ଗ୍ରାମବାସୀ ୭ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ

ମାଥିଲି: ସ୍ୱାଧୀନତାର ପ୍ରାୟ ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଏଭଳି ଅନେକ ଗାଁ ରହିଛି ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ନାହିଁ । ସରକାର ଗାଁକୁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ପାଇଁ ପ୍ରାଧାନ୍ୟ ଦେଇଥିଲେ ମଧ୍ୟ ଆଜି ବି ଗାଁକୁ ରାସ୍ତା ନ ଥିବା ପରିତାପର ବିଷୟ।  ଗାଁ ଲୋକମାନେ କେତେବେଳେ ପାଣି ପାଇଁ ତ କେତେବେଳ ସ୍ୱାସ୍ଥ୍ୟ ସେବା ପାଇଁ ତ କେତେବେଳେ ଗାଁକୁ ଯିବା ଆସିବା ପାଇଁ ପ୍ରଶାସନକୁ ଗୁହାରି କରିବା ସହ ରାସ୍ତାରେ ଅନଶନ କରୁଥିବା ମଧ୍ୟ ଦେଖାଯାଉଛି।
କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ସୀମାକୁ ଲାଗି ରହିଥିବା ଏହି ପଞ୍ଚାୟତ କୁଟୁଣୀପାଲିର ଲୋକମାନଙ୍କୁ ବୈପାରୀଗୁଡା ବ୍ଲକର ଗୁପ୍ତେଶ୍ୱର, ରାମଗିରି, ଦଣ୍ଡାବାଡ଼ି, ବୈପାରୀଗୁଡା ନିକଟତର ହେଉଥିଲେ ବି ଯିବାଆସିବା ପାଇଁ ରାସ୍ତାଟିଏ ନାହିଁ । ପାହାଡ଼-ପର୍ବତ ଥିବା ଯୋଗୁଁ ଯିବା ଆସିବାରେ ବହୁ ଅସୁବିଧା ହେଉଛି। ଉକ୍ତ ଗାଁ ଗୁଡିକରେ ସାପ୍ତାହିକ ହାଟ ହେଉଥିବାରୁ ସେମାନଙ୍କ ଉତ୍ପାଦିତ ପନିପରିବା, ଜଙ୍ଗଲ ଜାତ ଦ୍ରବ୍ୟ ଯଥା ମହୁଲ, ଟୋଲା, ସରଗି ମଞ୍ଜି ଇତ୍ୟାଦି ବିକ୍ରୟ କରିବା ପାଇଁ ପାହାଡ଼ ପର୍ବତ ଚଢ଼ି ଯାଇଥାନ୍ତି।
କୁଟୁଣୀପାଲିଠାରୁ ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ଦୀର୍ଘ ସାତ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିବା ଅଭିଯୋଗ ହୋଇଛି। ବର୍ତମାନ କୋରନା ମହାମାରୀ ଚାଲିଥିବାରୁ ଗ୍ରାମବାସୀ କୁଆଡେ ନ ଯାଇ ଗାଁରେ ହିଁ ରହିଛନ୍ତି । ଏହି ସମୟକୁ ସମସ୍ତେ ସଦୁପଯୋଗ କରିବା ପାଇଁ ଏକ ବୈଠକ କରି ନିଷ୍ପତି ନେଲେ ଯେ ସେହି ସାତ କିଲୋମିଟର ରାସ୍ତାକୁ ସେମାନେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିବେ । ଶେଷରେ ଗ୍ରାମବାସୀ ପ୍ରଶାସନକୁ ଅପେକ୍ଷା ନ କରି ଆରମ୍ଭ କରିଦେଲେ ରାସ୍ତା କାମ।  ପାହାଡ଼ କାଟି ରାସ୍ତା ନିର୍ମାଣ ହେବାରୁ ବର୍ତମାନ ଯିବା ଆସିବାରେ କୌଣସି ଅସୁବିଧା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏଭଳି କାମ ପାଇଁ କୁଟୁଣୀପାଲି ଗ୍ରାମବାସୀ ଅନ୍ୟମାନଙ୍କ ପାଇଁ ଉଦାହରଣ।
ସମ୍ବନ୍ଧିତ ଖବର