦେଇଛନ୍ତି।