କ୍ଷତିପୂରଣ ପ୍ୟାକେଜରୁ ବଞ୍ଚିତ ୭ ସହିଦ ପରିବାର, ବର୍ଷ ବର୍ଷ ଧରି ପଡ଼ିରହୁଛି ଆବେଦନପତ୍ର

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଗ୍ରାମରକ୍ଷୀ ଜଗବନ୍ଧୁ ତାଣ୍ଡି। ୨୦୦୯ ମସିହା ଡିସେମ୍ବର ମାସ ୩୧ ତାରିଖରେ ନକ୍ସଲ ଆକ୍ରମଣରେ ସହିଦ ହୋଇଗଲେ। ୧୩ ବର୍ଷ ହେଲା ତାଙ୍କୁ କ୍ଷତିପୂରଣ ପ୍ୟାକେଜରୁ ବଞ୍ଚିତ କରାଯାଇଛି। କାରଣ ନକ୍ସଲଙ୍କ ଧମକ ଯୋଗୁଁ ତାଙ୍କ ପରିବାର ଆବେଦନପତ୍ର ଦାଖଲ କରିପାରୁନଥିଲେ। ଗତ ଏପ୍ରିଲ୍‌ ମାସରେ ପରିବାର ସଦସ୍ୟଙ୍କ ସହିତ କାଉନ୍‌‌ସେଲିଂ ହେଲାପରେ ସହିଦଙ୍କ ପତ୍ନୀ ଆବେଦନ କରିଛନ୍ତି, ଯାହାକୁ ବର୍ତ୍ତମାନ ଅନୁମୋଦନ ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ପାଖକୁ ପଠାଇ ଦିଆଯାଇଛି।

ଯେଉଁ ବ୍ୟକ୍ତି ଦେଶ ଓ ସରକାରଙ୍କ ସୁରକ୍ଷା ପାଇଁ ପ୍ରାଣବଳୀ ଦେଲେ, ସେମାନଙ୍କ ପରିବାରକୁ ହକ୍‌ ଦେବାପାଇଁ ପ୍ରଶାସନ ଆବେଦନପତ୍ରକୁ ଅପେକ୍ଷା କରିବା ଆଶ୍ଚର୍ଯ୍ୟଜନକ। ଏବେ ରାଜ୍ୟ ମାନବାଧିକାର କମିସନ୍‌(ଓଏଚ୍‌ଆର୍‌ସି)ରେ ଅଭିଯୋଗ ପରେ ପରିବାରକୁ କାଉନ୍‌ସେଲିଂ କରିବାରେ ଅଧିକାରୀମାନେ ସଫଳ ହେଲେ ଓ ଆବେଦନପତ୍ର ଦାଖଲ ହେଲା। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସହିଦଙ୍କ ପରିବାର ଆତଙ୍କର ପରିବେଶ ମଧ୍ୟରେ ରହୁଥିବା ନେଇ ସରକାର ଅବଗତ ଥିଲେ ମଧ୍ୟ ନିଜ ତରଫରୁ କ୍ଷତିପୂରଣ ଦେବାକୁ ପଦକ୍ଷେପ ‌ନ ନେବା ଆମ ବ୍ୟବସ୍ଥାର ତ୍ରୁଟିକୁ ଦର୍ଶାଉଛି ବୋଲି ମତପ୍ରକାଶ ପାଇଛି।

