ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାର ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବଣଭୋଜି କରୁଥିବା ସମୟରେ ଚନ୍ଦାହାଣ୍ଡି ଲ୍ୟାମ୍ପ୍ସର ୭ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ଲ୍ୟାମ୍ପ୍ସର ୨୦ରୁ ଉର୍ଦ୍ଧ୍ବ କର୍ମଚାରୀ ରବିବାର ଦିନ ଝରିଗାଁ-ଚନ୍ଦାହାଣ୍ଡି ଘାଟିକୁ ବଣଭୋଜି କରିବାକୁ ଯାଇଥିଲେ। ଖାଇବା ସମୟରେ ହଠାତ୍ ମହୁମାଛି ସମସ୍ତଙ୍କୁ ଆକ୍ରମଣ କରିଥିଲା। ପ୍ରାଣ ବିକଳରେ ସମସ୍ତେ ଖାଇବା ଛାଡ଼ି ଏଣେତେଣେ ଧାଇଁଥିଲେ। ପଛରେ ରହି ଯାଇଥିବା ୭ଜଣ କର୍ମଚାରୀଙ୍କୁ ମହୁମାଛି ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା।
ଫଳରେ ଲ୍ୟାମ୍ପ୍ସ ଏମ୍ଡି ବାବୁଲା ସ୍ବାଇଁଙ୍କ ସହିତ ଦଣ୍ଡାମୁଣ୍ଡା ଗ୍ରାମର ଦେବୀସିଂ ଗଣ୍ଡା, ତେନ୍ତୁଳିପଡ଼ା ଗ୍ରାମର ଜଗନ୍ନାଥ ପୂଜାରୀ ଓ ସଦାନନ୍ଦ ମାଝି, ପ୍ରଦୀପ ମିଶ୍ର, କେଶବ ନାୟକ ଏବଂ ଆସିତ ରାୟ ଗୁରୁତର ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଝରିଗାଁ ରାଜସ୍ବ ନିରୀକ୍ଷକ ବସନ୍ତ ବିଶୋଇ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।
ଚିକିତ୍ସା ପରେ ବାବୁଲା ସ୍ୱାଇଁ, ପ୍ରଦୀପ ମିଶ୍ର, କେଶବ ନାୟକ ଏବଂ ଆସିତ ରାୟ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେବୀସିଂ ଗଣ୍ଡା, ଜଗନ୍ନାଥ ପୂଜାରୀ ଏବଂ ସଦାନନ୍ଦ ମାଝୀଙ୍କ ଶରୀରରୁ ୨ଶରୁ ଊର୍ଦ୍ଧ୍ବ ମହୁମାଛି କଣ୍ଟା ବାହାର କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡା. ଅବିନାଶ ନାୟକ ସୂଚନା ଦେଇଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/15/jTklWq2wXd0GBVXwXXmK.jpg)