ଛତିଶଗଡ଼ରେ ୭ ମାଓବାଦୀ ନିହତ

ମାଲକାନଗିରି: ମାଓ ସଂଗଠନକୁ ପୁଣି ଲାଗିଛି ଶକ୍ତ ଝଟ୍‌କା। ମୂଳପୋଛ ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଆଜି ପୁଲିସକୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାରେ ପୁଲିସ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି ୭ ମାଓବାଦୀ। ଘଟଣାସ୍ଥଳରୁ ଏକେ-୪୭ ସହ ବିପୁଳ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁସାରେ, ଆବୁଝମାଡ଼ା ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଠୁଳ ହୋଇଥିଲେ। ଏହି ଖବର ଗୁଇନ୍ଦା ବିଭାଗ ପାଇବା ପରେ ନାରାୟଣପୁର ପୁଲିସକୁ ତୁରନ୍ତ ଅଭିଯାନ ପାଇଁ ନିର୍ଦ୍ଦେଶ ମିଳିଥିଲା। ପ୍ରଚଣ୍ଡ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତି ସମୟରେ ଭୌଗୋଳିକ ସ୍ଥିତିକୁ ପ୍ରଥମେ ଆକଳନ କରାଯାଇଥିଲା। ଘଞ୍ଚ ଜଙ୍ଗଲରେ ବୈଠକ ଚାଲିଥିବାରୁ ଖସିବା ପାଇଁ ଅନେକ ବାଟ ରହିଛି। ତେଣୁ ସୁରକ୍ଷା କର୍ମୀ ଚାରିପଟୁ ଘେରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଡିଆର୍‌ଜି, ଏସ୍‌ଟିଏଫ୍‌ ଏବଂ ଜିଲ୍ଲା ପୁଲିସକୁ ପରିସ୍ଥିତି ସଂପର୍କରେ ଅବଗତ କରାଇ ମିଳିତ ଅପରେସନ ନିମନ୍ତେ ପଠାଯାଇଥିଲା।
ଭିନ୍ନଭିନ୍ନ ତିନିଟି ଫୋର୍ସ ଅଭିଯାନରେ ନିୟୋଜିତ ହୋଇଥିବାରୁ ସମନ୍ବୟ ରକ୍ଷା କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ତେଣୁ ଗତକାଲି ବିଳମ୍ବିତ ରାତିରେ ହିଁ ଫୋର୍ସ ଜଙ୍ଗଲରେ ପଶିଥିଲେ। ରାତିରେ ଆକ୍ରମଣ କଲେ ଅନ୍ଧାର ସୁଯୋଗ ନେଇ ମାଓବାଦୀ ଖସିଯିବାର ସମ୍ଭାବନା ରହିଥିବାରୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା। ସୂର୍ଯ୍ୟ ଉଦୟ ବେଳକୁ ମାଓ କ୍ୟାମ୍ପ ନିକଟରେ ପହଞ୍ଚି ଯାଇଥିଲେ ସୁରକ୍ଷା କର୍ମୀ। ଏହାପରେ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ। ପ୍ରାୟ ଦୁଇ ଘଣ୍ଟା ଧରି ଘନଘନ ଗୁଳି ମାଡ଼ ଆଖପାଖ ଅଞ୍ଚଳକୁ ଥରହର କରିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଝିରେ ମଝିରେ ଗୁଳି ଫୁଟିଥିବା ସୂଚନା ମିଳିଛି। ସର୍ଚ୍ଚ ଅପରେସନ୍‌ ସମୟରେ ଘଟଣାସ୍ଥଳରୁ ୭ ମାଓବାଦୀଙ୍କ ଶବ ମିଳିଥିଲା। ନିହତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।

ସୁରକ୍ଷା କର୍ମୀଙ୍କ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ। ସମସ୍ତ ମୃତଦେହ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଆଣି ଚିହ୍ନଟ କରାଯାଉଛି ବୋଲି ଏସ୍‌ପି ରବିନସନ୍‌ ଗୁରୁଆ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରୁ ଏକ-୪୭ ସହ ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ମିଳିଛି। ଦୁଇ ଦିନ ମଧ୍ୟରେ ଏହା ଦ୍ବିତୀୟ ଏନ୍‌କାଉଣ୍ଟର। ଗତକାଲି ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଆଜି ପୁଲିସ ଗୁଳିରେ ୭ଜଣ ମୃତ୍ୟୁବରଣ କରିଛନ୍ତି। ନିର୍ବାଚନକୁ ଭଣ୍ଡୁର ପାଇଁ ମାଓବାଦୀ ଯୋଜନା କରୁଥିଲା ବେଳେ ପୁଲିସର ଏଭଳି ଆକ୍ରମଣ ସଂଗଠନକୁ ଆହୁରି ଦୁର୍ବଳ କରିଛି। ଅନ୍ୟପ‌ଟେ ପୁଲିସର ମନୋବଳ ବଢ଼ିଛି। ଏହି ଭଳି ଅଭିଯାନ ଆଗକୁ ବି ଜାରି ରହିବ ବୋଲି ଛତିଶଗଡ଼ ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଏଭଳି ଆକ୍ରମଣ ପରେ ମାଓବାଦୀ ମଧ୍ୟ ପାଲଟା ଜବାବ ଦେବାର ଅନେକ ନଜିର ରହିଛି। ଏଥିପାଇଁ ପୁଲିସ କ’ଣ ରଣନୀତି କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର