ଚିପିଲିମା/ବୁର୍ଲା: ଆଜି ରାତି ୧୦ଟା ୪୫ରେ ୫୩ ନମ୍ବର ଜାତୀୟ ରାଜପଥର କଟାପାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ୫ଟି ଗୋରୁଗାଈଙ୍କ ବି ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ରାତିରେ ବୁର୍ଲା ଥାନା କଟାପାଲି ଛକରେ ଏକ ଗୋରୁ ବୋଝେଇ ଗାଡ଼ି (ଡବ୍ଲ୍ୟୁବି-୧୧-୮୮୫୮) ଅଟକି ରହିଥିଲା। ଏହି କଣ୍ଟେନର ଗାଡ଼ି ସମ୍ମୁଖରେ ୫ ଜଣ ବ୍ୟକ୍ତି ରାତ୍ରି ଭୋଜନ ନିମନ୍ତେ ରୋଷେଇ କରୁଥିଲେ। ଏହି ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ (ଓଡି-୧୫ସି-୨୦୬୩)କୁ ଅନ୍ୟ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇ ‌ତୀବ୍ର ଗତିରେ ଚାଲି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକ୍‌ଚାଳକ (ଓଡି-୧୫ସି-୨୦୬୩) ଗୋରୁ ବୋଝେଇ ଗାଡ଼ିକୁ ଧକ୍କା ଦେଇଥିଲେ। ଗୋରୁ ବୋଝେଇ ଗାଡ଼ି ଓଲଟି ଯିବାରୁ ରୋଷେଇ କରୁଥିବା ବ୍ୟକ୍ତିମାନେ ଚାପି ହୋଇଯାଇଥିଲେ। ସେମାନେ ରୋଷେଇ କରିଥିବା ଖାଦ୍ୟକୁ ଆଉ ଖାଇ ପାରିନଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଣକକୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଆହତ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡ଼ିଛି।

Advertisment

ସେହି ଭଳି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ୫୩ ନମ୍ବର ଜାତୀୟ ରାଜପଥର ଚଟିବରଘାଟ - କଂସରଦ୍ବିବାଟି ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏକ ପିକ୍ ଅପକୁ ଅଜଣା ଟ୍ରକ୍ ଧକ୍କା ଦେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଥାନା ବଳମ ଗ୍ରାମର ସଂଜୀବ ରାଉତ(୨୩) ଓ ଭାଲୁମୁଣ୍ଡା ଗ୍ରାମର ଚନ୍ଦନ ପଲେଇ(୨୪)। ସୂଚନା ଅନୁଯାୟୀ, ସଂଜୀବ ଓ ଚନ୍ଦନ ସମ୍ପୃକ୍ତ ପିକ୍ ଅପରେ ଦେବଗଡ଼ ଫେରୁଥିବା ବେଳେ ସେମାନଙ୍କ ଚକା ପଙ୍କଚର ହୋଇଥିଲା। ସେମାନେ ଗାଡ଼ି ଅଟକାଇ ଚକ ଖୋଲୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କାଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲା। ଘଟଣାସ୍ଥଳରେ ଚନ୍ଦନଙ୍କ ମୃତ୍ୟୁ ଘଟିଥିବା ବେଳେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ସଂଜୀବଙ୍କ ମୃତ୍ୟୁ ଘଟିଛି। ସେହିପରି ଜିଲ୍ଲାର ବାରକୋଟ ଥାନା ୪୯ ନମ୍ବର ଜାତୀୟ ରାଜପଥର ବମପରଡ଼ା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ କୁଶ ନାଏକ(୨୨) ନାମକ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ବାରକୋଟ ଥାନା କତରାପାଲି ଗ୍ରାମରେ ବୋଲି ଜଣାପଡ଼ିଛି।