ବିସ୍ଫୋରଣରେ ୭ ଯବାନ ସହିଦ : ଅସ୍ତ୍ରଶସ୍ତ୍ର ଲୁଟିନେଲେ ନକ୍ସଲ, ବ୍ୟବହାର ହୋଇଥିଲା ୫୦ କିଲୋ ବିସ୍ଫୋରକ

ଆଜିି ଛତିଶଗଡ଼ ଆସୁଛନ୍ତି ରାଜନାଥ ସିଂହ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲା କିରଣ୍ଡୁଲ ଅନ୍ତର୍ଗତ ଚୋଲନାର ନିକଟରେ ନକ୍ସଲଙ୍କ ଆଇଇଡି (ଇମ୍ପ୍ରୋଭାଇସ୍‌ଡ୍‌ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌ ବା ବୋମା) ବିସ୍ଫୋରଣରେ ୭ଜଣ ଯବାନ ସହିଦ ହୋଇଛନ୍ତି। ରାସ୍ତା କାମକୁ ସୁରକ୍ଷା ଯୋଗାଇ ଦେବାକୁ ଯବାନମାନେ ଗୋଟିଏ ଘରୋଇ ଗାଡ଼ିରେ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା। ଏହାପରେ ନକ୍ସଲ ଆଖିବୁଜା ଗୁଳି ଚଳାଇ ଘଟଣାସ୍ଥଳରୁ ୨ଟି ଏକେ-୪୭ ଏବଂ ୪ଟି ଇନ୍‌ସାସ ରାଇଫଲ ସହ ଅନ୍ୟ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ଦୁଇ ଦିନ ପରେ ଏହି ଅଞ୍ଚଳରେ ହେବାକୁ ଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡା. ରମଣ ସିଂହଙ୍କ ବିକାଶ ଯାତ୍ରା ପୂର୍ବରୁ ଏଭଳି ହିଂସାକାଣ୍ଡ ଘଟାଇ ନକ୍ସଲ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ଚୋଲନାରା ଥାନାରୁ ଜିଲ୍ଲା ସୁରକ୍ଷା ବଳ ଏବଂ ସିଏଏଫ୍‌ ଯବାନ ଗୋଟିଏ ଘରୋଇ ଗାଡ଼ିରେ ରାସ୍ତା କାମକୁ ସୁରକ୍ଷା ଯୋଗାଇ ଦେବାକୁ ବାହାରିଥିଲେ। ଯବାନଙ୍କ ଗତିବିଧି ଉପରେ ପୂର୍ବରୁ ନଜର ରଖିଥିବା ନକ୍ସଲ ଚଲନରା ଜଙ୍ଗଲିଆ ରାସ୍ତାରେ ଆଇଇଡି ବିସ୍ଫୋରଣ କରିଥିଲେ। ଯାହାଫଳରେ ଯବାନଙ୍କୁ ନେଇ ଯାଉଥିବା କାର ଶୂନ୍ୟରେ ୧୫ଫୁଟ ଉଚ୍ଚକୁ ଉଠିବା ପରେ ଖଣ୍ଡ ଖଣ୍ଡ ହୋଇ ବିସ୍ଫୋରଣ ସ୍ଥଳରୁ ବହୁ ଦୂରରେ ଯାଇ ପଡ଼ିଥିଲା। ଘଟଣାସ୍ଥଳରେ ହାବିଲଦାର ରାମ କୁମାର ଯାଦବ, ଟିକେଶ୍ୱର ଧ୍ରୁବ, ସାଲିଗ୍ରାମ ସିହ୍ନା, ବିକ୍ରମ ଯାଦବ, ରାଜେଶ ସିଂହ, ବୀରେନ୍ଦ୍ର ସିଂହ ପ୍ରମୁଖ ସହିଦ ହୋଇଯାଇଥିଲେ।। ଅର୍ଜୁନ ରାଜବର ଗୁରୁତର ଆହତ ହୋଇଥିଲେ। ଏହାପରେ ନକ୍ସଲ ଅତି ନିକଟରୁ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ଗାଡ଼ି ଉପରକୁ ଆଖିବୁଜା ଗୁଳି ଚଳାଇ ଯବାନଙ୍କ ଅସ୍ତ୍ରଶସ୍ତ୍ର ଲୁଟ୍‌ କରି ଚାଲି ଯାଇଥିଲେ। ଏହି ବିସ୍ଫୋରଣରେ ନକ୍ସଲ ୫୦ କିଲୋ ଓଜନର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏଏସ୍‌ପି ଜି.ଏନ ବାଘେଲଙ୍କ କହିବାନୁସାରେ, ସେହି ରାସ୍ତାରେ ଯାତାୟାତ ପାଇଁ ଯବାନମାନେ ପୂର୍ବରୁ ବାଇକ୍‌ ବ୍ୟବହାର କରୁଥିଲେ। ତେଣୁ ନକ୍ସଲ ଛୋଟ ଛୋଟ ଦଳ ହୋଇ ପାଟ୍ରୋଲିଂକୁ ଯାଉଥିବା ଯବାନଙ୍କୁ ଟାର୍ଗେଟ କରୁଥିଲେ। କିନ୍ତୁ ଆଜି ଦୁର୍ଭାଗ୍ୟବଶତଃ ୭ଜଣ ଯବାନଙ୍କୁ ନେଇ ଯାଉଥିବା ଘରୋଇ ଗାଡ଼ି ନକ୍ସଲଙ୍କ ଜାଲରେ ଫସି ଯାଇଥିଲା। ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋର୍‌ଦାର୍‌ କରାଯାଇଛି।

ସେହିପରି ଆଇଜି ବିବେକାନନ୍ଦ ସିହ୍ନା ପ୍ରତିକ୍ରିୟାରେ କହିଛନ୍ତି ଯେ, ଘଟଣା ସଂପର୍କରେ ସୂଚନା ମିଳିବା ପରେ ବହୁସଂଖ୍ୟାରେ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଜଗଦଲପୁରରୁ ଗୋଟିଏ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚି ଆହତ ଯବାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲ ନେଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଯବାନ ଅର୍ଜୁନ ରାଜବରଙ୍କ ମୃତ୍ୟୁ ହୋଇଯାଇଥିଲା। ଗତ କିଛି ମାସ ହେଲା ସୁକମା ଅଞ୍ଚଳରେ ଛତିଶଗଡ଼ ପୁଲିସ ପକ୍ଷରୁ ମାଓ ଦମନ ଅଭିଯାନକୁ ଜୋର୍‌ଦାର୍‌ କରାଯାଇଛି। ଯାହାଫଳରେ ରକ୍ତମୁଖା ନକ୍ସଲ ବଡ଼ଧରଣର ଅଘଟଣ ଘଟାଇବାକୁ ସୁଯୋଗ ଖୋଜୁଥିଲେ। ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବିକାଶ ଯାତ୍ରା କାର୍ଯ୍ୟକ୍ରମ ବଚେଲିଠାରେ ଆୟୋଜନ ହେବାକୁ ଅଛି। ତେଣୁ ଏହି କାର୍ଯ୍ୟକ୍ରମ ପୂର୍ବରୁ ହିଁ ହମ୍‌ଲା କରିବାକୁ ନକ୍ସଲ ଯୋଜନା କରିଥିବାବେଳେ ଆଜି ସେଥିରେ ସଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଏହି ଘଟଣାକୁ ନିନ୍ଦା କରିବା ସହ ଆଗକୁ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣାସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର