ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ବଡ଼ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୪ ନକ୍ସଲ। ଲାଲ ବାହିନୀର ବିପୁଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗୁଇନ୍ଦା ସୂତ୍ରରୁ ବିଜାପୁର ପୁଲିସକୁ ନକ୍ସଲଙ୍କ କ୍ୟାମ୍ପ ସଂପର୍କରେ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷାକର୍ମୀ ବିଜାପୁର ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲେ। ଆଜି ସଂଧ୍ୟାରେ ନକ୍ସଲଙ୍କ କ୍ୟାମ୍ପ ନିକଟରେ ପହଞ୍ଚିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପ୍ରବଳ ଗୁଳି ବର୍ଷଣ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ ଅପରେସନ୍ ସମୟରେ ୪ ନକ୍ସଲଙ୍କ ମୃତଦେହ ମିଳିଛି। ସେହିପରି ଏସ୍ଏଲ୍ଆର ଏବଂ ଇନ୍ସାସ୍ ବନ୍ଧୁକ ମିଳିଛି। ନିହତ ନକ୍ସଲଙ୍କ ପରିଚୟ ଜଣାପଡ଼ିନାହିଁ। ଶେଷ ଖବର ସୁଦ୍ଧା ନକ୍ସଲଙ୍କ ପିଛା କରୁଛନ୍ତି ସୁରକ୍ଷାକର୍ମୀ। ମଝିରେ ମଝିରେ ଗୁଳି ବିନିମୟ ହେଉଥିବା ଜଣାପଡ଼ିଛି। ଅପରେସନ୍ ସଂପୂର୍ଣ୍ଣ କରି ଯବାନ ଫେରିବା ପରେ ସବିଶେଷ ବିବରଣୀ ମିଳିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଗୁଳି ବିନିମୟରେ ୩ ଉଗ୍ରବାଦୀଙ୍କ ମୃତ୍ୟୁ, ଏକେ-୪୭, ୨ ଇନ୍ସାସ୍ ରାଇଫଲ୍ ଜବତ
ରାଉରକେଲା/ବିଶ୍ରା: ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିବାବେଳେ ଆଜି ସୀମାନ୍ତରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ନିଷିଦ୍ଧ ଉଗ୍ରବାଦୀ ସଙ୍ଗଠନ ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (ଜେଜେଏମ୍ପି)। ଗୁମ୍ଲା ଘାଘରା ଥାନା ସେହଲ ଗାଁ ନିକଟସ୍ଥ ଜଙ୍ଗଲରେ ବଡ଼ଧରଣ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଉଗ୍ରବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ପୁଲିସ ଏନ୍କାଉଣ୍ଟରରେ ୩ ଉଗ୍ରବାଦୀ ନିହତ ହୋଇଛନ୍ତି। ଅନ୍ୟମାନେ ସେଠାରୁ ଖସିଯିବାରେ ସଫଳ ହୋଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକେ-୪୭ ରାଇଫଲ୍, ୨ଟି ଇନ୍ସାସ୍ ରାଇଫଲ୍ ଜବତ କରିଛି। ତିନି ନିହତଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଛି। ସେ ଦୀପକ ଲୋହାର ବୋଲି ଜଣାପଡ଼ିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ଘଟଣାପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି।
ମିଳିଥିବା ସୂଚନା ମୁତାବକ ଆଜି ଭୋରରେ ଘାଘରାର ସେହଲ ଗାଁ ନିକଟସ୍ଥ ଜଙ୍ଗଲରେ ଜେଜେଏମ୍ପି ଉଗ୍ରବାଦୀ ବଡ଼ଧରଣ ହିଂସାକାଣ୍ଡ ଘଟାଇବାକୁ ଏକାଠି ହୋଇଥିବା ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଟିମ୍ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ପୁଲିସ ଟିମ୍କୁ ଦେଖି ଉଗ୍ରବାଦୀମାନେ ସେଠାରୁ ଖସିଯିବାକୁ ଗୁଳିଚାଳନା ଆରମ୍ଭ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଉଭୟ ପଟୁ ଗୁଳିଚାଳନା ହୋଇଥିଲା। ପୁଲିସ ଗୁଳିରେ ତିନି ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିଲା।