ଯାଜପୁର/କବାଟବନ୍ଧ/ଧର୍ମଶାଳା : ଯାଜପୁର ଜିଲ୍ଲାର ନଈନାଳ ଓ ପାହାଡ଼ ପର୍ବତକୁ ଲଘୁ ଖଣିଜ ଲୁଟେରା ନିଜ ଅକ୍ତିଆରରେ ରଖିଛନ୍ତି। ହଜାର ହଜାର କୋଟି ଟଙ୍କାର ବାଲି, ପଥର, ମୋରମ, ଗୋଡ଼ି ପ୍ରତି ବର୍ଷ ଚୋରା ଚାଲାଣ କରୁଥିବା ମାଫିଆମାନେ ସମଗ୍ର ଜିଲ୍ଲାରେ ଆଇନ ଶୃଙ୍ଖଳା ଭଙ୍ଗ କରିବାରେ ମୁଖ୍ୟ ଅଂଶୀଦାର ପାଲଟିଛନ୍ତି। ବହୁ ଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ହେଉ କି ସୁକିନ୍ଦାରେ ସାମ୍ବାଦିକଙ୍କୁ ମାମଲାରେ ଫସାଇବା ଘଟଣା ପଛରେ ରହିଛି ଲଘୁ ଖଣିଜ ଚୋରା କାରବାର। ଲଘୁ ଖଣିଜ ଲୁଟ କାରବାରକୁ ନେଇ ‘ସମ୍ବାଦ’ର ଅନୁସନ୍ଧାନ ଟିମ୍ ବାରମ୍ବାର ତଥ୍ୟ ଭିତ୍ତିକ ଖବର ଲଗାତର ପ୍ରକାଶ କରିବା ଫଳରେ ପୁଲିସ ପ୍ରଶାସନ ଆଜି ଅକଳରେ ପଡ଼ି କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି। ବାଘୁଆ ପାହାଡ଼ରେ ଚଢ଼ଉ କରି ଚୋରା କଳାପଥର ଚାଲାଣ କରୁଥିବା ୩ ଟ୍ରାକ୍ଟର ଓ ୩ ବାଇକ ଜେନାପୁର ଥାନା ପୁଲିସ ଜବତ କରିବା ସହ ତାଙ୍କ ସହ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ମାତ୍ର ମାଷ୍ଟରମାଇଣ୍ଡକୁ ପୁଲିସ ଧରିବା ପରିବର୍ତ୍ତେ କେବଳ ଟ୍ରାକ୍ଟର ଡ୍ରାଇଭର ଓ ମାଫିଆଙ୍କ ସୁପରଭାଇଜରଙ୍କୁ ଗିରଫ କରିଛି ବୋଲି ଚର୍ଚ୍ଚା ହେଉଛି। ସେହିପରି ଧର୍ମଶାଳା ପୁଲିସ ଗତରାତିରେ କୋହ୍ଲା ଗ୍ରାମ ନିକଟରୁ ଏକ କଳାପଥର ବୋଝେଇ ଟ୍ରକ ଜବତ କରିବା ସହିତ ଆରୁହା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରିଛି। ତହସିଲ ପକ୍ଷରୁ ମଧ୍ୟ ଏକ ଟ୍ରାକ୍ଟର ଜବତ କରାଯାଇଛି। ଦୁଇଟି ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି।
୨୫ ତାରିଖ ଭୋର ସମୟରେ ବଳରାମପୁର ସଂରକ୍ଷିତ ଜଙ୍ଗଲର କଳାପଥର ଖାଦାନରୁ ବନ ବିଭାଗ ଓ ଜେନାପୁର ପୁଲିସ ମିଳିତ ଚଢଉରେ ଜବତ ହୋଇଥିବା ୨ଟି ଟ୍ରାକ୍ଟରକୁ ପଥର ମାଫିଆ ମାନେ ବଳ ପୂର୍ବକ ଛଡ଼ାଇ ନେଇଥିଲେ। ଏ ସଂପର୍କରେ ଗଡ଼ମଧୁପୁର ଫରେଷ୍ଟର ରଂଜନ କୁମାର ମିଶ୍ର ଜେନାପୁର ଥାନାରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ଜେନାପୁର ପୁଲିସ ୨୭୧/୧୯ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଚକ୍ରଧରପୁର ପଂଚାୟତ କୁସୁନପୁର ଗ୍ରାମର ବାବାଜି ସାମଲଙ୍କ ପୁଅ ଦିଲୀପ ସାମଲ। ଅନ୍ୟ ଅଭିଯୁକ୍ତ ମାନେ ଏବେ ବି ଫେରାର ଅଛନ୍ତି।
ଆଜି ଭୋର ସମୟରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ତା, ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ଜେନାପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ପ୍ରମୁଖ ସଦଳବଳେ ବାଘୁଆ ୪ ନମ୍ବର କ୍ବାରି ଉପରେ ଚଢ଼ଉ କରିଥିଲେ। ବେଆଇନ କଳାପଥର ପରିବହନ କରୁଥିବା ୩ଟି ଟ୍ରାକ୍ଟର ଜବତ କରିବା ସହ ମାଫିଆ ବ୍ୟବହାର କରୁଥିବା ୩ଟି ବାଇକ ଜବତ କରିଥିଲେ। ଏହାଛଡ଼ା ଏହି କଳାପଥର ଚୋରା ଚାଲାଣରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛନ୍ତି।
ରାଜସ୍ବ ବିଭାଗର ଅଭିଯୋଗ ଆଧାରରେ ଜେନାପୁର ପୁଲିସ ୨୭୭/୧୯ରେ ଏକ ମାମଲା ରୁଜୁ କରିବା ସହ ଦଫା ୩୭୯, ୩୪ ଆଇପିସି ତଥା ଲଘୁଖଣିଜ ପଦାର୍ଥ ଆଇନର ଧାରା ୨୧ ଅନୁଯାୟୀ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ବଟ ଓଝାଙ୍କ ପୁଅ ବାରଣ ଓଝା(୪୨), ଅରୁଣ ଓଝାଙ୍କ ପୁଅ ବାବୁଲା ଓଝା (୨୨) କଳିଙ୍ଗନଗର ଥାନା ପିଙ୍ଗଲ ପଞ୍ଚାୟତ ରାଇଟିକର ଗ୍ରାମର ଅଲେଖ ବସନ୍ତଆଙ୍କ ପୁଅ ତାପସ ବସନ୍ତିଆ (୩୦) ଓ ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ବାସୁଦେବ ମଲ୍ଲିକଙ୍କ ପୁଅ ସନାତନ (୨୩) ଓ ବାବାଜି ବସନ୍ତିଆଙ୍କ ପୁଅ ରବୀନ୍ଦ୍ର (୩୫)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ଖାଦାନର ଶ୍ରମିକ ଓ ଟ୍ରାକ୍ଟର ଚାଳକ ବୋଲି ସୂଚନା ମିଳିଛି। ତେବେ ରାଜନୈତିକ ନେତା ଓ ପୁଲିସ ପ୍ରଶାସନର ବାହୁଛାୟା ସାମ୍ରାଜ୍ୟ ବିସ୍ତାର କରିଥିବା ମାଫିଆଙ୍କ ନିକଟରେ ପୁଲିସ ପହଞ୍ଚି ପାରୁଛି କି ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।