ସହିଦ ପରିବାର ସମସ୍ତେ ଗରିବ ଓ ଆଦିବାସୀ
ଓଏଚ୍ଆରସିରେ ଅଭିଯୋଗ ପରେ ଚିତ୍ର ପଦାକୁ ଆସିଲା

କେବଳ ଜଗବନ୍ଧୁ ନୁହନ୍ତି, ଦେଶର ଅନ୍ତରୀଣ ସୁରକ୍ଷା ପାଇଁ ନକ୍ସଲ ଆକ୍ରମଣର ଶିକାର ହୋଇ ସହିଦ ୭ ପୁଲିସଙ୍କ ପ୍ରତି ଏହିଭଳି ଆଭିମୁଖ୍ୟ ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରୁ ସମସ୍ତେ ଆଦିବାସୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ। ତେଣୁ ପରିବାରର ଉପାର୍ଜନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେହି ପରିବାରର ଅବସ୍ଥା କ’ଣ ହୋଇଥିବ ଅନୁମାନ କରାଯାଇ ପାରେ। ଓଏଚ୍‌ଆରସିର ନିର୍ଦେଶ ଆଧାରରେ କୋରାପୁଟ ଏସ୍‌ପି ଦାଖଲ କରିଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ୨୦୦୧ରୁ ୨୦୨୦ ମଧ୍ୟରେ ନକ୍ସଲ ଆକ୍ରମଣରେ ୧୮ ଜଣ ପୁଲିସ ସହିଦ ହୋଇଥିଲେ। ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ କ୍ଷତିପୂରଣ ପ୍ୟାକେଜ ସ୍ବରୂପ ପରିବାରକୁ ତତ୍‌କ୍ଷଣାତ ସର୍ଭିସ ବେନିଫିଟ୍‌, ଜମି ପ୍ରଦାନ, ପରିବାରର ଥଇଥାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ମାତ୍ର କେନ୍ଦୁଝର, ଢେଙ୍କାନାଳ, ସମ୍ବଲପୁର ଏବଂ କଟକ ଜିଲ୍ଲାପାଳଙ୍କ ଅବହେଳା ଯୋଗୁଁ ୪ ଜଣ ସହିଦ ପୁଲିସଙ୍କ ପରିବାରକୁ କ୍ଷତିପୂରଣ ମିଳିନାହିଁ। କେନ୍ଦୁଝରରେ ୨ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଜଣେ ସହିଦ ପୁଲିସଙ୍କ କ୍ଷତିପୂରଣ ପ୍ୟାକେଜ ଆବେଦନ ପଡ଼ିରହିଛି। ଆଉ ଜଣେ ସହିଦ ପରିବାର ଆବେଦନ କରିନଥିବାରୁ ତାଙ୍କ ପରିବାରକୁ ପ୍ୟାକେଜରୁ ବଞ୍ଚିତ କରାଯାଇଛି।

ଚଳିତ ବର୍ଷ ଏପ୍ରିଲ ମାସରେ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଓଏଚ୍‌ଆର୍‌ସିରେ ଏକ ଅଭିଯୋଗ କରିଥିଲେ। ନକ୍ସଲ ଆକ୍ରମଣରେ ସହିଦ ପୁଲିସଙ୍କ ପ୍ରତି ସରକାର ସମ୍ବେଦନହୀନ ବ୍ୟବହାର କରିଛି ଓ ସେମାନଙ୍କୁ ସେମାନଙ୍କ କ୍ଷତିପୂରଣରୁ ବଞ୍ଚିତ କରାଯାଇଛି ବୋଲି ସେ ଦର୍ଶାଇଥିଲେ। ଓଏଚ୍‌ଆରସିଙ୍କ ନିର୍ଦେଶରେ ଯେଉଁ ରିପୋର୍ଟ ଦାଖଲ ହୋଇଛି, ତାହା ସହିଦଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟକୁ ପଦାରେ ପକାଉଛି।
୨୦୦୯ ମସିହାରେ ସମ୍ବଲପୁର ଜିଲ୍ଲା ଜମନକିରାର ସହକାରୀ ଚାଳକ ସୁକାନ୍ତ ସାହୁ ସହିଦ ହୋଇଥିଲେ। ତାଙ୍କୁ ଜମି ପ୍ରଦାନ ପାଇଁ ୨୦୧୦ ମସିହାରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଦିଆଯାଇଛି। ମାତ୍ର ସେବେଠାରୁ ଏହା ସମ୍ବଲପୁର ତହସିଲ କାର୍ଯ୍ୟାଳୟରେ ପଡ଼ିରହିଛି ଯେ ଆଜି ପର୍ଯ୍ୟନ୍ତ ଏଥିସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

