କଟକ: ରାଜ୍ୟରେ ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ଚାଲୁଛି ୭୦ ଲକ୍ଷ ଗାଡ଼ି। ଏଭଳି ଗାଡ଼ି ଉପରେ ୧୦ ହଜାର ଟଙ୍କା ଯାଏଁ ଜରିମାନା ବ୍ୟବସ୍ଥା ଥିଲେ ବି ଏଥିପାଇଁ ଖିଲାପିଙ୍କ ଭୟ ନାହିଁ। ଏଭଳି ଗାଡ଼ି ରାସ୍ତାରେ ଚଳାଚଳ ଦ୍ବାରା ନିର୍ଗତ‌ ହେଉଥିବା ଗ୍ୟାସରୁ ଫୁସ୍‌ଫୁସ୍‌ରେ ମାରାତ୍ମକ କର୍କଟ ରୋଗର ଆଶଙ୍କା ଥିବା ଡାକ୍ତର ମତ ଦେଉଥିବା ବେଳେ ଏହା ଏବେ ଉଦ୍‌ବେଗର କାରଣ ହୋଇଛି। ପରିବହନ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ କୋଟି ୬ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିରୁ ୧୫ ଲକ୍ଷ ଗାଡ଼ି ବର୍ତ୍ତମାନ ରାଜ୍ୟରେ ଚଳାଚଳ କରୁନାହାନ୍ତି। ବାକି ୯୦ ଲକ୍ଷ ଗାଡ଼ିରୁ ୮୦ ପ୍ରତିଶତ ହେଉଛି ଦୁଇଚକିଆ ଗାଡ଼ି। ଚଳାଚଳ କରୁଥିବା ଗାଡ଼ିରୁ ପ୍ରାୟ ୨୦ ଲକ୍ଷ ଗାଡ଼ିର ପିୟୁସି (ପଲ୍ୟୁସନ୍‌ ଅଣ୍ଡର୍‌ କଣ୍ଟ୍ରୋଲ୍‌) ସାର୍ଟିଫିକେଟ୍ ରହିଛି। ଅବଶିଷ୍ଟ ପ୍ରାୟ ୭୦ ଲକ୍ଷ ଗାଡ଼ିର ଏହି ସାର୍ଟିଫିକେଟ୍ ନାହିଁ। ମଟରଯାନ ଆଇନ ଅନୁଯାୟୀ, ନୂଆ ଗାଡ଼ି ପାଇଁ ଏକ ବର୍ଷ ଯାଏଁ କୌଣସି ପ୍ରଦୂଷଣ ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ। କିନ୍ତୁ ଏକ ବର୍ଷ ପରେ ପ୍ରତି ୬ମାସ ବ୍ୟବଧାନରେ ସମ୍ପୃକ୍ତ ଗାଡ଼ି ପିୟୁସି ସାର୍ଟିଫିକେଟ୍ ନେବା ବାଧ୍ୟତାମୂଳକ। ଯେଉଁ ଗାଡ଼ିଚାଳକ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ ଆଇନର ଧାରା ୧୯୦(୨) ଅନୁଯାୟୀ, ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି। ଆର୍‌ଟିଓଙ୍କ ମାଧ୍ୟମରେ କେବଳ ଏହି ଜରିମାନା ଆଦାୟ କରାଯାଇପାରିବ। ପୁଲିସକୁ ଏଥିପାଇଁ କ୍ଷମତା ଦିଆଯାଇ ନାହିଁ। କିନ୍ତୁ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ପ୍ରଶ୍ନ ଉଠିଛି। 

Advertisment

କାଗଜପତ୍ରରେ ସୀମିତ ୧୦ ହଜାର ଟଙ୍କା ଜରିମାନା ନିୟମ 
ଗାଡ଼ି ଧୂଆଁ ପ୍ରଦୂଷଣରୁ ଫୁସ୍‌ଫୁସ୍‌ କର୍କଟ ରୋଗ ଆଶଙ୍କା

ସଡ଼କ ସୁରକ୍ଷା ବିଶେଷଜ୍ଞ ଡକ୍ଟର ବିକାଶ ମହାପାତ୍ରଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଗାଡ଼ି ପାଇଁ ପିୟୁସି ବାଧ୍ୟତାମୂଳକ। ଗାଡ଼ିରୁ ଅଙ୍ଗାରକାମ୍ଳ ନିର୍ଗତ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ଗୋଟିଏ ପଟେ ପରିବହନ ବିଭାଗ ଏହି ଆଇନକୁ କଡ଼ାକଡ଼ି କରୁ ନଥିବା ବେଳେ ଅନ୍ୟପଟେ ଲୋକେ ବିନା ସାର୍ଟିଫିକେଟ୍‌ରେ ପୁରୁଣା ଗାଡ଼ି ଚଳାଉଛନ୍ତି। ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରା ନଯିବା ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ କଟକ ବଡ଼ ଡାକ୍ତରଖାନା ଛାତି ରୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଏମ୍‌.ଆର. ଦାଶଙ୍କ କହିବା ଅନୁଯାୟୀ ବାୟୁ ପ୍ରଦୂଷଣ ଦ୍ବାରା ଶ୍ବାସ, ଆଜ୍‌ମା, ବ୍ରୋଙ୍କାଇଟ୍‌ସ ହେବା ସହିତ ଫୁସ୍‌ଫୁସ୍‌ ସମେତ ଶରୀରର ଅନ୍ୟାନ୍ୟ ଅଙ୍ଗରେ କର୍କଟ ହେବାର ଆଶଙ୍କା ରହିଛି। ଅନେକ ଗାଡ଼ିରେ କିରାସିନି ବ୍ୟବହାର ହେଉଛି। ବର୍ତ୍ତମାନ ସମୟରେ ବିଦ୍ୟୁତ୍‌ ଗାଡ଼ିର ବ୍ୟବହାର ଦ୍ବାରା ପ୍ରଦୂଷଣକୁ ରୋକାଯାଇପାରିବ ବୋଲି ପ୍ରଫେସର ଡାକ୍ତର ଦାଶ କହିଛନ୍ତି।