ଯୋରନ୍ଦା/ମହିମାଗାଦି,: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆଜି ମହାସମାରୋହରେ ଆରମ୍ଭ ହୋଇଛି। ୧୪୫ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବର ପ୍ରଥମ ଦିନ ଚତୁର୍ଦ୍ଦଶୀ ଅବସରରେ ମହିମାଗାଦି ମୁଖ୍ୟ ଉପାସନା ପୀଠ ଗାଦି ମନ୍ଦିରରେ ଝାଡ଼ ଦର୍ଶନ ପାଇଁ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ, ଭାରତର ପଡ଼ୋଶୀ ଦେଶ ନେପାଳ, ଭୁଟାନ୍ ଓ ତିବ୍ଦତରୁ ସାଧୁ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରାୟ ୭ ଲକ୍ଷ ଶ୍ରଦ୍ଧାଳୁ ଆଜି ଝାଡ଼ ଦର୍ଶନ କରିଥିବା ବେଳେ ସମବେତ ମହିମା ସାଧୁ ଓ ଭକ୍ତମାନଙ୍କ ଅଲେଖ ମହିମା ଧ୍ୱନିରେ ସମଗ୍ର ଯୋରନ୍ଦା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି। ଆଜି ପ୍ରାତଃ ୩ଟା ୨୦ ମିନିଟରେ ନୀତି ମନ୍ଦିରରୁ ନୀତି ଅଳଙ୍କାର ଗାଦି ମନ୍ଦିରକୁ ଅଣାଯାଇଥିଲା। ପରେ ନୀତି କୂଅରୁ ରୁପା ଗରାରେ ପାଣି ଅଣାଯାଇ ଗାଦି ମନ୍ଦିରକୁ ଶୋଧନ କରାଯାଇଥିଲା। ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀ ମନ୍ଦରଧର ବାବା ଛେରା ପହଁରା କରିଥିଲେ। ପ୍ରାତଃ ୩ଟା ୪୫ରେ ମହିମାଗାଦିରେ ଉପସ୍ଥିତ ସାଧୁମାନେ ବେଢା ପରିକ୍ରମା କରିଥିଲେ। ଭୋର୍ ସାଢେ ୪ଟାରେ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ କ୍ଷୀର ଲାଗି କରାଯାଇଥିଲା। ସନ୍ଧ୍ୟା ୫ଟା ୧୫ରେ ପଶ୍ଚିମ ପାର୍ଶ୍ୱ ବୃହତ୍ ପୀତଳ ଝାଡ଼ରେ ବରିଷ୍ଠ ବକ୍କଳଧାରୀ ମନ୍ଦରଧର ବାବା ଓ ପୂର୍ବ ଦ୍ୱାରରେ ଅଭୟ ବାବା ଝାଡ଼ବତୀରେ ଅଗ୍ନି ସଂଯୋଗ କରିଥିଲେ। ପରେ ଅନ୍ୟ ଦ୍ୱାରରେ ବରିଷ୍ଠ ବକ୍କଳଧାରୀ ସାଧୁ ଝାଡ଼ଦୀପରେ ଅଗ୍ନି ସଂଯୋଗ କରିଥିଲେ। ବାଦ୍ୟ ଯନ୍ତ୍ର ଓ ଖଞ୍ଜଣି ଭଜନ ସହିତ ଲକ୍ଷ ଲକ୍ଷ ଭକ୍ତଙ୍କର ‘ଅଲେଖ ମହିମା’ ଡାକରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ଭକ୍ତମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଝାଡ଼ ଦର୍ଶର୍ନ କଲେ ୭ ଲକ୍ଷ ଶ୍ରଦ୍ଧାଳୁ
/sambad/media/post_attachments/wp-content/uploads/2018/01/joranda-mela.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)