୨୦୧୭ ମସିହା ଫେବ୍ରୁଆରି ୨ ତାରିଖ ସହଯୋଗୀ ଚାଳକ ସୁବର୍ଣ୍ଣା ରାଜ ସହିଦ ହୋଇଥିଲେ। ତାଙ୍କୁ ଜମି ପ୍ରଦାନ ପାଇଁ ୨୦୧୭ ମସିହା ମାର୍ଚ ୨୮ ତାରିଖରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଆବେଦନପତ୍ର ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲାପାଳ ଏହି ଆବେଦନପତ୍ରକୁ ଅନୁମୋଦନ ପାଇଁ ୪ ବର୍ଷ ଲଗାଇଦେଲେ ଅର୍ଥାତ ୨୦୨୧ ମସିହା ଅଗଷ୍ଟ ମାସ ୩୧ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗକୁ ପଠାଇଲେ। କିନ୍ତୁ ରାଜସ୍ବ ବିଭାଗ ଆଜି ପର୍ଯ୍ୟନ୍ତ ଏହି ସହିଦ ପରିବାରକୁ ଜମି ଦେଲା ନାହିଁ। କେନ୍ଦୁଝରର ସହଯୋଗୀ ଚାଳକ ଗଣେଶ ସାହା ୨୦୧୭ ମସିହା ଫେବ୍ରୁଆରି ମାସରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିଲେ। ସେହି ବର୍ଷ ମାର୍ଚ ମାସରେ ତାଙ୍କୁ ଜମି ପ୍ରଦାନର ଅନୁମୋଦନ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଆବେଦନପତ୍ର ଦିଆଯାଇଛି।

Hindustan Times

ଯଥାଶୀଘ୍ର ଅନୁମୋଦନ ପାଇଁ ବିଭିନ୍ନ ସମୟରେ ରିମାଇଣ୍ଡର୍‌ ମଧ୍ୟ ଦିଆଯାଇଛି। କିନ୍ତୁ ୫ ବର୍ଷ ହେଲା ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହିଛି। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଏହି ସମୟ ମଧ୍ୟରେ ଆସିଥିବା କୌଣସି ଜିଲ୍ଲାପାଳଙ୍କ ମନ ବଳିଲା ନାହିଁ। ୨୦୧୭ ମସିହାରେ ସହକାରୀ ଚାଳକ ପ୍ରଦୀପ ରାଉତ ସହିଦ ହୋଇଥିଲେ। ତାଙ୍କୁ ଜମି ପ୍ରଦାନର ଆବେଦନପତ୍ର ଅନୁମୋଦନ ପାଇଁ ୨୦୧୭ ମସିହା ମାର୍ଚ ମାସରେ କଟକ ଜିଲ୍ଲାପାଳଙ୍କ ପାଖକୁ ପଠାଯାଇଛି। ଯଥାଶୀଘ୍ର ଆବେଦନ ଅନୁମୋଦନ ପାଇଁ ରିମାଇଣ୍ଡର୍‌ ଦିଆଯାଇଥିଲେ ମଧ୍ୟ ୫ ବର୍ଷ ହେଲା ଜିଲ୍ଲାପାଳମାନେ ଗୁରୁତ୍ବ ଦେଇନାହାନ୍ତି। ୨୦୧୫ ମସିହାରେ କୋରାପୁଟ ଗ୍ରାମରକ୍ଷୀ ଜଗା ଖଳିଆ ସହିଦ ହେଲେ। ତାଙ୍କର ଦୁଇ ଜଣ ପତ୍ନୀ ଅଛନ୍ତି, ଉତ୍ତରାଧିକାରୀ ଜନିତ ବିବାଦ ଯୋଗୁଁ ୭ ବର୍ଷ ହେଲା କ୍ଷତିପୂରଣ ପ୍ୟାକେଜ ଦିଆଯାଇ ନଥିବା ଦର୍ଶାଯାଇଛି। ସହିଦଙ୍କ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର