୭ଟି ଖଣିରେ ତାଲା

୧୭୫୭୧ କୋଟିରୁ ୮୨୪୫ କୋଟିର ଜରିମାନା ଆଦାୟ

ଆଜି ସିଇସିଙ୍କୁ ସ୍ଥିତି ରିପୋର୍ଟ ଦେବେ ସରକାର, ୧୭ରେ ଶୁଣାଣି

ଭୁବନେଶ୍ୱର : ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ଡିସେମ୍ବର ୩୧ ତାରିଖ ସୁଦ୍ଧା ୭ଟି ଖଣି ଲିଜ୍‌ଧାରୀ ଜରିମାନା ଦେଇନାହାନ୍ତି। ଏଣୁ କୋର୍ଟଙ୍କ ନିର୍ଦେଶ ମୁତାବକ କାର୍ଯ୍ୟକ୍ଷମ ଥିବା ଏହି ୭ଟି ଖଣିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ନିର୍ଧାରିତ ସମୟସୀମା ସୁଦ୍ଧା ଉଭୟ କାର୍ଯ୍ୟକ୍ଷମ ଏବଂ ଅଚଳ ଏହିଭଳି ମୋଟ ୭୭ଟି ଖଣି ଲିଜ୍‌ଧାରୀ ମୋଟ ୮୨୪୪ କୋଟି ୯୫ ଲକ୍ଷ ଟଙ୍କାର ଜରିମାନା ଦାଖଲ କରିଥିବା ଜଣାପଡିଛି। ଅର୍ଥାତ୍‌ ଅଧାରୁ ଅଧିକ ରାଶିର ଜରିମାନା ଆଦାୟ ହୋଇପାରିଲାନାହିଁ। ଆସନ୍ତାକାଲି ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି(ସିଇସି)ଙ୍କ ନିକଟରେ ଜରିମାନା ଆଦାୟ, ଖଣି ବନ୍ଦ କାର୍ଯ୍ୟାନୁଷ୍ଠାନ ସଂପର୍କିତ ସ୍ଥିତି ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର।

ରାଜ୍ୟରେ ବେଆଇନ ଖଣିଜ କାରବାର କରିଥିବା ୧୩୨ଟି ଖଣି(ଉଭୟ କାର୍ଯ୍ୟକ୍ଷମ ଏବଂ ଅଚଳ)କୁ ସୁପ୍ରିମ କୋର୍ଟ ୧୦୦ ପ୍ରତିଶତ ଜରିମାନା ପୈଠ କରିବାକୁ ଆଦେଶ ଦେଇଥିଲେ। ଜରିମାନା ଆଦାୟର ସମୟସୀମା ଥିଲା ଗତକାଲି, ଡିସେମ୍ବର ୩୧ ତାରିଖ। କିନ୍ତୁ ନିର୍ଧାରିତ ସମୟସୀମା ସୁଦ୍ଧା ୭ଟି ଖଣି ଲିଜ୍‌ଧାରୀ ଜରିମାନା ପୈଠ କରିନାହାନ୍ତି। ସେହି ଲିଜ୍‌ଧାରୀ ହେଉଛନ୍ତି ମେସର୍ସ ସିରାଜ୍‌ୁଦ୍ଦିନ(ବଳଦା ଖଣି), ମେସ୍କୋ ଷ୍ଟିଲ୍‌(ରଇଡ଼ା-୧), ଆଇଡିସି(ରଇଡ଼ା-ସି ବ୍ଲକ), କର୍ପ ରିର୍ସୋସେସ୍‌(ତନ୍ତରା, କୋଇଡ଼ା), ଓଏମ୍‌ଏମ୍‌(ପାଟମୁଣ୍ଡା, କୋଇଡ଼ା), ଏସେଲ୍‌ ମାଇନିଂ(କୋଇଡ଼ା), ନ୍ୟାସନାଲ୍‌ ଏଣ୍ଟରପ୍ରାଇଜେସ୍‌(ରାଇକେଲା)।

ଜରିମାନା ଦେଇନଥିବାରୁ ଆଜି ଏହି ଖଣିଗୁଡ଼ିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ତେବେ ୪୫ଟି କାର୍ଯ୍ୟକ୍ଷମ ଏବଂ ୩୨ଟି ଅଚଳ ଖଣି ଜରିମାନା ଦେଇଥିବା ଖଣି ନିର୍ଦେଶାଳୟ ସୂଚନା ଦେଇଛି।

ଖଣି ନିର୍ଦେଶକ ଦୀପକ ମହାନ୍ତିଙ୍କ କହିବାନୁସାରେ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ଖଣି ଲିଜ୍‌ଧାରୀମାନଙ୍କଠାରୁ ଜରିମାନା ଆଦାୟ, ଜରିମାନା ପୈଠ କରିନଥିବା ଲିଜ୍‌ଧାରୀମାନଙ୍କର ଖଣି ବନ୍ଦ କରାଯିବା ସଂପର୍କରେ ସିଇସିଙ୍କୁ ଷ୍ଟାଟ୍‌ସ ରିପୋର୍ଟ ଦିଆଯିବ। ସୁପ୍ରିମ କୋର୍ଟ ୪ ତାରିଖରେ ଖୋଲିବା ପରେ ସିଇସି ରିପୋର୍ଟ ଦାଖଲ କରିବେ। ଆସନ୍ତା ୧୭ ତାରିଖରେ ସୁପ୍ରିମ କୋର୍ଟରେ ଶୁଣାଣି କରାଯିବ।

ଆଶା କରାଯାଉଛି, ରାଜ୍ୟ ସରକାର ଗଠନ କରିଥିବା ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ପରିଷଦ(ଓଏମ୍‌ବିଏଡିସି) ନାମରେ ସ୍ପେସାଲ୍‌ ପର୍‌ପୋସ୍‌ ଭେଇକିଲ୍‌(ଏସ୍‌ପିଭି) ପାଇଁ ନିୟମାବଳୀ ସ୍ଥିର କରିପାରନ୍ତି ସୁପ୍ରିମ କୋର୍ଟ। ଜରିମାନା ବାବଦରେ ଆଦାୟ ଅର୍ଥ ଓଏମ୍‌ବିଏଡିସି ପାଣ୍ଠିରେ ଜମା ହେବ। ଏସ୍‌ପିଭି ଜରିଆରେ ସଂପକ୍ତ ଖଣି ଅଞ୍ଚଳ ସକାଶେ ବ୍ୟୟ କରାଯିବ। ଓଏମ୍‌ବିଏଡିସିର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ଥିବା ବେଳେ ଉପାଧ୍ୟକ୍ଷ ଉନ୍ନୟନ କମିସନର ରହିଛନ୍ତିି।

ସମ୍ବନ୍ଧିତ ଖବର