ଢେଙ୍କାନାଳ/ଓଡ଼ାପଡ଼ା/ ଭୁବନ/ରେଙ୍ଗାଳି/ବନ୍ତଳା/ବଅଁରପାଳ: ଗଲା ୨୪ ଘଣ୍ଟା ଭିତରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟିଛି। ରେଙ୍ଗାଳି କେନାଲ‌୍‌ରେ ବୁଡ଼ିଯାଇ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ୨ଜଣ, ବଉଳି ନଦୀରେ ଜଣେ ଓ ପୋଖରୀରେ ବୁଡ଼ି ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ଜିଲ୍ଲାରେ ଦୁଇ ଦିନରେ କେବଳ ପାଣିରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ଅପରାହ୍‌ଣରେ ରେଙ୍ଗାଳି ଦକ୍ଷିଣ କେନାଲ‌୍‌ରେ ବୁଡ଼ି ଯାଇଥିଲେ ମୋଟଙ୍ଗା ଥାନା ବୀଣାକାରକାଟେଣୀ ଗାଁର ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଦୁଃଶାସନ ସାହୁ (୭୨) ଓ ପତ୍ନୀ ପଦ୍ମାବତୀ (୬୩)। ହଳଦିଆବାହାଳସ୍ଥିତ ସମ୍ପର୍କୀୟଙ୍କ ଘରକୁ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଏହି ଦମ୍ପତି ଆସିଥିଲେ। ସେମାନେ କେନାଲ୍‌କୁ କଣ ପାଇଁ ଯାଇଥିଲେ କେହି ଜାଣିପାରି ନଥିଲେ। ଦମ୍ପତି ନିଖୋଜ ଥିବା ଜଣାପଡ଼ିବା ପରେ ଦମକଳବାହିନୀ ଖୋଜାଖୋଜି କରି ଗତକାଲି ଦୁଃଶାସନଙ୍କ ମୃତଦେହ ଉଦ୍ଧାର କରିଥିଲେ। କିନ୍ତୁ ରାତି ତମାମ ଖୋଜିବା ପରେ ବି ପଦ୍ମାବତୀଙ୍କୁ ପାଇ ନଥିଲେ। ଗୁରୁବାର ସକାଳେ ଢେଙ୍କାନାଳ ସଦର ଥାନା ଅଧୀନ ଗୁଣ୍ଡିଚାପଡ଼ାଠାରୁ ଦମକଳବାହିନୀ ପଦ୍ମାବତୀଙ୍କ ମୃତଦେହ ପାଇଥିଲା। ଦମ୍ପତିଙ୍କ ଏପରି ମୃତ୍ୟୁକୁ ନେଇ ନାନା ଆଲୋଚନା ହେଉଛି। କୌଣସି କାମ ନଥାଇ ସେମାନେ କାହିଁକି କେନାଲ୍‌କୁ ଯିବେ ବୋଲି ପ୍ରଶ୍ନ ଉଠିଛି।

Advertisment

ସେହିପରି ହିନ୍ଦୋଳ ରୋଡ୍‌ ଫାଣ୍ଡି ଅନ୍ତର୍ଗତ ଏକଘରିଆ ଶରଣ ଶ୍ରୀକ୍ଷେତ୍ର ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଗୁରୁବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଦେହରେ ଫୁଲ୍‌ ପ୍ୟାଣ୍ଟ୍‌ ଓ ସାର୍ଟ ଥିବା ବେଳେ କେହି ହତ୍ୟା କରି ତାଙ୍କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି। ସେହିପରି ଭୁବନ ବ୍ଲକ୍‌ ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲର ଭୁବନ ଶାଖା କେନାଲ୍‌ର ବାରୁଆଁଠାରୁ ପ୍ରାୟ ୪ କିଲୋମିଟର ଦୂର ବାଲିଝାଟିଠାରୁ ଭୁବନ ଦମକଳବାହିନୀ ଜଣେ ବୃଦ୍ଧ ଅଲ୍ଲି ରାଉତ (୭୦)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୁରୁବାର ମଧ୍ୟାହ୍ନରେ କେନାଲକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ।

ଅନ୍ୟପଟେ ଅନୁଗୁଳର ରେଙ୍ଗାଳି, ବନ୍ତଳା ଓ ବଅଁରପାଳ ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ପାଣିରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। କଣିହାଁ ବ୍ଲକ୍‌ ରେଙ୍ଗାଳି ପ୍ରକଳ୍ପ ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇ ପ୍ରକଳ୍ପ ପର୍ମାନେଣ୍ଟ କଲୋନି ଦଳିତସାହିର ବିଜୁ ଗୋଚ୍ଛାୟତ(୩୨)ଙ୍କ ପ୍ରାଣହାନି ହୋଇଛି। ବିଜୁ ଗୁରୁବାର ରେଙ୍ଗାଳି ଡ୍ୟାମ୍‌ ତଳେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ସେ ନଦୀରେ ବୁଡ଼ିଯାଇଥିବା ଜଣାପଡ଼ିଛି। କଣିହାଁ ଅଗ୍ନିଶମ ବାହିନୀ ଓ ପୁଲିସ ସହଯୋଗରେ ଗୁରୁବାର ମଧ୍ୟାହ୍ନରେ ନଦୀରୁ ଶବ ଉଦ୍ଧାର ହୋଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ସାରୁଆଳି ଗ୍ରାମରେ ପୋଖରୀରେ ବୁଡ଼ି ଦୁଷ୍ମନ୍ତ ମାଝୀଙ୍କ ପୁଅ ଦେବାଶିଷ (୮)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର ସକାଳେ ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ସହ ସ୍ଥାନୀୟ ଲୋକେ ଖୋଜାଖୋଜି କରି ପୋଖରୀ ହୁଡ଼ାରେ ଦେବାଶିଷଙ୍କ ଚପଲ ଓ ପୋଷାକ ପଡ଼ିଥିବା ଦେଖିଥିଲେ। ଏହାପରେ ପୋଖରୀରେ ଖୋଜାଖୋଜି କରି ଦେବାଶିଷଙ୍କୁ ଉଦ୍ଧାର କରିବା ସହ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନ୍ତଳା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ସେପଟେ ବଅଁରପାଳ ଥାନା ଅଧୀନ ସାମନ୍ତରାପୁର (ଖ) ପଞ୍ଚାୟତ ନୂଆସାହିର ପୁନିଆଁ ସାହୁ (୮୦) ଭତ୍ତା ପାଇଁ ଯାଇଥିବା ବେଳେ ବଉଳି ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ବୁଧବାର ସେ ଭତ୍ତା ପାଇଁ ନଦୀ ପାର ହୋଇ ଫୁଲପଡ଼ା ଯାଇଥିଲେ କିନ୍ତୁ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର ପତ୍ତା ମିଳି ନଥିଲା। ଗୁରୁବାର ଅପରାହ୍‌ଣରେ ନଦୀରେ ତାଙ୍କ ଶବ ଭାସୁଥିବା ଦେଖି ଲୋକେ ପରିବାରକୁ ଖବର ଦେଇଥିଲେ। ସ୍ଥାନୀୟବାସିନ୍ଦାଙ୍କ ସହାୟତାରେ ଶବ ଉଦ୍ଧାର ହୋଇଥିଲା।