ଆଉ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ, ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଦତ୍ତ ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କଟକ, ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲାର ଜଣେ ଲେଖାଏଁ ଅଛନ୍ତି । ଏହାଛଡ଼ା ଭୁବନେଶ୍ବରର ଜଣଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହରେ ବି ପୀଡ଼ିତ ଥିଲେ | ଗଞ୍ଜାମ ଜିଲ୍ଲାର ଅନ୍ୟ ଜଣେ ୫୫ ବର୍ଷ ବୟସ୍କ ପୁରୁଷଙ୍କର କରୋନାରେ ପ୍ରାଣହାନି ଘଟିଛି |
ଠିକ୍ ସେହିପରି କଟକ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି | ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହରେ ବି ପୀଡ଼ିତ ଥିଲେ | ଭୁବନେଶ୍ୱରର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ପ୍ରାଣ ହରାଇଛନ୍ତି, ଯିଏ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ |
ଅପରପକ୍ଷରେ ମାଲକାନଗିରି ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ମୃତ୍ୟୁବରଣ କରିଛନ୍ତି, ଯିଏ ଉଚ୍ଚ ରକ୍ତଚାପରେ ବି ପୀଡ଼ିତ ଥିଲେ |
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ ହୋଇଛି। ଏମାନଙ୍କ ଭିତରୁ ୧୬,୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୯ ରହିଛି।

ସମ୍ବନ୍ଧିତ ଖବର